ରବି ଧାନ ସଂଗ୍ରହ ପାଇଁ ଖୋଲିଲା ମଣ୍ଡି; ଖୋଲୁ ଖୋଲୁ ଅବ୍ୟବସ୍ଥା ,ଧାନ କିଣାବିକାକୁ ବର୍ଜନ କଲେ ଚାଷୀ

କନକ ବ୍ୟୁରୋ: ସମ୍ବଲପୁରରେ ରବି ଧାନ କିଣିବା ପାଇଁ ମଣ୍ଡି ଖୋଲିଛି। କିନ୍ତୁ ଧାନ ଉଠିନି। ଗତ ଖରିଫରେ ସରକାର ପର୍ଯ୍ୟାୟକ୍ରମେ ଟୋକନ ଦେଇଥିଲେ, ଯେଉଁଥିପାଇଁ ଧାନ ବିକ୍ରିରେ ଅନେକ ସମସ୍ୟାର ସମ୍ମୁଖିନ ହୋଇଥିଲେ ଚାଷୀ। ତେଣୁ ଏଥର ପର୍ଯ୍ୟାୟକ୍ରମେ ଟୋକନ ନଦେଇ ଏକାସାଙ୍ଗରେ ସବୁ ଟୋକନ ଦେବାକୁ ଦାବି କରିଛନ୍ତି ଚାଷୀ। ଏହାସହିତ ଗୋଟିଏ ଲେଖାଏଁ ଟୋକନ ଆସିଥିବାରୁ ଧାନ ବିକ୍ରି ପ୍ରକ୍ରିୟାକୁ ବର୍ଜନ କରିଛନ୍ତି। ଖରିଫରେ ସରକାର ସର୍ବାଧିକ ୩ଟି ଲେଖାଏଁ ଟୋକନ ଦେଇଥିଲେ। ରବି ଋତୁରେ କେତେ ଟୋକନ ଦେବେ ସ୍ପଷ୍ଟ କରନ୍ତୁ ଏବଂ ଏକାସାଙ୍ଗରେ ଦିଅନ୍ତୁ ବୋଲି ଦାବି କରିଛନ୍ତି ଚାଷୀ। ଅନ୍ୟପଟେ ଗତ ରବିରେ ପ୍ରତି ଟୋକନ ପିଛା ୧୩୦ କ୍ବିଣ୍ଟାଲ ଧାନ ବିକ୍ରି ପ୍ରାବଧାନ ଥିବା ବେଳେ ଏଥର ଖସାଇ ୭୫ କ୍ବିଣ୍ଟାଲ କାହିଁକି କରିଛନ୍ତି ବୋଲି ଚାଷୀ ପ୍ରଶ୍ନ କରିଛନ୍ତି ।
ସମ୍ବଲପୁରରେ ପ୍ରଥମ ପର୍ଯ୍ୟାୟରେ ୧୮,୩୯୭ଟି ଟୋକନ ଆସିଥିବା ବେଳେ ସମସ୍ତ ଚାଷୀଙ୍କୁ ଗୋଟିଏ ଲେଖାଏଁ ଟୋକନ ମିଳିଛି। କିଛି ଚାଷୀଙ୍କର ଟୋକନ ଆସି ନଥିବା ମଧ୍ୟ ଅଭିଯୋଗ ହୋଇଛି। ଅନ୍ୟପଟେ ଅନେକ ଚାଷୀ ଟୋକନ ନମିଳିବାରୁ ଖରିଫର ଧାନ ବିକ୍ରି କରିପାରିନଥିବା ଅଭିଯୋଗ କରିଛନ୍ତି। ଏହାସହିତ ପରିବହନ ଖର୍ଚ୍ଚ ସରକାର ଦେବେ ନା ନାହିଁ ବୋଲି ସ୍ପଷ୍ଟ କରିବାକୁ ଦାବି କରିଛନ୍ତି। ଏହାସହିତ ସୋମବାର ସୁଦ୍ଧା ଟୋକନ ସମସ୍ୟା ସମାଧାନ କରିବାକୁ ଜନପ୍ରତିନିଧିଙ୍କୁ ଚିଠି ଲେଖିଛନ୍ତି ଚାଷୀ। ସମସ୍ୟା ସମାଧାନ ନହେଲେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି। ସମ୍ବଲପୁର ଜିଲ୍ଲାରେ ରବି ଋତୁରେ ୧୯,୧୧୩ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି। ୩୧ଟି ପ୍ୟାକ୍ସ/ଲାମ୍ପସ ଏବଂ ୮ଟି ଏସ୍ଏଚ୍ଜି ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ ହେବେ। ୫୬ଟି କେନ୍ଦ୍ରରେ ଧାନ କିଣାଯିବ। ଚଳିତ ରବିରେ ୪୮ ମିଲ୍ କଷ୍ଟମ୍ ମିଲିଂରେ ଭାଗ ନେବେ। ତେବେ ଦେଖିବା କଥା କେବେ ସୁଦ୍ଧା ଧାନ କିଣା ପ୍ରକ୍ରିୟା ସ୍ବାଭାବିକ ହେଉଛି।
ଆହୁରି ପଢ଼ନ୍ତୁ:ଓଡ଼ିଶାରେ ଏସ୍ଆଇଆର୍ ପାଇଁ ବାଜିଛି ବିଗୁଲ, ଆସନ୍ତା ୩୦ରୁ ଆରମ୍ଭ ହେବ ପରିଗଣନା
English 































































































































































































































































































































































































































































