ୟୁଏଇ ସହ ବଡ଼ ଚୁକ୍ତି, ପେଟ୍ରୋଲ ଓ ଗ୍ୟାସ୍ ଯୋଗାଣ ନେଇ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଆଲୋଚନା

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୟୁଏଇ ଗସ୍ତ ଅବସରରେ ସ୍ୱାକ୍ଷରିତ ହୋଇଛି ବଡ଼ ଚୁକ୍ତି । ଏହା ମଧ୍ୟରେ ରହିଛି ୫ ବିଲିଅନ୍ ଡଲାରର ପୁଞ୍ଜିନିବେଶ, ପ୍ରତିରକ୍ଷା ସହଯୋଗ ଏବଂ ଶକ୍ତି କ୍ଷେତ୍ରରେ ରଣନୈତିକ ଭାଗୀଦାରି । ଇରାନ ଆମେରିକା ଯୁଦ୍ଧ ମଧ୍ୟରେ ହର୍ମୁଜ ପ୍ରଣାଳୀରେ ପରିବହନ ବନ୍ଦ ରହିଥିବାରୁ ସାରା ବିଶ୍ୱରେ ଦେଖା ଦେଇଛି ଶକ୍ତି ସଂକଟ । ଏହି ଅସ୍ଥିରତା ଭିତରେ ସ୍ଥିରତା, ପରସ୍ପର ସମ୍ପର୍କ ମଜଭୁତ ରଖିବା ଏବଂ ଆର୍ଥିକ ସ୍ଥିରତା ଉପରେ ଗୁରୁତ୍ୱ ଦେଇଛନ୍ତି ଉଭୟ ରାଷ୍ଟ୍ର । ୟୁଏଇ ଭାରତର ବିଭିନ୍ନ ପ୍ରକଳ୍ପରେ ୫ ବିଲିୟନ ଆମେରିକୀୟ ଡଲାର ପୁଞ୍ଜିନିବେଶ କରିବାକୁ ସହମତି ପ୍ରକାଶ କରିଛି । ଏହି ଅର୍ଥ ଭାରତର ପରିବହନ, ବନ୍ଦର ଏବଂ ଲଜିଷ୍ଟିକ୍ସ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବ । ଏହା ଦ୍ୱାରା ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ଏକ ନୂତନ ଶିଖରରେ ପହଞ୍ଚିବ ବୋଲି ଆଶା କରାଯାଉଛି । ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ, ଏକ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏହା ଅଧୀନରେ ଉଭୟ ଦେଶ ମିଳିତ ସମରାଭ୍ୟାସ, ଗୋପନୀୟ ସୂଚନା ଆଦାନପ୍ରଦାନ ଏବଂ ପ୍ରତିରକ୍ଷା ସାମଗ୍ରୀର ସହ-ଉତ୍ପାଦନ ଉପରେ ଗୁରୁତ୍ୱ ଦେବେ।
ଶକ୍ତି କ୍ଷେତ୍ରରେ ଭାରତର ନିର୍ଭରଶୀଳତାକୁ ଦୃଷ୍ଟିରେ ରଖି ୟୁଏଇ ସହ ଏନର୍ଜି ଡିଲ୍ ହୋଇଛି । ଏଥିରେ ପାରମ୍ପରିକ ତୈଳ ଓ ଗ୍ୟାସ ସହିତ ଅକ୍ଷୟ ଶକ୍ତି ଏବଂ ଗ୍ରୀନ ହାଇଡ୍ରୋଜେନ ଉପରେ ଗୁରୁତ୍ୱ ଦିଆଯାଇଛି । ପେଟ୍ରୋଲିୟମ ଭଣ୍ଡାର ଉପରେ ମଧ୍ୟ ଏକ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି। ଏଲପିଜି ଯୋଗାଣ ନେଇ ହୋଇଥିବା ଚୁକ୍ତିରେ ଭାରତକୁ ସ୍ଥିର ଏବଂ ଦୀର୍ଘକାଳୀନ ଶକ୍ତି ଯୋଗାଣ ସୁନିଶ୍ଚିତ କରିବ । ଏହାଦ୍ୱାରା ଦୀର୍ଘସମୟ ପାଇଁ ପ୍ରାଥମିକତା ଭିତ୍ତିରେ ୟୁଏଇ ଭାରତକୁ ଏଲ୍ପିଜି ଯୋଗାଣ କରିବ । ଏଥିରେ ଭାରତର ଘରୋଇ ଏଲପିଜି ଆବଶ୍ୟକତାର ପ୍ରାୟ ୪୦ ପ୍ରତିଶତ ପୂରଣ ହେବ।
ପ୍ରଧାନମନ୍ତ୍ରୀଙ୍କ ୟୁଏଇ ଗସ୍ତରେ ଗୁଜରାଟର ଭାଡିନାରରେ ଏକ ଜାହାଜ ମରାମତି କ୍ଲଷ୍ଟର ସ୍ଥାପନ ପାଇଁ ଏକ ବୁଝାମଣାପତ୍ର ମଧ୍ୟ ସ୍ୱାକ୍ଷରିତ ହୋଇଛି। ଏହା ଭାରତର ସାମୁଦ୍ରିକ ଭିତ୍ତିଭୂମି ଇକୋସିଷ୍ଟମକୁ ସୁଦୃଢ଼ କରିବ ଏବଂ ଜାହାଜ ରକ୍ଷଣାବେକ୍ଷଣ ଏବଂ ମରାମତି ପାଇଁ ଏକ ଆଞ୍ଚଳିକ କେନ୍ଦ୍ର ଭାବରେ ଏହାର ସ୍ଥିତିକୁ ସପୋର୍ଟ କରିବ ବୋଲି ଆଶା କରାଯାଉଛି। ଆବୁଧାବିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଗାର୍ଡ଼ ଅଫ୍ ଅର୍ନରରେ ସ୍ବାଗତ କରାଯାଇଥିଲା। ମୋଦୀଙ୍କ ବିମାନ ୟୁଏଇର ବାୟୁ ସୀମାରେ ପ୍ରବେଶ କରିବା ପରେ ୟୁଏଇର ଏଫ୍ ୧୬ ଜେଟ୍ ପ୍ରଧାନମନ୍ତ୍ରୀଙ୍କୁ ଏସକର୍ଟ କରି ନେଇଥିଲା । ପ୍ରଧାନମନ୍ତ୍ରୀ ମୋଦୀ ଏହି ଗସ୍ତ ଅବସରରେ ୟୁଏଇରେ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାଏଦ ଅଲ୍ ନାହୟାନଙ୍କୁ ଭେଟିବା ସହିତ ପ୍ରତିନିଧିମଣ୍ଡଳ ସ୍ତରୀୟ ଆଲୋଚନା କରିଥିଲେ ।
English 
























































































































































































































































































































































































































































































