୧୦ ବର୍ଷ ପରେ ଘର ବାହୁଡ଼ା; ଭିଟାମାଟିକୁ ଫେରିଲେ ନିଖୋଜ ଭାଇ-ଭଉଣୀ

କନକ ବ୍ୟୁରୋ : ୧୦ ବର୍ଷ ପରେ ଜନ୍ମମାଟିକୁ ଫେରିଲେ ଦୁଇ ନିଖୋଜ ଶିଶୁ । ପରିବାରର କଳହ ଯୋଗୁଁ ତାମିଲନାଡୁରେ ହଜିଯାଇଥିଲେ । କୋଏମ୍ୱାଟୁରରୁ ଉଦ୍ଧାର ହେବା ପରେ କୋରାପୁଟ ଚାଇଲ୍ଡ ଲାଇନ୍ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ସେମାନଙ୍କୁ ଓଡ଼ିଶା ଅଣାଯାଇଛି ।
କୋରାପୁଟ ଜିଲ୍ଲା ଶିଶୁ ମଙ୍ଗଳ କାର୍ଯ୍ୟାଳୟ ବାହାରେ ଭାଇଭଉଣୀ ଏବଂ ସେମାନଙ୍କ ସହ ଆସିଥିବା ତାମିଲନାଡୁ ଶିଶୁ ମଙ୍ଗଳ କମିଟିର ସଦସ୍ୟ । ଦୀର୍ଘ ୧୦ ବର୍ଷର କଷ୍ଟ ଓ ଯନ୍ତ୍ରଣା ପରେ ତାମିଲନାଡ଼ୁ କୋଏମ୍ବାଟୁରରୁ ଜନ୍ମମାଟିକୁ ଫେରିଛନ୍ତି ଇନ୍ଦ୍ରାବତୀ ଏବଂ ଝାଡ଼େଶ୍ୱର । ଦୁହିଁଙ୍କ ଘର କୋରାପୁଟ ବନ୍ଧୁଗାଁ ବ୍ଲକ କୁମ୍ଭାରୀପୁଟ ପଞ୍ଚାୟତ ଉପରଜାମୁଗୁଡ଼ା ଗାଁରେ । ପିଲାଦିନରୁ ଦୁହେଁ ହଜିଯାଇଥିଲେ । ଏବେ ନିଜ ଘରକୁ ଫେରିବା ପରେ ସେମାନଙ୍କ ମୁହଁରେ ହସ ଫୁଟିଛି ।
ଅଧିକ ପଢ଼ନ୍ତୁ : ଜୁଆଙ୍ଗ ସମ୍ପ୍ରଦାୟର ଅଭିନବ ପ୍ରତିବାଦ; ଚାଙ୍ଗୁ ବଜାଇ ଜିଲ୍ଲା ପ୍ରଶାସନ ଆଗରେ ଜଣାଇଲେ ଗୁହାରି
୧୦ ବର୍ଷ ତଳେ ପାରିବାରିକ କଳହ ପାଇଁ ମା’ ୪ ସନ୍ତାନଙ୍କୁ ଛାଡ଼ି ଦାଦନ ଖଟିବାକୁ ତାମିଲନାଡ଼ୁ ଚାଲିଯାଇଥିଲେ । ଯିବାର ୨ ମାସ ପରେ ପୋଲା ନିଜ ସ୍ୱାମୀଙ୍କୁ ଯୋଗାଯୋଗ କରି ପୁଅ ଝିଅଙ୍କୁ ସାଥୀରେ ଆଣି ତାମିଲନାଡ଼ୁ ଆସିବାକୁ କହିଥିଲେ । ବଡ଼ ଝିଅ ଦୁଇ ଜଣ ଲୁଚିଯିବାରୁ ବାପା ଇନ୍ଦ୍ରାବତୀ ଓ ଝାଡ଼େଶ୍ୱରଙ୍କୁ ଧରି ତାମିଲନାଡ଼ୁ ଯାଇଥିଲେ । ସେଠାରେ ଦୁର୍ବୃତ୍ତଙ୍କ ମାଡ଼ରେ ମାନସିକ ଭାରସାମ୍ୟ ହରାଇ ପିଲାଙ୍କୁ ସେଇଠି ଛାଡ଼ି ଗାଁକୁ ପଳାଇ ଆସିଥିଲେ ବାପା । ତାମିଲନାଡ଼ୁର ଅଜଣା ସହରରେ ଏକା ହୋଇଯାଇଥିଲେ ଭାଇ ଭଉଣୀ । ହେଲେ ବାପାଙ୍କ ଆଧାର କାର୍ଡ ଓ ଭୋଟର ପରିଚୟପତ୍ରକୁ ସାଇତି ରଖିଥିଲେ । ଏବେ କୋରାପୁଟ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଉଦ୍ୟମ ଓ ତାମିଲନାଡୁ ସରକାରଙ୍କ ସହଯୋଗରେ ସେମାନଙ୍କୁ ଓଡ଼ିଶା ଅଣାଯାଇଛି । ଦୁଇ ଭାଇ-ଭଉଣୀ ଶିଶୁ ମଙ୍ଗଳ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ସହ ସାକ୍ଷାତ କରିଛନ୍ତି ।
ପିଲା ଦୁଇଟି ଫେରିଛନ୍ତି ସତ, କିନ୍ତୁ ସେମାନେ ତାମିଲ ଭାଷାରେ ପାଠ ପଢୁଥିବାରୁ ଏଠାରେ ଶିକ୍ଷାଗତ ସମସ୍ୟା ଦେଖାଦେବ । ପୁଣି ବାପା ନିଶାସକ୍ତ ଏବଂ ମା’ଙ୍କର ମାନସିକ ସ୍ଥିତି ଠିକ୍ ନାହିଁ । ବିବାହିତ ବଡ଼ ଭଉଣୀଙ୍କ ଛଡ଼ା ଅନ୍ୟ କୌଣସି ବିକଳ୍ପ ନାହିଁ ।
English 























































































































































































































































































































































































































































































































































































































































































































































































































































































































































































































































































































































