#Local

ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ମାମଲାଏନ୍‌ଟିଏ ଆଭ୍ୟନ୍ତରୀଣ ସୂତ୍ରରୁ ପେପର୍‌ ଲିକ୍‌: ସିବିଆଇ

କନକ ବ୍ୟୁରୋ: ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍‌ ମାମଲାରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ)ର ଆଭ୍ୟନ୍ତରୀଣ ସୂତ୍ର ସାମିଲ ଥିବା ଗୁରୁବାର ସିବିଆଇ ଦିଲ୍ଲୀର ରାଉଜ୍‌ ଆଭେନ୍ୟୁ କୋର୍ଟରେ କହିଛି। ସିବିଆଇର ଏହି ଦାବିକୁ କୋର୍ଟ ତାଙ୍କ ରାୟରେ ରେକର୍ଡ଼ କରିଛନ୍ତି । ପ୍ରଶ୍ନପତ୍ର ଲିକ୍‌ରେ ସାମିଲ ଥିବା ଏନ୍‌ଟିଏ ଅଧିକାରୀ ଓ ଅନ୍ୟ ସରକାରୀ କର୍ମଚାରୀଙ୍କୁ ଚିହ୍ନଟ କରିବାକୁ ତଦନ୍ତକାରୀ ସଂସ୍ଥା କାର୍ଯ୍ୟ କରୁଛି । ଚଳିତ ବର୍ଷ ନିଟ୍ ପରୀକ୍ଷା ମେ ୩ ତାରିଖରେ ହୋଇଥିବାବେଳେ ଏହାର ୯ ଦିନ ପରେ ଅର୍ଥାତ୍‌ ମେ ୧୨ ତାରିଖରେ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଜଣାପଡ଼ିବା ପରେ ବାତିଲ କରିଦିଆଯାଇଥିଲା। ୫୫୧ ସହରରେ ୨୨ ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଚଳିତ ବର୍ଷ ନିଟ୍‌ ପରୀକ୍ଷା ଦେଇଥିଲେ ।

ଅଧିକ ପଢନ୍ତୁ: ନିଟ୍ ପ୍ରଶ୍ନପତ୍ର ଲିକକୁ ନେଇ ସାରା ଦେଶରେ ଛାତ୍ର ଅଶାନ୍ତି, ସବୁଠି ବିକ୍ଷୋଭ, ସୁପ୍ରିମକୋଟରେ ପହଂଚିଲା ମାମଲା

 ସିବିଆଇର ରିମାଣ୍ଡ ଆବେଦନ ଅନୁସାରେ, ପରୀକ୍ଷାର ଚାରି ଦିନ ପୂର୍ବରୁ ଏପ୍ରିଲ ୨୯ ତାରିଖରେ ଟେଲିଗ୍ରାମରେ ୫୦୦-୬୦୦ ପ୍ରଶ୍ନ ସମ୍ବଳିତ ଏକ ପିଡିଏଫ୍‌ ସେୟାର ହୋଇଥିଲା, ଯେଉଁଥିରୁ ୧୮୦ଟି ପ୍ରଶ୍ନ ଏଥର ନିଟ୍‌ ପରୀକ୍ଷାରେ ଆସିଥିବା ପ୍ରଶ୍ନ ସହିତ ପୂରାପୂରି ସମାନ ଥିଲା। ରାଉଜ୍ ଆଭେନ୍ୟୁ କୋର୍ଟର ସ୍ୱତନ୍ତ୍ର ବିଚାରପତି (ସିବିଆଇ) ଅଜୟ କୁମାର ଗୁପ୍ତା ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ସାତ ଦିନିଆ ସିବିଆଇ ହେପାଜତକୁ ପଠାଇ ଦେଇଛନ୍ତି। କୋର୍ଟ ତାଙ୍କ ରାୟରେ କହିଥିଲେ ଯେ, ଅଭିଯୁକ୍ତ ଶୁଭମ୍ ଖୈରନାର୍ ପୁଣେର ଅନ୍ୟ ଜଣେ ବ୍ୟକ୍ତିଙ୍କଠାରୁ ଉକ୍ତ ପ୍ରଶ୍ନପତ୍ର ପାଇଥିଲେ, ଯାହା ତାଙ୍କୁ ଏନ୍‌ଟିଏ ସୂତ୍ରରୁ ମିଳିଥିଲା ବୋଲି ସିବିଆଇ ଉଲ୍ଲେଖ କରିଛି। ପୁଣେର ଉକ୍ତ ବ୍ୟକ୍ତିଙ୍କ ନାମ ପ୍ରକାଶ କରାଯାଇ ନାହିଁ। ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ପଛରେ ବଡ଼ ଷଡ଼ଯନ୍ତ୍ର ରହିଛି ।

ଜୟପୁରର ମାଙ୍ଗିଲାଲ ଖାଟିକ୍‌, ବିକାଶ ବିୱାଲ ଓ ଦିନେଶ ବିୱାଲ ଓ ନାସିକ୍‌ର ଖୈନାର୍‌। ଗୁରୁବାର ଅହଲ୍ୟାନଗରରୁ ଧନଞ୍ଜୟ ଲୋଖାଣ୍ଡା ଓ ପୁଣେର ମନିଷା ୱାଘମାରେଙ୍କୁ ସିବିଆଇ ଗିରଫ କରିଥିଲା । ସିବିଆଇ ଗତ ୨୪ ଘଣ୍ଟା ମଧ୍ୟରେ ୧୪ଟି ସ୍ଥାନରେ ଚଢଉ କରିଛି, ଅଭିଯୁକ୍ତଙ୍କଠାରୁ ଅପରାଧିକ ଚାଟ୍, ଲିକ୍ ପ୍ରଶ୍ନପତ୍ର ଓ ମୋବାଇଲ୍ ଫୋନ୍ ସମେତ ଡିଜିଟାଲ୍ ପ୍ରମାଣ ଉଦ୍ଧାର କରିଛି। ଡିଲିଟ ହୋଇଥିବା କିଛି ତଥ୍ୟ ପାଇଁ ଫୋରେନ୍ସିକ ପରୀକ୍ଷା ଆବଶ୍ୟକ। ଏକ ସିବିଆଇ ଦଳ ମଧ୍ୟ ଡକ୍ୟୁମେଣ୍ଟ ସଂଗ୍ରହ ପାଇଁ ଦିଲ୍ଲୀର ଏନ୍‌ଟିଏ ମୁଖ୍ୟାଳୟ ପରିଦର୍ଶନ କରିଛି। ବର୍ତ୍ତମାନ ଅନ୍ୟ ଅନେକ ସନ୍ଦିଗ୍ଧଙ୍କୁ ଯାଞ୍ଚ କରାଯାଉଛି ବୋଲି ସିବିଆଇ ମୁଖପାତ୍ର କହିଛନ୍ତି।

Leave a comment

Your email address will not be published. Required fields are marked *