#Local

ଆଗେଇ ଚାଲିଛି ଶ୍ରୀଜିଉଙ୍କ ରଥ କାମ; ସାଲଗୁଜରେ ରୂପ ଖୋଦେଇରେ ବ୍ୟସ୍ତ ରୂପକାର

କନକ ବ୍ୟୁରୋ : ପରମ୍ପରା ମୁତାବକ ଶୀତଳଷଷ୍ଠୀରେ ତିନୋଟି ରଥର ୨୧ଟି ଅଖରେ ୪୨ଟି ଚକ ଡେରା ହେବ । ଏଥିପାଇଁ ସମସ୍ତ ଚକର କାର୍ଯ୍ୟ ଶେଷ ହୋଇଛି । ସେପଟେ ସ୍ନାନ ପୂର୍ଣ୍ଣିମା ଦିନ ତିନିରଥର ଚାରି ନାହାକା ଡେରା ପରମ୍ପରା ରହିଥିବାରୁ ଜୋରସୋରରେ ଆଗେଇ ଚାଲିଛି ରଥକାର୍ଯ୍ୟ । ଚଉତା, ବିରାଡ଼ି ଓ ମୁହାଁଟର ଚଉପଟ କାର୍ଯ୍ୟ ଜାରି ରହିଛି ।

ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ବିଶ୍ୱକର୍ମା ମହାରଣାମାନେ ବେଶ ତତ୍ପର । ଆଜିସୁଦ୍ଧା ତିନିରଥର ୪୦ଟି ଚକ ନିର୍ମାଣ ଶେଷ ହୋଇଛି । ସେପଟେ ଆରମ୍ଭ ହୋଇଛି ୧୪ ନାହାକା ଚଉପଟ କାର୍ଯ୍ୟ । ତିନିରଥର ନିର୍ମାଣ କାର୍ଯ୍ୟ ସମାନ୍ତରାଳ ଭାବେ ଆଗେଇ ଚାଲିଛି । ଏଥିସହ ଯନ୍ତାଗାଡ଼ରେ ତୁମ୍ବରେ ସିଙ୍ଗଡ଼ା ବାଡ଼େଇ ତିନିରଥ ଚାଳି ମହାରଣା ସେବକମାନଙ୍କୁ ଯୋଗାଇ ଦେଉଛନ୍ତି ଭୋଇ ସେବକ । ପ୍ରଥମ ପର୍ଯ୍ୟାୟରେ ରଥ ଅମିନ ତିନିରଥ ଚାଳିକୁ ୪/୫ଟି ଲେଖାଏଁ ଯୋଗାଇଥିବା ୨୦ ପୁଟିଆ ଧଉରା କାଠରେ ଦୁଇଟି ମୁହାଣ୍ଟ, ଦୁଇଟି ବିରାଡ଼ି ଚଉପଟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହାପରେ ଜଗନ୍ନାଥଙ୍କ ରଥରେ ୯ଟି ଦଣ୍ଡା, ସୁଭଦ୍ରାଙ୍କ ରଥରେ ୭ଟି ଦଣ୍ଡା ଓ ବଳଭଦ୍ରଙ୍କ ରଥରେ ୯ଟି ଦଣ୍ଡା ପଡ଼ି ତା’ଉପରେ ରଥ ଠିଆହେବ ।

ଅଧିକ ପଢ଼ନ୍ତୁ : କେମିତି ହେବ ସାବିତ୍ରୀ ବ୍ରତ ? ଫଳ ବଜାରରେ ନିଆଁ, ଚିନ୍ତାରେ ସତ୍ୟବାନ

ସେପଟେ ରୂପକାର ସେବକମାନେ ତିନି ରଥର ୧୧ଟି ଲେଖାଏଁ ସାଲଗୁଜରେ ରୂପ ଖୋଦେଇ ଜାରି ରଖିଛନ୍ତି । ରୂପକାର ସେବକମାନେ ତିନିରଥର ସାଲଗୁଜରେ ନୃସିଂହ ରୂପ ଖୋଦେଇ ସହ ରୂପଗୁଡ଼ିକର ପଲିସ୍ କାମ ଜାରି ରଖିଛନ୍ତି । ଦୋଳବେଦି କୋଣରେ ଥିବା କମାର ଚାଳିରେ କମାର ସେବକମାନେ ରଥପାଇଁ ଆବଶ୍ୟକ ଦଣ୍ଡା ବିଡ଼ିଆ ଓ ଘଡିମୁଁହ କଣ୍ଟା ମଧ୍ୟ ଯୋଗାଇ ଦେଉଛନ୍ତି ।

ଆଗେଇ ଚାଲିଛି ଶ୍ରୀଜିଉଙ୍କ ରଥ କାମ; ସାଲଗୁଜରେ ରୂପ ଖୋଦେଇରେ ବ୍ୟସ୍ତ ରୂପକାର

Special Report: Modi’s Master Plan with UAE

Leave a comment

Your email address will not be published. Required fields are marked *