ସରକାରୀ କଲ୍ୟାଣ ମଣ୍ଡପର ଦୟନୀୟ ସ୍ଥିତି ; ଫାଇଦା ନେଉଛନ୍ତି ଘରୋଇ ସଂସ୍ଥା

କନକ ବ୍ୟୁରୋ :ବଢ଼ୁଛି ରାଜଧାନୀର କଳେବର। ବଦଳୁଛି ସହରବାସୀଙ୍କ ଜୀବନଶୈଳୀ । ପୂର୍ବରୁ ଗାଁ ଗହଳିର ବେଦି ଉପରେ ବାହାଘର କିମ୍ବା ବ୍ରତଘର ହେଉଥିଲା । ଏବେ ସହରର ତାରକା ହୋଟେଲ, ରିସର୍ଟ ଏବଂ କଲ୍ୟାଣ ମଣ୍ଡପରେ ତା’ର ସ୍ଥାନ ନେଲାଣି । ଲୋକଙ୍କ ଚାହିଦା ବଢ଼ୁଥିବାରୁ ସରକାରୀ କଲ୍ୟାଣ ମଣ୍ଡପ ପର୍ଯ୍ୟାପ୍ତ ହେଉନାହିଁ । ଯାହାର ଫାଇଦା ଉଠାଉଛନ୍ତି ବେସରକାରୀ ମଣ୍ଡପ ।
ଘରୋଇ ମଣ୍ଡପଗୁଡ଼ିକର ଭଡ଼ା ଏବେ ହୁହୁ ହୋଇ ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ କମ୍ ମୂଲ୍ୟରେ ସୁବିଧା ଯୋଗାଇବା ପାଇଁ ତିଆରି ହୋଇଥିବା ବିଏମ୍ସି ଓ ବିଡିଏ ମଣ୍ଡପ ସଂଖ୍ୟା ଅତି ନଗଣ୍ୟ। ପ୍ରାୟ ୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଭୁବନେଶ୍ବରରେ ମାତ୍ର ୭ଟି କଲ୍ୟାଣ ମଣ୍ଡପ ଓ ୪ଟି କମ୍ୟୁନିଟି ସେଣ୍ଟର ରହିଛି । ଅପରପକ୍ଷରେ ରାଜଧାନୀରେ ଯେଉଁ କେତୋଟି ମଣ୍ଡପ ଅଛି ସେଗୁଡ଼ିକର ସ୍ଥିତି ଅତି ଶୋଚନୀୟ। ୟୁନିଟ୍-୬ କଲ୍ୟାଣ ମଣ୍ଡପରେ ଲୋକେ ମୋଟା ଅଙ୍କର ଭଡ଼ା ଗଣୁଥିଲେ ବି ଭିତ୍ତିଭୂମି ଶୂନ। ରୋଷେଇ ଘର ଅତି ଛୋଟ ହୋଇଥିବାରୁ ବାହାରେ ରୋଷେଇ କରିବାକୁ ପଡ଼ୁଛି । ଡ୍ରେନେଜ୍ ବ୍ୟବସ୍ଥା ଖରାପ ଥିବାରୁ ବର୍ଜ୍ୟଜଳ ନିଷ୍କାସନ ହୋଇପାରୁନାହିଁ। ପାଚେରି ଛୋଟ ଏବଂ ଗେଟ୍ ଖୋଲା ରହୁଥିବାରୁ ଏହା ଅସାମାଜିକ ବ୍ୟକ୍ତିଙ୍କ ଆଡ଼ାସ୍ଥଳୀ ପାଲଟିଛି ।
କେବଳ ୟୁନିଟ୍-୬ ନୁହେଁ, ସହିଦନଗର ଏବଂ ଶାସ୍ତ୍ରୀନଗର ଭଳି ପ୍ରମୁଖ ସ୍ଥାନରେ ଥିବା ସରକାରୀ ମଣ୍ଡପର ଆନୁଷଙ୍ଗିକ ବ୍ୟବସ୍ଥା ଉଜୁଡ଼ି ଯାଇଛି। କେଉଁଠି ବେଦି ଭାଙ୍ଗିଲାଣି ତ କେଉଁଠି ବିଜୁଳି ପାଇଁ ବାହାରୁ ଲାଇଟ୍ ଭଡ଼ାରେ ଆଣିବାକୁ ପଡ଼ୁଛି । ଲୋକସଂଖ୍ୟା ବଢ଼ିବା ସହ ସରକାରୀ ମଣ୍ଡପର ଚାହିଦା ବଢ଼ୁଥିଲେ ବି ନୂଆ ମଣ୍ଡପ ନିର୍ମାଣ ଦିଗରେ କୌଣସି ତତ୍ପରତା ପ୍ରକାଶ ପାଉନାହିଁ। ପୁରୁଣା ମଣ୍ଡପଗୁଡ଼ିକର ରକ୍ଷଣାବେକ୍ଷଣ ଅଭାବରୁ ସାଧାରଣ ଜନତା ସରକାରଙ୍କୁ ମୋଟା ଅଙ୍କର ଭଡ଼ା ଦେଇ ମଧ୍ୟ ହଇରାଣ ହେଉଛନ୍ତି। ବିଏମ୍ସି ଓ ବିଡିଏ କେବେ ଏହି ସମସ୍ୟାର ସମାଧାନ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।
English 




























































































































































































































































































































































































































































































































































































































































































































































































































































































































































































































































































































































































