ପାକିସ୍ତାନ କ୍ରିକେଟରେ ଘମାଘୋଟ କଳି, ମୁହାଁମୁହିଁ ହେଲେ ଷ୍ଟାର୍ ଖେଳାଳି

କନକ ବ୍ୟୁରୋ: ପଡ଼ୋଶୀ ଦେଶ ପାକିସ୍ତାନର କ୍ରିକେଟ ଦଳ ଏବେ ଏକ ଅଜବ ସଂକଟ ଦେଇ ଗତି କରୁଛି । ଯେଉଁ ଦଳ ଦିନେ ବିଶ୍ୱ କ୍ରିକେଟରେ ନିଜର ଦବଦବା ରଖୁଥିଲା, ଆଜି ସେହି ଦଳ ନିଜ ଘରୋଇ ମାଟିରେ ବାଂଲାଦେଶ ଭଳି ଦଳଠାରୁ ଲଜ୍ଜାଜନକ ଭାବେ ପରାସ୍ତ ହେଉଛି । କିନ୍ତୁ ଏହି ପରାଜୟ ଅପେକ୍ଷା ଦଳ ଭିତରେ ଚାଲିଥିବା ‘ଅନ୍ତଃକନ୍ଦଳ’ ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ହାରିବା ପରେ ପାକିସ୍ତାନୀ ଡ୍ରେସିଂ ରୁମ୍ ଏବେ ଏକ ‘ଯୁଦ୍ଧକ୍ଷେତ୍ର’ରେ ପରିଣତ ହୋଇଛି ।
ପାକିସ୍ତାନ ଟେଷ୍ଟ ଅଧିନାୟକ ଶାନ୍ ମସୁଦ ଏବଂ ଦଳର ପ୍ରମୁଖ ଦ୍ରୁତ ବୋଲର ଶାହୀନ ଶାହ ଆଫ୍ରିଦିଙ୍କ ମଧ୍ୟରେ ସମ୍ପର୍କ ଏବେ ଚରମ ତିକ୍ତତାକୁ ଛୁଇଁଛି । ମ୍ୟାଚ୍ ଶେଷ ହେବା ପରେ ଡ୍ରେସିଂ ରୁମରେ ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା । ଅଧିନାୟକ ମସୁଦ ବୋଲରମାନଙ୍କ ଉପରେ ବର୍ଷିବା ସହ ଅଭିଯୋଗ କରିଥିଲେ ଯେ, ଶାହୀନଙ୍କ ବୋଲିଂରେ ପୂର୍ବ ଭଳି ଗତି ନାହିଁ ଏବଂ ସେ ସଠିକ୍ ଲାଇନ ଲେନ୍ଥରେ ବୋଲିଂ କରିବାରେ ବିଫଳ ହେଉଛନ୍ତି।
ତେବେ ଶାହୀନ ଆଫ୍ରିଦି ମଧ୍ୟ ଏହାର କଡ଼ା ଜବାବ ଦେଇଥିଲେ । ସେ ସିଧାସଳଖ ବ୍ୟାଟରମାନଙ୍କୁ ଦାୟୀ କରି କହିଥିଲେ ଯେ, ଯଦି ବ୍ୟାଟିଂ ୟୁନିଟ୍ ବଡ଼ ସ୍କୋର କରିବାରେ ବିଫଳ ହେବ, ତେବେ ବୋଲରଙ୍କ ଉପରେ ଚାପ ପଡ଼ିବା ସ୍ୱାଭାବିକ। ଏପରିକି ସେ ମସୁଦଙ୍କ ନିଜସ୍ୱ ଫର୍ମକୁ ନେଇ କଟାକ୍ଷ କରିବାକୁ ପଛାଇ ନଥିଲେ। ସୂଚନାଯୋଗ୍ୟ ଯେ, ମସୁଦ ଏହି ମ୍ୟାଚରେ ମାତ୍ର ୯ ଏବଂ ୨ ରନ୍ କରିଥିଲେ । ଦଳର ସବୁଠାରୁ ବଡ଼ ଦୁର୍ବଳତା ଥିଲା ଯେ, ପ୍ରଥମ ଇନିଂସରେ ୫ ୱିକେଟରେ ୩୪୯ ରନ୍ କରିବା ସତ୍ତ୍ୱେ ପାକିସ୍ତାନ ମାତ୍ର ୩୬୮ ରନରେ ସୀମିତ ରହିଯାଇଥିଲା।
ଅଧିକ ପଢ଼ନ୍ତୁ…କିଏ ଏହି ‘ମିଷ୍ଟ୍ରି ମ୍ୟାନ୍’ ? ରାମାୟଣରେ ଆସିଥିଲେ ନଜର,୩୦ ବର୍ଷ ପରେ ହେଉଛି ଚର୍ଚ୍ଚା
ଏହି ପରାଜୟ ପରେ ପାକିସ୍ତାନକୁ ଆଉ ଏକ ଶକ୍ତ ଝଟକା ଲାଗିଛି । ‘ସ୍ଲୋ ଓଭର ରେଟ୍’ କାରଣରୁ ଆଇସିସି ପାକିସ୍ତାନର ୮ଟି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ପଏଣ୍ଟ କାଟି ଦେଇଛି। ଏହି ପେନାଲ୍ଟି ପରେ ପାକିସ୍ତାନ ପଏଣ୍ଟ ଟେବୁଲର ଅଷ୍ଟମ ସ୍ଥାନକୁ ଖସି ଆସିଛି। ଏହାଫଳରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ୍ ଖେଳିବାର ସ୍ୱପ୍ନ ଏବେ ପାକିସ୍ତାନ ପାଇଁ ପ୍ରାୟତଃ ଶେଷ ହୋଇଯାଇଛି ।
ଖାଲି ସେତିକି ନୁହେଁ, ଦଳର ଅନ୍ୟତମ ଅଭିଜ୍ଞ ଖେଳାଳି ମହମ୍ମଦ ରିଜୱାନଙ୍କୁ ମଧ୍ୟ କୋଚିଂ ଷ୍ଟାଫଙ୍କ ସମାଲୋଚନାର ଶିକାର ହେବାକୁ ପଡ଼ିଛି । ମ୍ୟାଚର ଗୁରୁତ୍ୱପୂର୍ଣ୍ଣ ସମୟରେ ରଣନୀତିଗତ ଭୁଲ୍ ପାଇଁ ତାଙ୍କ ଉପରେ ଅସନ୍ତୋଷ ପ୍ରକାଶ କରାଯାଇଛି।
ପାକିସ୍ତାନ କ୍ରିକେଟରେ ବ୍ୟକ୍ତିଗତ ଅହଂକାର ଏବଂ ପରସ୍ପରକୁ ଦୋଷାରୋପ କରିବାର ଏହି ପୁରୁଣା ଅଭ୍ୟାସ ଦଳକୁ ଅଧଃପତନ ଆଡ଼କୁ ନେଇଯାଉଛି । ବାଂଲାଦେଶ ବିପକ୍ଷରେ କ୍ରମାଗତ ତୃତୀୟ ଟେଷ୍ଟ ପରାଜୟ ପାକିସ୍ତାନ କ୍ରିକେଟର ଦୁର୍ବଳ ସ୍ଥିତିକୁ ଦର୍ଶାଉଛି । ଯଦି ଏହି ‘ଶୀତଳ ଯୁଦ୍ଧ’ ଏବଂ ଅନ୍ତଃକନ୍ଦଳ ଶୀଘ୍ର ବନ୍ଦ ନହୁଏ, ତେବେ ଆଗାମୀ ଦିନରେ ପାକିସ୍ତାନ ଦଳ ବିଶ୍ୱ କ୍ରିକେଟର ମାନଚିତ୍ରରୁ ଆହୁରି ତଳକୁ ଖସିଯିବା ନିଶ୍ଚିତ ।
English 































































































































































































































































































































































































































































































































































































































































































































































































































































