ଫେଲ୍ ମାରିଛି ‘ବସୁଧା’ ! ଟୋପାଏ ପାଣି ପାଇଁ ହନ୍ତସନ୍ତ ଗାଁ

କନକ ବ୍ୟୁରୋ : ଗାଁ ଗାଁରେ ବିଶୁଦ୍ଧ ପାଣି ପହଞ୍ଚାଇବାର ନାରା ପ୍ରକୃତରେ କେମିତି କାର୍ଯ୍ୟକାରୀ ହେଉଛି ଏବେ ସମସ୍ତଙ୍କ ସାମ୍ନାରେ । ଗୋଟିଏ ନକଳୂପ ପାଖେ ପୁରା ଗାଁ । ପ୍ରଚଣ୍ଡ ଖରାରେ ଦୁଇରୁ ଚାରି ଘଣ୍ଟା ଅପେକ୍ଷା କଲା ପରେ ପାଳି ପଡ଼ିବ । ଆଉ ପାଣି ନେଇ ଘରକୁ ଫେରିବେ । ଆପଣ ଭାବୁଥିବେ ଏତେ କଷ୍ଟ କ’ଣ ପାଇଁ । କାରଣ ହେଉଛି ସରକାରୀ ପ୍ରକଳ୍ପର ବିଫଳତା ।
ମେଗା ଜଳ ପ୍ରକଳ୍ପ ଦ୍ୱାରା ବୈପାରିଗୁଡ଼ା ବ୍ଲକର ପ୍ରତି ପଞ୍ଚାୟତରେ ଜଳ ଯୋଗାଣ ପାଇଁ ବ୍ୟବସ୍ଥା କରାଯାଇଛି । ଦୁଇ ବର୍ଷ ହେଲା ପାଇପ୍ ବିଛାହୋଇଛି । କିନ୍ତୁ ଟାଙ୍କି ନିର୍ମାଣ ହୋଇପାରୁନି । ଅନ୍ୟପଟେ ବୋଦାପୁଟ ଏବଂ ଜି. ମାଝିଗୁଡ଼ା ପଞ୍ଚାୟତ ପାହାଡ଼ ଉପରେ ଥିବାରୁ ପ୍ରକଳ୍ପ ଯୋଗେ ପାଣି ପହଞ୍ଚିବା ସମ୍ଭବପର ହୋଇପାରୁନି । ଫଳରେ ଜଳକଷ୍ଟ ଭୋଗୁଛନ୍ତି ବୋଦାପୁଟ ପଞ୍ଚାୟତର କେ. ମାଳିଗୁଡ଼ା ଗାଁ ।
ଅଧିକ ପଢ଼ନ୍ତୁ : ଭିନ୍ନ ଜଣେ ସାବିତ୍ରୀ ‘କୁନ୍ତଳା’; ସ୍ୱାମୀଙ୍କୁ ବଞ୍ଚାଇବାକୁ ୮ ବର୍ଷର ସଂଘର୍ଷ
ଗାଁର ଶହେ ପରିବାର ପାଇଁ ରହିଛି ୫ଟି ନଳକୂପ । କିନ୍ତୁ ବିଡ଼ମ୍ବନାର ବିଷୟ, ଏଥିମଧ୍ୟରୁ ୪ଟି ଅଚଳ । ବାକି ଗୋଟିଏରୁ ପର୍ଯ୍ୟାପ୍ତ ପରିମାଣରେ ପାଣି ବାହାରୁନି । ଅଙ୍ଗନବାଡ଼ି କେନ୍ଦ୍ରର କୋମଳମତି ଶିଶୁ ପାଣି ଟୋପାଏ ପାଇଁ ୨୦୦ ମିଟର ଦୂରକୁ ଯିବାକୁ ବାଧ୍ୟ ହେଉଛନ୍ତି । ସମସ୍ୟା ନେଇ ବାରମ୍ବାର ବିଡିଓଙ୍କୁ ଗୁହାରି କରି ପ୍ରତିଶ୍ରୁତି ଛଡ଼ା କିଛି ମିଳିନି । ତେଣୁ ଏଥର ଗାଁ ଲୋକ ଜିଦ୍ରେ ଅଟଳ। ‘ପାଣି ନାହିଁ ତ’ ଭୋଟ୍ ନାହିଁ’ । ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି କେ.ମାଳିଗୁଡ଼ାବାସୀ ।
ଅନ୍ୟପଟେ ନିଜେ ଗାଁକୁ ଯାଇ ତଦନ୍ତ କରି ଅଚଳ ନଳକୂପ ମରାମତି ସହ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରିବେ ବୋଲି କହିଛନ୍ତି ଆର୍ଡବ୍ଲୁଏସ୍ଏସ୍ ବିଭାଗର ଏସଡିଓ ଅକ୍ଷୟ କୁମାର ପଟ୍ଟନାୟକ । ପ୍ରଶାସନର ଏହି ପ୍ରତିଶ୍ରୁତି ପାଣିର ଗାର ହେଉଛି ନା ବାସ୍ତବରେ ଗ୍ରାମବାସୀଙ୍କ ଶୋଷ ମେଣ୍ଟୁଛି ତାକୁ ଅପେକ୍ଷା ।
English 


















































































































































































































































































































































































































































































































































































































































































