ପିସି ଯାତନାରେ ଛଟପଟ ପୂର୍ବତନ ସରପଞ୍ଚ; ସରକାରଙ୍କୁ ଗୁହାରି କଲେ ‘ମୋତେ ମୃତ୍ୟୁ ଦିଅ’

କନକ ବ୍ୟୁରୋ : ୨୭ ପ୍ରତିଶତ ପିସି ନ ଦେବାରୁ ମିଳିଲା ନାହିଁ ମନେରଗା ଯୋଜନାରେ ହୋଇଥିବା କାମର ୩୧ ଲକ୍ଷ ଟଙ୍କା । ଶେଷରେ ଇଚ୍ଛା ମୃତ୍ୟୁ ମାଗିଥିଲେ ପୂର୍ବତନ ସରପଞ୍ଚ । ସେଥିରେ ବି ସଫଳ ନହେବାରୁ ବିଡିଓ ଏବଂ ଜେଇଙ୍କ ବିରୋଧରେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ସେ ।
ବୟସ ୬୫ ପାର୍..ଭଲରେ ଚାଲିବା ପାଇଁ ବି ଅସମର୍ଥ..ହେଲେ ବାର୍ଦ୍ଧକ୍ୟଠୁ ବଳିଯାଇଛି ବ୍ୟବସ୍ଥା ଦେଉଥିବା ଯନ୍ତ୍ରଣା । ପିସି କାରବାରରେ ଅତିଷ୍ଠ ହୋଇ ଇଚ୍ଛାମୃତ୍ୟୁ ମାଗିଛନ୍ତି ପୂର୍ବତନ ସରପଞ୍ଚ । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍ ଅନ୍ତର୍ଗତ ବେଣାସୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ନିରଞ୍ଜନ ତ୍ରିପାଠୀ । ଅଭିଯୋଗ ଅନୁସାରେ, ୨୦୨୩-୨୪ ଆର୍ଥିକ ବର୍ଷରେ ନରେଗା ଯୋଜନା ଅଧୀନରେ ବାଘବଦ୍ରାରେ ୫ଟି ସ୍କୁଲର ୬ଟି ପ୍ରକଳ୍ପର ଠିକା କାମ କରିଥିଲେ । ସେଥିପାଇଁ ବ୍ଲକ ପ୍ରଶାସନ ତରଫରୁ କାର୍ଯ୍ୟାଦେଶ ଦିଆଯାଇଥିଲା । ଏହି କାମ କରିବା ପାଇଁ ନିଜର ୬ ଏକର ଜମି ବିକି ଦେଇଥିବା କହିଛନ୍ତି ନିରଞ୍ଜନ । କାମ ସରିଲା କିନ୍ତୁ ୩୧ ଲକ୍ଷ ଅନୁଦାନ ଟଙ୍କା ମିଳିଲା ନାହିଁ । ୨୭ ପ୍ରତିଶତ ପିସି ନ ଦେଲେ ଟଙ୍କା ମିଳିବ ନାହିଁ ବୋଲି ବ୍ଲକ ଜେଇ ଓ ଏଇ କହୁଥିବା ସେ ଅଭିଯୋଗ କରିଛନ୍ତି ।
ଅଧିକ ପଢ଼ନ୍ତୁ : ଖରିଫ୍ ଋତୁ ପାଇଁ ବଢ଼ିଲା ଏମ୍ଏସ୍ପି; ଲାଭ ପାଇବେ ତ ଓଡ଼ିଶା ଚାଷୀ ?
ନିରଞ୍ଜନଙ୍କୁ ଆଜି ପର୍ଯ୍ୟନ୍ତ ମିଳିପାରିନି ଠିକା କାମ ବାବଦରେ ଟଙ୍କା । ନିଜ ହକ୍ର ପଇସା ପାଇବା ପାଇଁ ସେ ଏବେ ପ୍ରଶାସନ ବିରୋଧରେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ନାନା ପ୍ରକାରେ ନୟାନ୍ତ ହେବା ପରେ ଇଚ୍ଛାମୃତ୍ୟୁ ପାଇଁ ଜୟପୁର ଉପଜିଳ୍ଳାପାଳ ଓ ସରକାରଙ୍କୁ ଚିଠି ଲେଖିଛନ୍ତି । ତେବେ ଏଥିପାଇଁ ଅନୁମତି ନ ମିଳିବାରୁ ବ୍ଳକ ପ୍ରଶାସନ, ଜେଇ, ଏଇ ଓ ବିଡିଓଙ୍କ ବିରୋଧରେ ଜୟପୁର କୋର୍ଟରେ ଅଭିଯୋଗ କରିଛନ୍ତି ନିରଞ୍ଜନ ।
English 






































































































































































































































































