#Local

ପରିବର୍ତ୍ତନ କରିଦେଲା ପତ୍ନୀଙ୍କ ପ୍ରେମ,ଦିନେ ନନଭେଜ୍ ଖାଉଥିବା ବିରାଟ…ଅନୁଷ୍କାଙ୍କ ପ୍ରେମ ପାଇଁ ଛାଡ଼ିଥିଲେ ଆମିଷ

କନକ ବ୍ୟୁରୋ : କ୍ରିକେଟ୍ ପଡ଼ିଆର ‘କିଙ୍ଗ୍’ ବିରାଟ କୋହଲି ଏବଂ ବଲିଉଡର ‘କ୍ୱିନ୍’ ଅନୁଷ୍କା ଶର୍ମା ! କ୍ରିକେଟ୍ ଓ ଗ୍ଲାମର ଦୁନିଆର ଏହି ପାୱାର୍ କପଲ୍ ସାରା ବିଶ୍ୱରେ ସେମାନଙ୍କର ଦମଦାର୍ ଫ୍ୟାନ୍ ଫଲୋଇଙ୍ଗ୍ ପାଇଁ ବେଶ୍ ଜଣାଶୁଣା । କିନ୍ତୁ ଆଜି ଆମେ ଆପଣଙ୍କୁ ସେମାନଙ୍କର କୌଣସି ସିନେମା କିମ୍ବା କ୍ରିକେଟ୍ ରେକର୍ଡ ବିଷୟରେ କହିବୁ ନାହିଁ ବରଂ କହିବୁ ସେମାନଙ୍କ ଜୀବନର ଏକ ବଡ଼ ପରିବର୍ତ୍ତନର କାହାଣୀ । କେଉଁଭଳି ଭାବେ ଅନୁଷ୍କା କିଙ୍ଗ୍ କୋହଲିଙ୍କ ଜୀବନକୁ ଆସି ତାଙ୍କ ଜୀବନକୁ ପୂରା ବଦଳାଇ ଦେଲେ ଏବଂ କେଉଁ ପରିସ୍ଥିତିରେ ବିରାଟ ଆମିଷ ଖାଇବା ସମ୍ପୂର୍ଣ୍ଣ ଛାଡ଼ି ଶାକାହାରୀ ହୋଇଗଲେ ତାହାକୁ ନେଇ ଆସନ୍ତୁ ଜାଣିବା ଆମର ଏହି ସ୍ପେଶାଲ୍ ରିପୋର୍ଟରେ ।

ଆଗକୁ ପଢ଼ନ୍ତୁ : ଦିନେ ସଚ୍ଚିନଙ୍କ ସହ ପଡ଼ିଆରେ ଖେଳୁଥିଲେ, ସାହସ ଭାଙ୍ଗିଦେଲା ବାପା-ମା’ଙ୍କ ବିୟୋଗ;ଡିପ୍ରେସନରେ ଦିନ କାଟୁଛନ୍ତି ସଚ୍ଚିନଙ୍କ ସାଙ୍ଗ

ବିରାଟ ଏବଂ ଅନୁଷ୍କା ପ୍ରାୟତଃ ନିଜ ଜୀବନରେ ଆସିଥିବା ସକାରାତ୍ମକ ପରିବର୍ତ୍ତନର ଶ୍ରେୟ ପରସ୍ପରକୁ ଦେଇଥାନ୍ତି । ଗୋଟିଏ ଇଣ୍ଟରଭ୍ୟୁରେ ବିରାଟ ନିଜେ ସ୍ୱୀକାର କରିଛନ୍ତି ଯେ ଅନୁଷ୍କା ତାଙ୍କୁ ଜୀବନ ବଞ୍ଚିବାର ଏକ ନୂଆ ଦୃଷ୍ଟିଭଙ୍ଗୀ ଦେଇଛନ୍ତି । ଅନୁଷ୍କାଙ୍କୁ ଭେଟିବା ପୂର୍ବରୁ ସେ ଏତେ ସନ୍ତୁଳିତ ବ୍ୟକ୍ତି ନଥିଲେ । ସେ ତାଙ୍କୁ ଜଣେ ଭଲ ମଣିଷ ଭାବେ ଗଢ଼ି ତୋଳିଛନ୍ତି ଏବଂ ଏଥିପାଇଁ ସେ ନିଜକୁ ଅତ୍ୟନ୍ତ ଭାଗ୍ୟବାନ ମନେ କରନ୍ତି । ରିପୋର୍ଟ ଅନୁଯାୟୀ, ଅନୁଷ୍କା ଶର୍ମା ଜୀବମାନଙ୍କ ପ୍ରତି ଥିବା ଭଲପାଇବା ଏବଂ ଆଧ୍ୟାତ୍ମିକ ଚିନ୍ତାଧାରା ଯୋଗୁଁ ୨୦୧୫ ମସିହାରୁ ହିଁ ଶାକାହାରୀ ଜୀବନଶୈଳୀ ଆପଣେଇ ସାରିଥିଲେ । ପରବର୍ତ୍ତୀ ସମୟରେ ବିରାଟ କୋହଲି ମଧ୍ୟ କିଛି ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ନନ୍-ଭେଜ୍ ଖାଇବା ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲେ । ବିରାଟ କହିଛନ୍ତି ଯେ ପଶୁପକ୍ଷୀଙ୍କ ପ୍ରତି ଅନୁଷ୍କାଙ୍କ ଅପାର ପ୍ରେମ ଦେଖିବା ପରେ ତାଙ୍କର ଚିନ୍ତାଧାରା ବଦଳିଗଲା ଏବଂ ସେ ନିଷ୍ପତ୍ତି ନେଲେ ଯେ ସେ ଆଉ କେବେ ମଧ୍ୟ ମାଂସ ଖାଇବେ ନାହିଁ । ଶାକାହାରୀ ହେବା ପରେ ତାଙ୍କର ଫିଟନେସ୍ ଏବଂ ସ୍ୱାସ୍ଥ୍ୟରେ ଅନେକ ସୁଧାର ଆସିଛି, ଯାହାକୁ ସେ ଜୀବନର ସବୁଠାରୁ ଭଲ ନିଷ୍ପତ୍ତି ବୋଲି କହିଛନ୍ତି ।

କେବଳ ଖାଦ୍ୟପେୟ ନୁହେଁ, ବରଂ ଆଧ୍ୟାତ୍ମିକତା କ୍ଷେତ୍ରରେ ମଧ୍ୟ ଏହି ଦମ୍ପତି ଅନେକ ଆଗରେ । ଏହି ଷ୍ଟାର୍ କପଲ୍ ପ୍ରାୟତଃ ବୃନ୍ଦାବନ ଗସ୍ତ କରି ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ଦର୍ଶନ କରିଥାନ୍ତି । ସେମାନେ ପ୍ରେମାନନ୍ଦ ମହାରାଜଙ୍କଠାରୁ ଗୁରୁ ଦୀକ୍ଷା ମଧ୍ୟ ଗ୍ରହଣ କରିଛନ୍ତି । ଏହି କାରଣରୁ ଉଭୟଙ୍କ ବେକରେ ସଦାବେଳେ ତୁଳସୀର କଣ୍ଠି ମାଳା ଶୋଭା ପାଉଥିବାର ଦେଖିବାକୁ ମିଳୁଛି, ଯାହା ସେମାନଙ୍କର ସାଧାସିଧା ଓ ଧାର୍ମିକ ପ୍ରବୃତ୍ତିକୁ ଦର୍ଶାଉଛି । ତେବେ ୨୦୧୭ ମସିହା ଡିସେମ୍ବର ୧୧ ରେ ଇଟାଲୀର ଟସ୍କାନିଠାରେ ବିରାଟ ଏବଂ ଅନୁଷ୍କା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବର୍ତ୍ତମାନ ଏହି ଦମ୍ପତି ଏକ ସୁଖୀ ପରିବାର ଗଢ଼ିବା ସହ ଝିଅ ଭାମିକା ଓ ପୁଅ ଅକାୟଙ୍କ ଲାଳନପାଳନ କରୁଛନ୍ତି । ନିଜ ପରିଶ୍ରମ ବଳରେ ସଫଳତାର ଶୀର୍ଷରେ ପହଞ୍ଚିଥିବା ଏହି କପଲ୍ ଆଜି କୋଟି କୋଟି ଯୁବପିଢ଼ିଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ଷ୍ଟାରଡମର ଦୁନିଆ ଭିତରେ ରହି ମଧ୍ୟ ନିଜ ସଂସ୍କାର, ଆଧ୍ୟାତ୍ମିକତା ଏବଂ ଜୀବଜନ୍ତୁଙ୍କ ପ୍ରତି ଦୟାଭାବ ରଖିବା ପ୍ରକୃତରେ ପ୍ରଶଂସନୀୟ । ବିରାଟ ଏବଂ ଅନୁଷ୍କାଙ୍କ ଏହି ଜୀବନଯାତ୍ରା ପ୍ରମାଣ କରୁଛି ଯେ ସଫଳତା ସହ ସଂସ୍କାର ହିଁ ମଣିଷକୁ ଶ୍ରେଷ୍ଠ କରିଥାଏ । 

Leave a comment

Your email address will not be published. Required fields are marked *