ଚେଜ୍ ମାଷ୍ଟର କୋହଲିଙ୍କ କୀର୍ତ୍ତିମାନ; ଜୋସ୍ ବଟଲର୍ଙ୍କ ରେକର୍ଡର ହେଲେ ସମକକ୍ଷ

କନକ ବ୍ୟୁରୋ : ବୁଧବାରର କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚ୍ରେ ୧୦୫* ରନ୍ (୬୦ ବଲ୍, ୧୧ ଚୌକା, ୩ ଛକା) ପାଳି ଖେଳି ରୟାଲ୍ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି)ର କିଂବଦନ୍ତୀ ବ୍ୟାଟର୍ ବିରାଟ କୋହଲି ଆଇପିଏଲ୍ ଇତିହାସରେ ବ୍ୟକ୍ତିଗତ ସଫଳତାର ଆଉ ଏକ ମାଇଲ୍ଖୁଣ୍ଟ ଯୋଡ଼ିଛନ୍ତି । ଏହି ବିସ୍ଫୋରକ ପାଳି ବଳରେ ଆଇପିଏଲ୍ର ସଫଳ ରନ୍ ଚେଜିଂ ବିଜୟରେ ଜୋସ୍ ବଟଲର୍ଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି । ଉଭୟ ବଟଲର୍ ଓ କୋହଲି ନିଜନିଜ ଦଳର ସଫଳ ରନ୍ ଚେଜିଂ ବିଜୟରେ ତିନୋଟି ଲେଖାଏଁ ଶତକ ଅର୍ଜନ କରିଛନ୍ତି ।
ଅଧିକ ପଢ଼ନ୍ତୁ : ତିଲକଙ୍କ ଗୋଟିଏ ବୋକାମି : ଏମଆଇକୁ କଲା ପ୍ଲେଅଫରୁ ଆଉଟ୍ , କ’ଣ ଥିଲା ମ୍ୟାଚର ବଡ଼ ଟର୍ଣ୍ଣିଂ ପଏଣ୍ଟ୍ ?
ମୋଟ ରନ୍ ଚେଜିଂରେ କିନ୍ତୁ ବଟଲର୍ଙ୍କଠାରୁ କୋହଲି ଯଥେଷ୍ଟ ଆଗରେ ରହିଛନ୍ତି । ଆର୍ସିବି ପକ୍ଷରୁ ସେ ଖେଳିଥିବା ୧୩୮ ମ୍ୟାଚ୍ର ୧୩୧ ପାଳିରେ ୪୨.୪୨ର ବ୍ୟାଟିଂ ହାର ଓ ୧୩୬.୪୨ର ଷ୍ଟ୍ରାଇକ୍ ରେଟ୍ ସହ ମୋଟ ଉପରେ ୪,୨୮୫ ରନ୍ କରିଛନ୍ତି । ସେଥିମଧ୍ୟରେ ରହିଛି ତିନିଟି ଶତକ ଏବଂ ୨୯ ଅର୍ଦ୍ଧଶତକ । ତାଙ୍କର ବ୍ୟକ୍ତିଗତ ସର୍ବୋଚ୍ଚ ରନ୍ ହେଉଛି ୧୦୮* । ସଫଳ ରନ୍ ଚେଜିଂ ବେଳେ ଏହି ମହାନ ବ୍ୟାଟର୍ ୭୬ ମ୍ୟାଚ୍ର ୭୦ ପାଳିରୁ ୬୩.୨୭ ବ୍ୟାଟିଂ ହାର ଓ ୧୪୨.୬୯ର ଷ୍ଟ୍ରାଇକ୍ ରେଟ୍ ସହ ୨୭୮୪ ରନ୍ କରିଛନ୍ତି । ସେଥିମଧ୍ୟରେ ଅଛି ତିନିଟି ଶତକ ଓ ୨୦ ଅର୍ଦ୍ଧଶତକ ।
କୋହଲି ମଧ୍ୟ ଏହି ମ୍ୟାଚ୍ରେ ଅନ୍ୟତମ ଭାରତୀୟ କିଂବଦନ୍ତୀ ରୋହିତ ଶର୍ମାଙ୍କ ସର୍ବାଧିକ ‘ମ୍ୟାଚ୍ ଶ୍ରେଷ୍ଠ’ ପୁରସ୍କାର ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ଉଭୟ ଏବେ ୨୧ଟି ଲେଖାଏଁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରି ସମାନ ସ୍ତରରେ ରହିଛନ୍ତି । ବୁଧବାରର ଶତକୀୟ ପାଳି ସହ କୋହଲି ବି ଚଳିତ ଆଇପିଏଲ୍ର ସର୍ବାଧିକ ରନ୍ କରିଥିବା ବ୍ୟାଟର୍ଙ୍କ ମଧ୍ୟରେ ତୃତୀୟ ସ୍ଥାନକୁ ଲମ୍ଫ ମାରିଛନ୍ତି । ଚଳିତ ଋତୁରେ ୧୨ ମ୍ୟାଚ୍ ଖେଳି ୫୩.୭୭ ହାର ଓ ୧୬୫.୭୫ର ଷ୍ଟ୍ରାଇକ୍ ରେଟ୍ ସହ ୪୮୪ ରନ୍ କରିଛନ୍ତି । ଇତିମଧ୍ୟରେ ସେ ଗୋଟିଏ ଶତକ ଓ ତିନିଟି ଅର୍ଦ୍ଧଶତକ ହାସଲ କରିଛନ୍ତି ।
English 



































































































































































































