IPL ରେ କରିଥିଲେ ସ୍ପଟ୍-ଫିକ୍ସିଂ : ୩ କ୍ରିକେଟରଙ୍କୁ ମିଳିଥିଲା ବଡ଼ ଦଣ୍ଡ ,୧୩ ବର୍ଷ ପରେ ଏବେ କ’ଣ କରୁଛନ୍ତି ?

କନକ ବ୍ୟୁରୋ : କ୍ରିକେଟ୍… ଯାହାକୁ ଭାରତରେ କେବଳ ଏକ ଖେଳ ନୁହେଁ ବରଂ ଏକ ଧର୍ମ ଭଳି ଦେଖାଯାଏ । ଖାସ୍ କରି କ୍ରିକେଟପ୍ରେମୀଙ୍କ ପାଇଁ କ୍ରିକେଟ୍ କହିଲେ ସବୁକିଛି । କିନ୍ତୁ ଆଜକୁ ଠିକ୍ ୧୩ ବର୍ଷ ତଳେ ଅର୍ଥାତ ୧୬ ମଇ ୨୦୧୩ରେ ଏହି ଖେଳରେ ଏମିତି ଏକ କଳା ଦାଗ ଲାଗିଥିଲା ଯାହା ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଥିଲା। ଆଇପିଏଲ୍ର ୬ଷ୍ଠ ସଂସ୍କରଣ ଚାଲିଥିବା ବେଳେ ଦିଲ୍ଲୀ ପୁଲିସ ମୁମ୍ବାଇରୁ ରାଜସ୍ଥାନ ରୟାଲ୍ସର ତିନିଜଣ ପ୍ରମୁଖ କ୍ରିକେଟର ଏସ୍. ଶ୍ରୀସନ୍ଥ, ଅଙ୍କିତ ଚଭାଣ ଏବଂ ଅଜିତ ଚନ୍ଦିଲାଙ୍କୁ ସ୍ପଟ୍-ଫିକ୍ସିଂ ଅଭିଯୋଗରେ ଗିରଫ କରିଥିଲା । ଏହି ଘଟଣା ପରେ ବିସିସିଆଇ ଏହି ତିନି ଖେଳାଳିଙ୍କ ଉପରେ ଆଜୀବନ ପ୍ରତିବନ୍ଧକ ଲଗାଇଥିଲା। କୋର୍ଟରୁ ପ୍ରମାଣ ଅଭାବରୁ ଏମାନେ ମୁକୁଳିଲେ ସତ କିନ୍ତୁ ସେମାନଙ୍କ କ୍ରିକେଟ୍ କ୍ୟାରିୟରରେ ଯେଉଁ ବ୍ରେକ୍ ଲାଗିଥିଲା, ତାହା ସେମାନଙ୍କ ଜୀବନକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲା। ଆଜି ଏହି କଳଙ୍କିତ ଅଧ୍ୟାୟକୁ ୧୩ ବର୍ଷ ବିତିଯାଇଛି । ତେବେ ଆସନ୍ତୁ ଜାଣିବା ଆଜିର ସମୟରେ ଅର୍ଥାତ୍ ୨୦୨୬ରେ ଏହି ତିନି ବିବାଦୀୟ କ୍ରିକେଟର କେଉଁଠି ଅଛନ୍ତି ଏବଂ କଣ କରୁଛନ୍ତି?
ଆଗକୁ ପଢ଼ନ୍ତୁ : ଦିନେ ସଚ୍ଚିନଙ୍କ ସହ ପଡ଼ିଆରେ ଖେଳୁଥିଲେ, ସାହସ ଭାଙ୍ଗିଦେଲା ବାପା-ମା’ଙ୍କ ବିୟୋଗ;ଡିପ୍ରେସନରେ ଦିନ କାଟୁଛନ୍ତି ସଚ୍ଚିନଙ୍କ ସାଙ୍ଗ
୧. ଏସ୍. ଶ୍ରୀସନ୍ଥ
ଭାରତର ଦୁଇଟି ଐତିହାସିକ ବିଶ୍ୱକପ୍ ବିଜେତାର ଦ୍ରୁତ ବୋଲର ଏସ୍. ଶ୍ରୀସନ୍ଥଙ୍କୁ ଅବା କିଏ ନଜାଣେ? ବ୍ୟାନ୍ ଲାଗିବା ପରେ ଶ୍ରୀସନ୍ଥ ନିଜ ଜୀବନର ଦିଶା ବଦଳାଇ ମନୋରଞ୍ଜନ ଦୁନିଆରେ ପାଦ ଥାପିଥିଲେ । ସେ ‘ଝଲକ ଦିଖଲା ଜା’ ଏବଂ ‘ବିଗ୍ ବସ୍ ସିଜନ୍ ୧୨’ ଭଳି ରିଆଲିଟି ଶୋ’ରେ ଭାଗ ନେଇ ରନର୍ସ-ଅପ୍ ହୋଇଥିଲେ । ଏହାସହ ମାଲାୟାଲମ୍ ଓ ହିନ୍ଦୀ ସିନେମାରେ ମଧ୍ୟ ଅଭିନୟ କରିଥିଲେ । ୨୦୧୯ରେ ସୁପ୍ରିମକୋର୍ଟ ତାଙ୍କ ଉପରୁ ଆଜୀବନ ବ୍ୟାନ୍ ହଟାଇବା ପରେ ସେ କେରଳ ପାଇଁ ଘରୋଇ କ୍ରିକେଟ୍କୁ ଫେରିଥିଲେ ମଧ୍ୟ ଆଇପିଏଲ୍ ଖେଳିବା ସ୍ୱପ୍ନ ଅଧୁରା ରହିଗଲା । ବର୍ତ୍ତମାନ ସେ ଜଣେ କ୍ରିକେଟ୍ ଏକ୍ସପର୍ଟ, ସୋସିଆଲ ମିଡିଆ ଷ୍ଟାର୍ ଏବଂ ପଡ୍କାଷ୍ଟ୍ ଜରିଆରେ ନିଜ ଅତୀତକୁ ନେଇ ଖୋଲାଖୋଲି ଆଲୋଚନା କରୁଛନ୍ତି ।
୨. ଅଙ୍କିତ ଚଭାଣ
ରାଜସ୍ଥାନ ରୟାଲ୍ସର ପୂର୍ବତନ ସ୍ପିନର ଅଙ୍କିତ ଚଭାଣ କୋର୍ଟରୁ କ୍ଲିନ୍ ଚିଟ୍ ପାଇବା ପରେ ଏବେ କ୍ରିକେଟ୍ ପଡ଼ିଆକୁ ଫେରିଛନ୍ତି କିନ୍ତୁ ଏକ ନୂଆ ଭୂମିକାରେ । ବର୍ତ୍ତମାନ ସେ ମୁମ୍ବାଇ କ୍ରିକେଟ୍ ଆସୋସିଏସନର ଅଣ୍ଡର-୧୪ ଦଳର ମୁଖ୍ୟ କୋଚ୍ ଭାବେ କାର୍ଯ୍ୟ କରୁଛନ୍ତି । ବ୍ୟାନ୍ ଅବଧି ହ୍ରାସ ପାଇବା ପରେ ସେ କ୍ଲବ୍ କ୍ରିକେଟ୍ ଖେଳିବା ସହ ଲେଭଲ୍-୧ କୋଚିଂ ସାର୍ଟିଫିକେଟ୍ ହାସଲ କରିଛନ୍ତି । ଜୁନିୟର କ୍ରିକେଟରମାନଙ୍କୁ ସଠିକ୍ ଦିଗ ଦେଖାଇବା ଏବଂ ସେମାନଙ୍କ ଟେକ୍ନିକ୍ ସୁଧାରିବା ଦିଗରେ ଚଭାଣ ଏବେ ସମ୍ପୂର୍ଣ୍ଣ ସମର୍ପିତ ।
୩. ଅଜିତ ଚନ୍ଦୀଲା
ଅନ୍ୟମାନଙ୍କ ପରି ଅଫ୍-ସ୍ପିନର ଅଜିତ ଚନ୍ଦୀଲାଙ୍କ ଉପରୁ ଜାନୁଆରୀ ୨୦୨୩ରେ ବ୍ୟାନ୍ ଶେଷ ହୋଇଥିଲା । ବର୍ତ୍ତମାନ ସେ ଜଣେ କ୍ରିକେଟ୍ ମେଣ୍ଟର, କୋଚ୍ ଏବଂ କଣ୍ଟେଣ୍ଟ କ୍ରିଏଟର ଭାବେ ସକ୍ରିୟ ଅଛନ୍ତି । ଚନ୍ଦୀଲା ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବ୍ରେ ପଡ୍କାଷ୍ଟ ଜରିଆରେ ନିଜ ଜୀବନର ଅନ୍ଧକାରମୟ ସମୟ, ଡିପ୍ରେସନ୍ ଏବଂ ସ୍ପଟ୍-ଫିକ୍ସିଂ ବିବାଦରୁ ମିଳିଥିବା ଶିକ୍ଷା ବିଷୟରେ ଯୁବ ଖେଳାଳିମାନଙ୍କୁ ସଚେତନ କରୁଛନ୍ତି । ୨୦୨୬ର ପ୍ରାରମ୍ଭରେ ସେ ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ ଭଳି ଅନଫିସିଆଲ୍ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ବ୍ୟାଟ୍-ବଲ୍ ଧରି ଓହ୍ଲାଉଥିବା ଦେଖିବାକୁ ମିଳିଛି । କୁହନ୍ତି ସମୟ ସବୁଠାରୁ ବଡ଼ ଶିକ୍ଷକ । ୧୩ ବର୍ଷ ତଳେ ଯେଉଁ ଭୁଲ୍ ଏହି ତିନି ଖେଳାଳିଙ୍କ କ୍ୟାରିୟରକୁ ଛାରଖାର କରିଦେଇଥିଲା, ଆଜି ସେହି ଅତୀତକୁ ପଛରେ ପକାଇ ସେମାନେ ଜୀବନରେ ଆଗକୁ ବଢ଼ିଛନ୍ତି । କେହି କୋଚିଂ ଜରିଆରେ ପ୍ରାୟଶ୍ଚିତ୍ତ କରୁଛି ତ ଆଉ କେହି ମାନସିକ ସ୍ୱାସ୍ଥ୍ୟ ଉପରେ ଅନ୍ୟମାନଙ୍କୁ ସତର୍କ କରାଉଛନ୍ତି ।
English 





































































































































































































































































































































































































































































































































































































































