ମତ୍ସ୍ୟଜୀବୀଙ୍କ ଉପରେ ତୈଳ ସଂକଟର ପ୍ରଭାବ, ଚାଲୁନି ଡଙ୍ଗା, ଏବେ କୁଟୁମ୍ବ ଚିନ୍ତା

କନକ ବ୍ୟୁରୋ : ତୈଳ ସଙ୍କଟ ଯୋଗୁଁ କେବଳ ଗାଡ଼ି ଚାଳକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତା ନୁହେଁ, ଅନେକଙ୍କ ଜୀବିକା ଏବେ ପ୍ରଭାବିତ ହେଲାଣି। କୌଳିକ ବୃତ୍ତି ଛଡ଼ାଇନେବାକୁ ବସିଲାଣି ଡିଜେଲ ସଙ୍କଟ। ପ୍ରଭାବିତ ହେଲେଣି ମତ୍ସ୍ୟଜୀବୀ। ଡିଜେଲ ଅଭାବରୁ ବନ୍ଦ ପଡ଼ିଛି ଡଙ୍ଗା। ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଦେବୀ ନଦୀ କୂଳରେ ଶହ ଶହ ଯନ୍ତ୍ରଚାଳିତ ଡ଼ଙ୍ଗା ଅଚଳ ପଡ଼ିଛି। ତେଲ ଟାଙ୍କିରେ ଜାରକିନ ଧରି ଲମ୍ବା ଧାଡ଼ିରେ ଯାଇ ଡିଜେଲ ଆଣିଲେ ବି ଯେତିକି ପରିମାଣର ଡିଜେଲ୍ ଦେଉଛନ୍ତି ତାହା ଯଥେଷ୍ଟ ହେଉନାହିଁ ଡଙ୍ଗା ଚଳାଇବା ଲାଗି। ଫଳରେ ଏବେ ମତ୍ସ୍ୟଜୀବୀମାନେ ଚିନ୍ତାରେ ପଡ଼ିଛନ୍ତି। କିଛି ପେଟ୍ରୋଲ ପମ୍ପରେ ତେଲ ନଥିବା ବୋର୍ଡ ମଧ୍ୟ ଲଗାଯାଇଛି। ତେଲ ଅଭାବ ଯୋଗୁଁ କେମିତି ମତ୍ସ୍ୟଜୀବୀମାନେ ସେମାନଙ୍କ ଜୀବିକା ନିର୍ବାହ କରିବାରେ ଅସୁବିଧାର ସମ୍ମଖୀନ ହେଉଛନ୍ତି।
ସେପଟେ ତୈଳ ସଙ୍କଟ ନେଇ ପ୍ରତିକ୍ରିୟା ରଖିଛନ୍ତି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ସାଧାରଣ ସଂପାଦକ। ପ୍ରତିଦିନ ଆମେ ଯେତିକି ତେଲ ବ୍ୟବହାର କରୁଛେ ତା ଠାରୁ ଅଧିକ ପରିମାଣର ତେଲ ଆମ ନିକଟକୁ ଆସୁଛି । ୧୩ରୁ ୧୭ ଦିନ ପର୍ୟ୍ୟନ୍ତ ତେଲ ଆମ ପାଖରେ ଷ୍ଟକ୍ ରହୁଛି ବୋଲି ସେ କହିଛନ୍ତି।
English 

















































































































































































































































































































































































































































































































































































































































































































































































































































































