ମାଲଦ୍ବୀପରେ ପାଣି ଭିତରେ ଗୁମ୍ଫା ଖୋଜୁଥିବା ୫ ଇଟାଲି ସ୍କୁବା ଡାଇଭରଙ୍କ ମୃତ୍ୟୁ

କନକବ୍ୟୁରୋ : ମାଲଦ୍ବୀପରେ ସ୍କୁବା ଡାଇଭିଂବେଳେ ଗୁମ୍ଫା ସନ୍ଧାନ କରୁଥିବା ୫ ଜଣ ଇଟାଲି ଡାଇଭରଙ୍କ ମୃତ୍ୟୁ ଘଟିଛି। ଇଟାଲିର ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଗୁରୁବାର ୫ ଜଣ ଯାକ ସ୍କୁବା ଡାଇଭର ୫୦ ମିଟର ଗଭୀରତାରେ ଅବସ୍ଥିତ ଭାଭୁ ଆଟଲରେ ପାଣି ତଳେ ଗୁମ୍ଫା ଅନୁସନ୍ଧାନ କରିବା ପାଇଁ ସେମାନଙ୍କର ଅଭିଯାନ ଆରମ୍ଭ କରିଥିଲେ, କିନ୍ତୁ ସେମାନେ ଆଉ ଫେରି ନଥିଲେ । ମାଲଦ୍ବୀପର ସ୍କୁବା ଡାଇଭିଂ ଇତିହାସରେ ଏହା ସବୁଠୁ ବଡ଼ ଦୁଃଖଦ ଘଟଣା । ଏପର୍ଯ୍ୟନ୍ତ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଖରାପ ପାଣିପାଗ ଯୋଗୁ ଅନ୍ୟ ୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇପାରିନାହିଁ। ପାଞ୍ଚ ଜଣ ସ୍କୁବା ଡାଇଭରଙ୍କ ମୃତ୍ୟୁର କାରଣ ତଦନ୍ତ ହେଉଛି ।
ଶନିବାର ପୁନରୁଦ୍ଧାର କାର୍ଯ୍ୟ ପୁଣି ଆରମ୍ଭ ହେବ ବୋଲି ଆଶା କରାଯାଉଛି। ମୃତକଙ୍କ ମଧ୍ୟରୁ ଚାରି ଜଣ ଜେନୋଆ ବିଶ୍ୱବିଦ୍ୟାଳୟର ପରିବେଶ ବିଜ୍ଞାନୀ ପ୍ରଫେସର ମୋନିକା ମୋଣ୍ଟେଫାଲକୋନ, ତାଙ୍କ ଝିଅ ଓ ଅନ୍ୟ ଦୁଇ ଜଣ ଗବେଷକ ସାମିଲ ଥିଲେ । ସେମାନଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପାଞ୍ଚ ଇଟାଲୀୟ ଡାଇଭର ଗୁରୁବାର ସକାଳେ ପାଣି ଭିତରକୁ ଯାଇଥିଲେ । କିନ୍ତୁ ପରେ ଫେରିନଥିଲେ।
ଯେଉଁ ଡାଇଭିଂ ଜାହାଜରେ ଡାଇଭରମାନେ ଯାଇଥିଲେ ସେମାନେ ନ ଫେରିବାରୁ କ୍ରୁ ସେମାନଙ୍କୁ ନିଖୋଜ ଘୋଷଣା କରିଥିଲେ। ପୁଲିସ ସୂଚନା ଅନୁଯାୟୀ, ଡାଇଭରମାନେ ପାଣି ଭିତରକୁ ଯାଇଥିବାବେଳେ ପାଣିପାଗ ଖରାପ ଥିଲା । ଦୁର୍ଘଟଣା ଘଟିଥିବା ଉକ୍ତ ସ୍ଥାନ ରାଜଧାନୀ ମାଲେଠାରୁ ୧୦୦ କିମି ଦକ୍ଷିଣରେ ଅବସ୍ଥିତ। ଦୁର୍ଘଟଣାର କାରଣ ଜଣାପଡ଼ିନଥିଲେ ମଧ୍ୟ ଡାଇଭ ମାଷ୍ଟର ମାରିଜିୟୋ ୟୁରାସ୍ କହିଛନ୍ତି, ଅମ୍ଳଜାନର ବିଷାକ୍ତ ପ୍ରଭାବ ଯୋଗୁ ଦୁର୍ଘଟଣା ଘଟିଥାଇପାରେ ।
ଇଟାଲିର ଖବର ସରବରାହ ସଂସ୍ଥା ଏଜିଆଇ କହିଛି ଯେ, ଯଦି ଅମ୍ଳଜାନ ମିଶ୍ରଣ ଠିକ୍ ହୋଇ ନଥାଏ ତେବେ ପାଣିର ଗଭୀରକୁ ଗଲେ ଏହା ବିଷାକ୍ତ ହୋଇଯାଏ। ପାଣିପାଗ ସ୍ଥିତି ମଧ୍ୟ ଗୁରୁତ୍ବପୂର୍ଣ୍ଣ ହୋଇଥାଏ । ଭାରତ ମହାସାଗର ଭୂମଧ୍ୟ ସାଗର ପରି ଶାନ୍ତ ହୋଇ ନଥାଏ। ୟୁରାସ୍ କହିଛନ୍ତି, ଭାରତ ମହାସାଗରରେ ପ୍ରବଳ ସ୍ରୋତ ଥାଏ, ଯାହାକି ଡାଇଭରଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଟାଣି ନେଇପାରେ ।
English 





































































































































































































































































































































































































































































































































































































































