୧୨ କୋଟି ଟଙ୍କା ଖର୍ଚ୍ଚ ହେଲା; କାମରେ ଲାଗିଲା ନାହିଁ ବ୍ରିଜ୍

କନକ ବ୍ୟୁରୋ : ଗାଁ ରୁ ସହରକୁ ଯୋଡିବାକୁ ସରକାର ପକ୍କା ରାସ୍ତା ହେଉ ଅବା ପିଚୁ ରାସ୍ତା ମାଧ୍ୟମରେ ଲୋକଙ୍କୁ ସୁବିଧା ଯୋଗାଉଛନ୍ତି । ଆଉ କୋଟି କୋଟି ଟଙ୍କା ଖର୍ଚ୍ଚ କରି ନଦୀ-ନାଳ ଉପରେ ବ୍ରିଜ ନିର୍ମାଣ କରି ଯାତାୟାତକୁ ସହଜ କରୁଛନ୍ତି । କେଉଁଠି ଲୋକେ ଉପକୃତ ହେଉଛନ୍ତି ତ ଆଉ କେଉଁଠି ‘ଯଥା ପୂର୍ବ ତଥା ପରଂ’ ଭଳି ସମସ୍ୟାରେ ଜୁଝି ହେଉଛନ୍ତି । ଏଭଳି ସ୍ଥିତିରେ ସରକାରଙ୍କ କୋଟି କୋଟି ଟଙ୍କା ଖର୍ଚ୍ଚର କୌଣସି ମୂଲ୍ୟ ହିଁ ରହୁନାହିଁ ।
ସମ୍ବଲପୁର ଜିଲ୍ଲା କୁଚିଣ୍ଡା ମୁଖ୍ୟାଳୟରୁ କୌଣସି ଗାଁ ବା ସହରକୁ ଯିବାକୁ ହେଲେ ସହର ମଧ୍ୟ ଦେଇ ଯାଇଥିବା ଖର୍ଲା ଓ ଭେଡେନ ନଦୀ ପାର ହେବାକୁ ପଡ଼େ । ଗମନାଗମନ ସୁବିଧା ପାଇଁ କୋଟ କୋଟି ବ୍ୟୟରେ ରାସ୍ତା ସହ ବଡ଼ ବଡ଼ ପୋଲ ନିର୍ମାଣ କରାଯାଉଛି । ହେଲେ ବିଡମ୍ବନା, କେଉଁଠି ଲୋକେ ସୁବିଧା ପାଉଛନ୍ତି ତ ଆଉ କେଉଁଠି ଲୋକେ ପୂର୍ବପରି ହଇରାଣ ହେଉଛନ୍ତି । କୁଚିଣ୍ଡାରୁ ମହୁଲଡିହି ଦେଇ ଲସା ଗାଁ ତଥା ପ୍ରାୟ ୮ଟି ପଞ୍ଚାୟତର ଲୋକଙ୍କ ସୁବିଧା ପାଇଁ ସେତୁ ନିର୍ମାଣ ହୋଇସାରିଛି । ହେଲେ ଆପ୍ରୋଚ୍ ରୋଡ୍ ନକରି କାମ ବନ୍ଦ କରିଦେଇଛି ଠିକା ସଂସ୍ଥା । ୪୦ ଫୁଟ୍ରୁ ଅଧିକ ଉଚ୍ଚର ବ୍ରିଜକୁ ଆପ୍ରୋଚ୍ ରୋଡ୍ ସଂଯୋଗ କରୁନଥିବାରୁ ଲୋକେ ଯାତାୟାତ ସୁବିଧା ପାଉନାହାନ୍ତି । କୁଚିଣ୍ଡାରୁ ଲସା ଗାଁକୁ ମାତ୍ର ୩ କିଲୋମିଟର ପାଇଁ ଏବେ ୧୭ କିଲୋମିଟର ପର୍ଯ୍ୟନ୍ତ ବୁଲିବାକୁ ପଡ଼ୁଛି । ଆଉ କିଛି ଲୋକେ ଅତି ବିପଦର ସହ ବ୍ରିଜ ତଳେ ଜୀବନକୁ ବାଜି ଲଗାଇ ଯିବା ଆସିବା କରୁଛନ୍ତି ।
ଅଧିକ ପଢ଼ନ୍ତୁ : ଟସର ହସ୍ତଶିଳ୍ପର ଗାଁ; ଫକୀରପୁର ପ୍ରୋତ୍ସାହନ ଅଭାବରୁ ବୃତ୍ତି ଛାଡ଼ୁଛନ୍ତି ବୁଣାକାର
ପ୍ରାୟ ୧୨ କୋଟି ଟଙ୍କାର ବ୍ୟୟ ଅଟକଳରେ ବରଗଡ଼ର ଏକ ଘରୋଇ ଠିକା ସଂସ୍ଥା ବ୍ରିଜ କାମ କରୁଥିବା ବେଳେ ପୂର୍ତ୍ତ ବିଭାଗ ଏହାର ଟେଣ୍ଡର କରିଥିଲା । ତେବେ ଲୋକଙ୍କ କାମରେ ଲାଗିବା ପୂର୍ବରୁ ବର୍ଷେ ହେବ କମ୍ପାନି ତାର ସମସ୍ତ ଜିନିଷପତ୍ର ନେଇ ଚାଲିଯାଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ତୀବ୍ର କ୍ଷୋଭ ପ୍ରକାଶ କରିଛନ୍ତି ଚନ୍ଦିନିମାଲ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ।
ନଦୀର ପ୍ରଖର ସ୍ରୋତ ଏବଂ ବ୍ରିଜର ଅତ୍ୟଧିକ ଉଚ୍ଚତା ଦେଖାଯାଉଥିବା ଡ୍ରୋନ୍ ଶଟ୍ କିମ୍ବା କ୍ଲୋଜ୍ ସଟ୍ । ଖରଲା ନଦୀ ଉପରେ ନିର୍ମିତ ଏହି ବ୍ରିଜ ଆବଶ୍ୟକତା ଠାରୁ ଅଧିକ ଉଚ୍ଚ ହୋଇଥିବା ହେତୁ ଆପ୍ରୋଚ୍ ରୋଡ୍ ପାଇଁ ସମସ୍ୟା ହେଉଥିବା ନେଇ ଅଭିଯୋଗ ହେଉଛି । ହେଲେ ଏହାର ସମାଧାନ ପାଇଁ ପ୍ରଶାସନ ତରଫରୁ ଏଯାଏଁ କୌଣସି ପଦକ୍ଷେପ ନ ନେବା ସବୁଠାରୁ ବଡ଼ ବିଡମ୍ବନାର ବିଷୟ ପାଲଟିଛି । ୧୨ କୋଟି ଟଙ୍କା ଖର୍ଚ୍ଚ ହେଲା । ଲୋକଙ୍କ କୌଣସି ଲାଭ ହେଲାନି । ଆପ୍ରୋଚ୍ ରୋଡ୍ ନକରି ଠିକା ସଂସ୍ଥା ଚାଲିଗଲା । ପ୍ରାଶାସନିକ ଅବହେଳା ଓ ଠିକାଦାରଙ୍କ ମନମାନୀ ଯୋଗୁଁ ପେଷି ହେଉଛନ୍ତି ଜନତା ।
English 


















































































































































































































































































































































































































































































































