ନେତା ଓ ମାଫିଆଙ୍କ ଟାର୍ଗେଟରେ ଅଫିସର; ଚର୍ଚ୍ଚାରେ ବିଜେପି ନେତା ଅରିନ୍ଦମ ରାୟଙ୍କ ଧମକ ଭିଡିଓ

କନକ ବ୍ୟୁରୋ : କଥା କଥାକେ ସରକାରୀ ଅଧିକାରୀଙ୍କୁ ଦୁର୍ବ୍ୟବହାର, ଆକ୍ରମଣ । ବ୍ଳକ ଅଫିସ୍ରେ ବିଜେପି ନେତା ଅରିନ୍ଦମ ରାୟଙ୍କ ହଙ୍ଗାମାକୁ ନେଇ ସବୁଠି ଚର୍ଚ୍ଚା । ଏହାରି ଭିତରେ ବାଲେଶ୍ୱର ଖଇରାରୁ ଜୁନିୟର ମାଇନିଂ ଅଧିକାରୀଙ୍କୁ ଆକ୍ରମଣର ଖବର ଆସିଛି । ଏହି ଦୁଇଟି ଘଟଣା ନୁହେଁ ନିକଟରେ ଅନେକ ସମୟରେ ଆକ୍ରମଣ ଓ ଦୁର୍ବ୍ୟବହାରର ଶିକାର ହୋଇଛନ୍ତି ଅଧିକାରୀ ।
ଗତ କିଛି ଦିନ ହେଲା ରାଜ୍ୟର ବଢ଼ି ଯାଇଛି ଅଧିକାରୀଙ୍କ ଉପରେ ଆକ୍ରୋଶ । ନେତା ହୁଅନ୍ତୁ କି ମାଫିଆ ସମସ୍ତଙ୍କ ଆକ୍ରୋଶର ଶିକାର ହେଉଛନ୍ତି ତହସିଲଦାରଙ୍କଠାରୁ ଆରମ୍ଭ କରି ଖଣି ଅଧିକକାରୀ, ବିଡିଓ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏମିତି କିଛି ଦୃଶ୍ୟ । ପଞ୍ଚାୟତ ସମିତି ବୈଠକକୁ ‘ଆତ୍ମା’ ଅଧ୍ୟକ୍ଷକଙ୍କୁ ଡକାନଯିବାକୁ ନେଇ ଅଭିନେତାରୁ ନେତା ବନିଥିବା ଅରିନ୍ଦମ ରାୟଙ୍କ ରାଗ ପଞ୍ଚମକୁ ଉଠି ଯାଇଛି । ଫିଲ୍ମ ଷ୍ଟାଇଲରେ ଟାଙ୍ଗୀ-ଚୌଦ୍ୱାର ବ୍ଲକରେ ବିଜେପି ନେତାଙ୍କ ସହ ଯାଇ ଅଫିସ ଭିତରେ କରିଛନ୍ତି ହଙ୍ଗାମା । ପୁଲିସ ଉପସ୍ଥିତିରେ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଛନ୍ତି । ଚୌଦ୍ୱାର ଏସ୍ଡିପିଓ, ଟାଙ୍ଗୀ ଥାନା ଭାରପ୍ରାପ୍ତ ଅଧିକାରୀ ଓ ମହିଳା ପୁଲିସ ଉପସ୍ଥିତ ଥିଲେ ବି କରିନଥିଲେ ଖାତିର । ଚୁପ୍ ହୋଇ ନବସି ଆଙ୍ଗୁଠି ଦେଖାଇ ଗାଳିଗୁଲଜ କରିଥିଲେ । ଏହି ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ଘଟଣାକୁ ନେଇ ଜିଲ୍ଲାପାଳ ଓ ପିଡିଙ୍କ ନିକଟରେ ଅଭିଯୋଗ କରିଛନ୍ତି ଏବିଡିଓଙ୍କ ସହ କିଛି ଅଧିକାରୀ ।
ଅଧିକ ପଢ଼ନ୍ତୁ : ଖଣି କମ୍ପାନୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍; ବିସ୍ଥାପିତଙ୍କ ସାମାଜିକ ଓ ଅର୍ଥନୀତି ପ୍ରତି ଧ୍ୟାନ ଦିଅ
ବାଲେଶ୍ୱର ଖଇରାରେ ଜୁନିୟର ମାଇନିଂ ଅଧିକାରୀଙ୍କୁ ଆକ୍ରମଣ । ଗାଡ଼ିର କାଚ ଭାଙ୍ଗିଦେଲେ ମୋରମ୍ ମାଫିଆ । ରାତିରେ ମୋରମ ଚୋରା ଚାଲାଣ ଖବର ପାଇ ୨ଜଣ ପୋଲିସ୍ କର୍ମଚାରୀଙ୍କୁ ନେଇ ପେଟ୍ରୋଲିଂରେ ଯାଇଥିଲେ । ଏହି ସମୟରେ କାର ଓ ବାଇକରେ ମୋରମ ମାଫିଆ ଆସି ଗାଡିକୁ ପଥର ଫିଙ୍ଗିଥିଲେ । ଏହି ଗୋଟିଏ ଘଟଣା ନୁହଁ ନିକଟରେ ଅନେକ ସମୟରେ ମାଫିଆଙ୍କ ଆକ୍ରମଣର ଶିକାର ହୋଇଛନ୍ତି ସରକାରୀ ଅଧିକାରୀ । ନିକଟରେ ପିପିଲିରେ ଖଣି ଅଧିକାରୀଙ୍କ ଉପରକୁ ପଥରମାଡ଼ ହୋଇଥିଲା । ସୋରରେ ବେଆଇନ ବାଲି ବୋଝେଇ ଟ୍ରକ୍ ଜବତ ବେଳେ ଅତିରିକ୍ତ ତହସିଲଦାରଙ୍କୁ ମରଣାନ୍ତକ ଆକ୍ରମଣ । ସୁବର୍ଣ୍ଣରେଖା ନଦୀପଠାରୁ ବାଲି ଚୋରି ରୋକିବାକୁ ଯାଇ ଆକ୍ରମଣର ଶିକାର ହୋଇଥିଲେ ମହିଳା ଆର୍ଆଇ । ବେଆଇନ ମାଟି ଖନନ ଉପରେ ଚଢ଼ାଉ କରିବାକୁ ଯାଇଥିବା ବ୍ୟାସନଗର ତହସିଲଦାରଙ୍କ ଉପରକୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ କରାଯାଇଥିଲା ।
ଏଠି ପ୍ରଶ୍ନ ଉଠୁଛି କାର୍ଯ୍ୟସ୍ଥଳରେ ସରକାରୀ କର୍ମଚାରୀଙ୍କୁ କାହିଁକି ହେଉଛି ଆକ୍ରମଣ ? ଅଧିକାରୀଙ୍କ ଉପରେ ଏତେ ରାଗ କାହିଁକି ? କାହିଁକି କଥା କଥାକେ ହେଉଛି ଆକ୍ରମଣ ? ଅଫିସରେ ପଶି ହଙ୍ଗାମା କରିବାକୁ ନେତାଙ୍କୁ କିଏ ଦେଇଛି ଅଧିକାର ? ମାଫିଆଙ୍କ ବିରୋଧରେ କାହିଁକି ହେଉନି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ?
English 









































































































































































































































































































































































































































































































































































































































































































































