#Local

ଛାତ୍ରନେତାରୁ କେରଳମ୍ ମୁଖ୍ୟମନ୍ତ୍ରୀ, ଜୀବନରେ ଥରେ ହାରିଛନ୍ତି ନିର୍ବାଚନ

କନକ ବ୍ୟୁରୋ: କେରଳମ୍ ରାଜନୀତିରେ ବଡ଼ ଓଲଟପାଲଟ ହୋଇଛି । ବାମପନ୍ଥୀଙ୍କ ଦୁର୍ଗ ଭାଙ୍ଗି କେରମର ୧୩ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି କଂଗ୍ରେସର ସଙ୍କଟମୋଚକ ଭି.ଡି ସତୀଶନ । ଦିନେ ଯେଉଁ ନେତାଙ୍କୁ ପ୍ରାଶାସନିକ ଅଭିଜ୍ଞତା ନାହିଁ ବୋଲି କହି ବିରୋଧୀ ଚୁପ୍ କରାଇବାକୁ ଚେଷ୍ଟା କରୁଥିଲେ, ଆଜି ସେହି ନେତା କେରଳ ଶାସନର ମଙ୍ଗ ଧରିଛନ୍ତି ।

୩୧ ମେ ୧୯୬୪ରେ କୋଚିର ନେଟ୍ଟୁରଠାରେ ଜନ୍ମିତ ବାଦାସେରୀ ଦାମୋଦରନ ସତୀଶନ ଓରଫ୍ ଭି.ଡି ସତୀଶନ କୌଣସି ବଡ଼ ରାଜନୈତିକ ପରିବାରରୁ ଆସିନାହାନ୍ତି । କେରଳ ଛାତ୍ର ସଂଘରୁ ଜଣେ ସାଧାରଣ କର୍ମୀ ଭାବେ କ୍ୟାରିୟର ଆରମ୍ଭ କରି ସେ ମହାତ୍ମା ଗାନ୍ଧୀ ୟୁନିଭର୍ସିଟିର କଲେଜ ସଭାପତି ହୋଇଥିଲେ । ପେସାରେ ଜଣେ ଦକ୍ଷ ଓକିଲ ସତୀଶନ ହାଇକୋର୍ଟରେ ମଧ୍ୟ ଓକିଲାତି କରୁଥିଲେ । ହେଲେ ତାଙ୍କ ପାଇଁ ରାଜନୀତିର ରାସ୍ତା ସହଜ ନଥିଲା । ୧୯୯୬ରେ ପ୍ରଥମ ଥର ପାରାଭୁର ଆସନରୁ ବିଧାନସଭା ନିର୍ବାଚନ ଲଢ଼ି ସେ ମାତ୍ର ପ୍ରାୟ ୧୧୦୦ ଭୋଟ୍‌ରେ ହାରିଯାଇଥିଲେ ମଧ୍ୟ ସେ ହାର୍ ମାନିନଥିଲେ । ୨୦୦୧ରେ ପୁଣି ଲଢ଼ିଲେ ଏବଂ ଜିତିଲେ । ସେବେଠାରୁ ଆଜି ଯାଏଁ କ୍ରମାଗତ ୬ ଥର ସେ ଏହି ଆସନରୁ ବିଧାୟକ ହୋଇ କେରଳ କଂଗ୍ରେସର ଅପରାଜେୟ ଚେହେରା ପାଲଟିଛନ୍ତି ।

ସତୀଶନଙ୍କ ଜୀବନର ସବୁଠାରୁ ବଡ଼ ଟର୍ଣ୍ଣିଂ ପଏଣ୍ଟ ଥିଲା ୨୦୨୧ ବର୍ଷ । ଯେତେବେଳେ କଂଗ୍ରେସ ନିର୍ବାଚନ ହାରିଲା, ଦଳ ତାଙ୍କୁ ବିରୋଧୀ ଦଳ ନେତା ବନାଇଲା । ଅନେକ କହିଲେ, ତାଙ୍କର ମନ୍ତ୍ରୀ ହେବାର ଅଭିଜ୍ଞତା ନାହିଁ, ସେ କ’ଣ କରିବେ ? କିନ୍ତୁ ବିଗତ ୫ ବର୍ଷରେ ସେ ନିଜର ତୀକ୍ଷ୍ଣ ଭାଷଣ ଏବଂ ଦୁର୍ନୀତି ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ପାଇଁ ସରକାରଙ୍କ ନାକେଦମ୍ କରିଦେଇଥିଲେ । ପିନାରାଇ ବିଜୟନ ସରକାରଙ୍କୁ ବିଧାନସଭା ଭିତରେ ଘେରିବାରେ ସେ ସିଦ୍ଧହସ୍ତ ଥିଲେ । ଆଉ ଶେଷରେ ଆସିଲା ୨୦୨୬ ନିର୍ବାଚନ । ସତୀଶନଙ୍କ ରଣନୀତି ଏବଂ ପରିଶ୍ରମ ବଳରେ କଂଗ୍ରେସ ମେଣ୍ଟ (UDF) ୧୪୦ରୁ ୧୦୨ଟି ଆସନ ଜିତି କେରଳରେ ଦୀର୍ଘ ୧୦ ବର୍ଷର ବାମପନ୍ଥୀ ଶାସନର ଅନ୍ତ ଘଟାଇଲା । ଯାହାଫଳରେ ଏବେ ହାଇକମାଣ୍ଡ କେରଳର ମଙ୍ଗ ତାଙ୍କ ହାତରେ ଧରାଇଦେଇଛନ୍ତି ।

ରାଜନୀତି ବ୍ୟତୀତ ସତୀଶନ ଜଣେ ପ୍ରକୃତି ପ୍ରେମୀ ଏବଂ ବହି ପଢ଼ିବାକୁ ଭଲ ପାଉଥିବା ବ୍ୟକ୍ତି । ତାଙ୍କ ନିର୍ବାଚନ ସତ୍ୟପାଠ ଅନୁସାରେ, ସେ ଏବଂ ତାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ପ୍ରାୟ ୬.୬୯ କୋଟି ଟଙ୍କାର ସମ୍ପତ୍ତିର ମାଲିକ । ଏଥିସହ ସେୟାର ମାର୍କେଟରେ ମଧ୍ୟ ତାଙ୍କର ନିବେଶ ରହିଛି । ଜଣେ ସାଧାରଣ ଛାତ୍ର ନେତାରୁ କେରଳର ମୁଖ୍ୟମନ୍ତ୍ରୀ ଆସନରେ ବସିବା ପର୍ଯ୍ୟନ୍ତ ଭି.ଡି ସତୀଶନଙ୍କ ଏହି କାହାଣୀ ଅନେକ ଯୁବନେତାଙ୍କ ପାଇଁ ପ୍ରେରଣା । 

Leave a comment

Your email address will not be published. Required fields are marked *