ଚଣ୍ଡିଖୋଲ ପାଲଟିଛି ‘ଡେଥ୍ ଜୋନ୍’; ପ୍ରଶାସନ ଶୋଇଛି, ଜୀବନ ଯାଉଛି !

କନକ ବ୍ୟୁରୋ : ରାଜ୍ୟର ପ୍ରମୁଖ ବାଣିଜ୍ୟିକ ପେଣ୍ଠସ୍ଥଳୀ ତଥା ୫ ଜିଲ୍ଲାର ସଂଯୋଗସ୍ଥଳ ଚଣ୍ଡିଖୋଲ ଏବେ ମରଣଯନ୍ତା ପାଲଟିଛି । ସରକାର ବଦଳୁଛି, ଚଣ୍ଡିଖୋଲକୁ ଏନ୍ଏସି ମାନ୍ୟତା ମିଳୁଛି, ହେଲେ ବଦଳୁନି ଏଠାକାର ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା । ଜାତୀୟ ରାଜପଥ ଉପରେ ବେଆଇନ ପାର୍କିଂ ଯୋଗୁଁ ବର୍ଷକରେ ୧୦୦ରୁ ଅଧିକ ଜୀବନ ଗଲାଣି । କଣ କରୁଛି ଟ୍ରାଫିକ ପୋଲିସ ଓ ପରିବହନ ବିଭାଗ ?
ଯାଜପୁର ଜିଲ୍ଲାର ପ୍ରବେଶ ପଥ ଚଣ୍ଡିଖୋଲ । ରାଜ୍ୟର ୨ଟି ଗୁରୁତ୍ୱପୂର୍ଣ୍ଣ ଜାତୀୟ ରାଜପଥ NH-16 ଓ NH-53ର ମିଳନ ସ୍ଥଳ । ଗୋଟିଏ ପଟେ ବନ୍ଦର ନଗରୀ ପାରାଦୀପ ତ ଅନ୍ୟପଟେ ଶିଳ୍ପ ସମୃଦ୍ଧ କଳିଙ୍ଗନଗର । ପ୍ରତିଦିନ ହଜାର ହଜାର ଭାରୀଯାନ ସହ ବସ୍ ଓ ଛୋଟ ଗାଡ଼ି ଏହି ବାଟ ଦେଇ ଯାତାୟାତ କରୁଛି । ହେଲେ ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତା ଏବେ ପାଲଟିଛି ବେଆଇନ ପାର୍କିଂ ଆଡ୍ଡା । ଜାତୀୟ ରାଜପଥ କଡ଼ରେ କିଲୋମିଟର କିଲୋମିଟର ଧରି ଛିଡ଼ା ହେଉଛି ଟ୍ରକ୍ । ଫଳରେ ଚଣ୍ଡିଖୋଲରୁ ଡୁବୁରୀ ଓ ଚଣ୍ଡିଖୋଲରୁ ଜାରକା ପର୍ଯ୍ୟନ୍ତ ରାସ୍ତା ଏବେ ସାଧାରଣ ଲୋକଙ୍କ ପାଇଁ ପାଲଟିଛି ମରଣଯନ୍ତା ।
ଅଧିକ ପଢ଼ନ୍ତୁ : ଜଳୁଛି ଭାଟି, ବଢ଼ୁଛି ତାତି; ପ୍ରଶାସନର କଟକଣାକୁ ବେଖାତିର
ଆଶ୍ଚର୍ଯ୍ୟର କଥା ହେଉଛି, ଏସବୁ ଦେଖିବା ପାଇଁ ଏଠାରେ ଟ୍ରାଫିକ ଥାନା ଅଛି, ଆଞ୍ଚଳିକ ପରିବହନ ଅଧିକାରୀ ମଧ୍ୟ ଅଛନ୍ତି । କିନ୍ତୁ ପ୍ରଶାସନର କୋହଳ ମନୋଭାବ ଯୋଗୁଁ ରାସ୍ତା ଉପରେ ଗାଡ଼ି ଠିଆ ହୋଇରହୁଥିବା ଅଭିଯୋଗ ହୋଇଛି । ବଡ଼ ବଡ଼ ଟ୍ରକକୁ ରାସ୍ତାକଡ଼ରେ ରଖି ଦେଇ ବେଫିକର ବୁଲୁଛନ୍ତି ଚାଳକ । ଅନେକ ସମୟରେ ଏହି ବେଆଇନ୍ ପାର୍କିଂ ଯୋଗୁଁ ଆମ୍ବୁଲାନ୍ସ ମଧ୍ୟ ଫସି ରହୁଥିବା ଦେଖିବାକୁ ମିଳୁଛି । ବର୍ଷରେ ଦୁର୍ଘଟଣାରେ ଶତାଧିକ ଲୋକଙ୍କ ଜୀବନ ଯାଇଛି । ନିକଟରେ ଚଣ୍ଡିଖୋଲକୁ ଏନ୍ଏସି ଘୋଷଣା କରାଯାଇ ବିକାଶ ପାଇଁ ମାଳମାଳ ଯୋଜନା ହେଉଛି, କିନ୍ତୁ ଗ୍ରାଉଣ୍ଡ ଜିରୋରେ ସ୍ଥିତି ଅତି ସାଂଘାତିକ । ବର୍ଷକରେ ୧୦୦ ମୃତ୍ୟୁ ପାଇଁ ଦାୟୀ କିଏ ? ଟ୍ରାଫିକ ଥାନା ଓ RTO କରୁଛନ୍ତି କ’ଣ ? କେବେ ପାର୍କିଂ ମୁକ୍ତ ହେବ ଚଣ୍ଡିଖୋଲ ?
ଚଣ୍ଡିଖୋଲର ବିକାଶ ପାଇଁ କାଗଜ କଲମରେ ଯୋଜନା ତ ଅନେକ ହେଉଛି, କିନ୍ତୁ ବାସ୍ତବ ଚିତ୍ର ଏବେ ବି ଭୟଙ୍କର । ଯଦି ପ୍ରଶାସନ ତୁରନ୍ତ ଏହି ବେଆଇନ ପାର୍କିଂ ଉପରେ ରୋକ୍ ନଲଗାଏ, ତେବେ ଚଣ୍ଡିଖୋଲର ଏହି ରକ୍ତରଞ୍ଜିତ ରାଜପଥରେ ଜୀବନ ଯିବା ସିଲସିଲା ଏମିତି ଚାଲିଥିବ ।
English 






































































































































































































































































