ମାତିଛନ୍ତି ମନ୍ଦିର ଲୁଟେରା; ଲୁଟୁଛନ୍ତି ଦିଅଁଙ୍କ ଗହଣା, ଟଙ୍କା

କନକ ବ୍ୟୁରୋ : ଗତ କିଛି ଦିନ ହେଲା ରାଜ୍ୟରେ ମାତିଛନ୍ତି ଲୁଟେରା । ଫୋକସରେ ରହିଛି ମନ୍ଦିର । ରାତି ଅନ୍ଧାରରେ ଆସି ଲୁଟି ନେଉଛନ୍ତି ଠାକୁରଙ୍କ ଅଳଙ୍କାର । ହୁଣ୍ଡି ଭାଙ୍ଗି ଦାନ ଟଙ୍କା ବି ନେଇ ଯାଉଛନ୍ତି । ଚୋରି ହେବା ପରେ ସବୁଠି ପୁଲିସ୍ ପହଁଚି ତଦନ୍ତ କରୁଛି । କିନ୍ତୁ କେମିତି ମନ୍ଦିର ଲୁଟ୍ ବନ୍ଦ ହେବ ସେ ନେଇ ନିଆଯାଉନି କୌଣସି ବଡ଼ ପଦକ୍ଷେପ ।
ରାଜ୍ୟରେ ଲଗାତାର ଭାବେ ବଢ଼ି ଚାଲିଛି ମନ୍ଦିର ଲୁଟ୍ । ୨୪ଘଣ୍ଟା ଭିତରେ ରାଜ୍ୟର ୬ଟି ମନ୍ଦିରରୁ ଲୁଟିଛନ୍ତି ଲୁଟେରା । ବାଲେଶ୍ୱର ସୋର ପୌରାଞ୍ଚଳ ଇଟୁଆ ଗ୍ରାମରେ ଥିବା ତିନୋଟି ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଗହଣା ଚୋରି ହୋଇଛି । ମା ମଙ୍ଗଳା ମନ୍ଦିରରୁ ରୂପାମୁକୁଟ, ସୁନା ହାର ଓ ବାସୁଳି ମନ୍ଦିରରୁ ରୂପାମୁକୁଟ ରୁପା ହାର ଚୋରି ହୋଇଥିବା ବେଳେ ଶିବ ମନ୍ଦିରରୁ ଚୋରି ଉଦ୍ୟମ କରାଯାଇଥିଲେ ମଧ୍ୟ କୌଣସି ସାମଗ୍ରୀ ଚୋରି ହୋଇନଥିବା ଜଣାପଡିଛି । ଏନେଇ ପୁଲିସକୁ ଖବର ଦେବା ପରେ ପୁଲିସ ତଦନ୍ତ କରୁଛି ।
ଅଧିକ ପଢ଼ନ୍ତୁ : ସରକାର କହୁଛନ୍ତି, ସ୍ୱାଭାବିକ ଅଛି ତେଲ ଯୋଗାଣ; ଗ୍ରାଉଣ୍ଡ ଜିରୋରେ ସ୍ଥିତି ଭିନ୍ନ, ଏବେ ବି ବହୁ ପମ୍ପ ବନ୍ଦ
ଖୋର୍ଦ୍ଧା ଜିଲ୍ଲା ଜଟଣୀ ତରାବୋଇରେ ହନୁମାନ ମନ୍ଦିରର ତାଲା ଭାଙ୍ଗି ଲୁଟିଛନ୍ତି ଦୁବୃର୍ତ୍ତ । ମନ୍ଦିରରୁ ମୂଲ୍ୟବାନ ପିତଳ ସାମଗ୍ରୀ ଓ ହୁଣ୍ଡୀ ବାକ୍ସ ସହିତ ସି ସି ଟିଭି ତାଡି ନେଇ ଯାଇଛନ୍ତି । ଏନେଇ ଗ୍ରାମବାସୀ ଜଟଣୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ତଦନ୍ତ କରୁଛି ପୁଲିସ୍ । ପୁରୀ ଜିଲ୍ଲା କାକଟପୁର ଅବଦାନ ପଂଚାୟତରେ ରହିଥିବା ପ୍ରସିଦ୍ଧ ଠାକୁରାଣୀ ମହାଶକ୍ତି ଚିତ୍ରେଶ୍ୱରିଙ୍କ ମନ୍ଦିର ତାଲା ଭାଙ୍ଗି ଲୁଟ୍ କରିଛନ୍ତି ଦୁବୃର୍ତ୍ତ । ଠାକୁରାଣୀ ପିନ୍ଧିଥିବା ରୂପା ମୁକୁଟ, ରୂପା ହାର, ମାଙ୍କ ରୂପା ଆଖି ସହିତ ଦାନ ବାକ୍ସ ଭାଙ୍ଗି ସେଥିରେ ରହିଥିବା ଟଙ୍କା କୁ ଲୁଟ କରିନେଇଛନ୍ତି । ପାଖରେ ଥିବା ପୁରାତନ ଶୈବମନ୍ଦିର ବାବା ସ୍ଵପ୍ନେଶ୍ୱରଙ୍କ ମନ୍ଦିରରୁ ପିତଳ ଗରା,ଘଣ୍ଟ,ଘଣ୍ଟି କୁ ଚୋରି କରି ନେଇଛନ୍ତି । କୋଣାର୍କ ଥାନାରେ ଲିଖିତ ଅଭିଯୋଗ କରାଯିବା ପରେ ତଦନ୍ତ ଆରମ୍ଭ କରିଛି ପୁଲିସ୍ ।
ବାରମ୍ବାର ମନ୍ଦିର ଲୁଟ୍ ପଛରେ ବଡ ରାକେଟ୍ କାମ କରୁଥିବା ସନ୍ଦେହ କରାଯାଉଛି । ତେଣୁ ମନ୍ଦିର ଗୁଡ଼ିକର ସୁରକ୍ଷା ପାଇଁ ପୁଲିସ ବ୍ୟବସ୍ଥା କରିବାକୁ ଦାବି ହୋଇଛି ।
English 












































































































































































































































































































































































































































































































































































































































































































































































































































































































































































































































































































































































































