୨ ବର୍ଷ ପୂର୍ତ୍ତି ପାଳନ କରିବେ ମୋହନ ସରକାର; ମନ୍ତ୍ରୀଙ୍କୁ ରିପୋର୍ଟ କାର୍ଡ ମାଗିଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ହଠାତ୍ ୫ ମନ୍ତ୍ରୀଙ୍କୁ ଡାକି ବିଜେପି ସରକାରଙ୍କ ୨ ବର୍ଷର ପୂର୍ତ୍ତି ପାଳନ ପାଇଁ ସଜବାଜ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମନ୍ତ୍ରୀଙ୍କୁ ରିପୋର୍ଟ କାର୍ଡ ମାଗିଛନ୍ତି ମୁଖ୍ୟମନ୍ତ୍ରୀ । ଉତ୍ସବ ପାଳନ ନୁହେଁ ଉପଲବ୍ଧି କଣ ହାସଲ କରିଛ ତାହାର ହିସାବ ରାଜ୍ୟବାସୀଙ୍କ ସାମ୍ନାରେ ରଖିବାକୁ ଦେଇଛନ୍ତି ନିର୍ଦ୍ଦେଶ । ୧୦ ଦିନ ଧରି ପାଳନ ହେବାକୁ ଥିବା ପୂର୍ତ୍ତି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହେବା ନେଇ ସଂକେତ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ।
ଜୁନ୍ ୧୨..ମୋହନ ସରକାରକୁ ପୁରିବ ୨ ବର୍ଷ । ଏହି ଅବଧିରେ ସରକାରଙ୍କ ଉପଲବ୍ଧି ଲୋକଙ୍କ ପାଖରେ ପହଞ୍ଚାଇବାକୁ ପାଳନ ହେବ ୨ ବର୍ଷ ପୂର୍ତ୍ତି ଉତ୍ସବ । ଦେଶ ସଙ୍କଟମୟ ପରିସ୍ଥିତି ଦେଇ ଗତି କରୁଥିବାରୁ ଉତ୍ସବକୁ ନିରାଡମ୍ବର ଭାବେ ପାଳିବାକୁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ । ଆସନ୍ତା ଜୁନ୍ ୧୨ରୁ ୨୧ ଯାଏଁ ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରରେ ପାଳନ ହେବ ପୂର୍ତ୍ତି ଉତ୍ସବ । ବିଭିନ୍ନ ବିଭାଗର ସଫଳତା ସହ ଶକ୍ତି ଓଡ଼ିଶା, ସମୃଦ୍ଧ କୃଷି ଓଡ଼ିଶା, ସୁସ୍ଥ ଓଡ଼ିଶା, ନିର୍ମାଣ ଓଡ଼ିଶା, ଉତ୍କର୍ଷ ଓଡ଼ିଶା, ଜନଶକ୍ତି ଓଡ଼ିଶା ଏବଂ କୌଶଳ ଓଡ଼ିଶା ଥିମ୍ରେ କାର୍ଯ୍ୟକ୍ରମ ହେବ । ଏଥିସହିତ ୨୦୨୬ରୁ ୨୦୩୬ ପର୍ଯ୍ୟନ୍ତ ସରକାରଙ୍କ ଲକ୍ଷ୍ୟ ଏବଂ ଆଭିମୁଖ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ରହିବ । ଏହାସହ ମନ୍ତ୍ରୀ ମାନଙ୍କୁ ରିପୋର୍ଟ କାର୍ଡ ମାଗିଛନ୍ତି ମୁଖ୍ୟମନ୍ତ୍ରୀ । ୨ ବର୍ଷରେ ନିଜ ନିଜ ବିଭାଗର ସଫଳତା ରାଜ୍ୟବାସୀଙ୍କ ସାମ୍ନାରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଅଧିକ ପଢ଼ନ୍ତୁ : ମହଙ୍ଗାମାଡ଼ରେ ମଧ୍ୟବିତ୍ତ ଚେପା; ହାଣ୍ଡିଶାଳକୁ ଲାଗିଛି ହର୍ମୁଜ୍ ଝଟକା
ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ୟ ମୋହନ ସରକାରଙ୍କ ସଫଳତାର ସାକ୍ଷୀ ସାଜିପାରନ୍ତି ପ୍ରଧାନମନ୍ତ୍ରୀ । ବିଜେପି ସରକାରର ୨ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏନେଇ ଖୁବଶୀଘ୍ର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅବଗତ କରାଯିବ । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ ପରେ ସୂଚନା ଦେଇଛନ୍ତି ମୋହନଙ୍କ କ୍ୟାବିନେଟ ସହଯୋଗୀ ।
ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ରିପୋର୍ଟ ମାଗିବା ପରେ ପାୱାର କରିଡରରେ ହଲଚଲ ଆରମ୍ଭ ହୋଇଛି । ଚର୍ଚ୍ଚା ହେଉଛି, ପ୍ରଦର୍ଶନ ଓ ଦକ୍ଷତା ଆଧାରରେ ମିଳିପାରେ ପୁରସ୍କାର । ରିପୋର୍ଟ ସମୀକ୍ଷା ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବା ନେଇ ଯଥେଷ୍ଟ ସମ୍ଭାବନା ରହିଛି । କାରଣ ଏବେ ବି ମୋହନଙ୍କ କ୍ୟାବିନେଟ୍ରେ ଫାଙ୍କା ପଡ଼ିଛି ୬ ମନ୍ତ୍ରୀ ପଦ ।
English 


































































































































































































































