ଲ୍ୟାମ୍ପସରେ ‘ଉଇ’ ରାଜନୀତି ! ୨.୪୯ କୋଟି ଟଙ୍କା ଗାଏବ ଘଟଣାରେ ନୂଆ ମୋଡ଼

କନକ ବ୍ୟୁରୋ : ଲ୍ୟାମ୍ପସରେ କାଗଜପତ୍ରରେ ଚାଲିଛି କଣ ? ତଦନ୍ତ ବେଳେ ଊଇ ଖାଇଯାଇଛି ନଥିପତ୍ର ! ନା ଅଛି ରେକର୍ଡ, ନା ଅଛି ଦସ୍ତାବିଜ । ପୁରୁଣା ଫାଇଲ୍ ଓ ରେକର୍ଡ ମାଗିବା ବେଳେ ସାମ୍ନାକୁ ଆସିଛି ଆଉ ଏକ ଅଜବ କାହାଣୀ । ମାଲକାନଗିରି ଜିଲ୍ଲା ମାଥିଲି ଲ୍ୟାମ୍ପସରୁ ପ୍ରାୟ ଅଢ଼େଇ କୋଟି ଗାଏବ ଘଟଣାର ନୂଆ କାହାଣୀ । ଉଭୟ ପକ୍ଷ ସାମ୍ବାଦିକ ସମ୍ମିଳନୀ କରି ପରସ୍ପର ଉପରେ ଦୋଷ ଲଦାଲଦି ହେଉଥିବା ବେଳେ, ନଥିପତ୍ର ଊଈ ଖାଇଯିବା ଘଟଣାକୁ ସହଜେ ହଜମ କରିପାରୁନାହାନ୍ତି ତଦନ୍ତକାରୀ ଟିମ୍ ।
ନଥିପତ୍ରରେ ସବୁ ଠିକ୍ ଥିଲା, ହେଲେ ତଦନ୍ତ ସମୟରେ ପୁରୁଣା ଫାଇଲ୍ ଉଇ ଖାଇଗଲା ! କୋଟି କୋଟି ଟଙ୍କାର ଲ୍ୟାମ୍ପସ ଅର୍ଥ ହଡ଼ପ ଘଟଣା ଏବେ ନୂଆ ମୋଡ଼ ନେଇଛି । ମାଲକାନଗିରି ଜିଲ୍ଲା ମାଥିଲି ଲ୍ୟାମ୍ପସ ଫଣ୍ଡରୁ ଦେଢ଼ କୋଟିରୁ ଅଧିକ ଟଙ୍କା ହେରଫେରକୁ ନେଇ ରାଜ୍ୟ ସମବାୟ ବିଭାଗର ଯୁଗ୍ମ ତଦନ୍ତକାରୀ ଟିମ୍ ଛାନଭିନ କରିବା ସମୟରେ ଏପରି ବୟାନ ରଖିଛନ୍ତି ଲ୍ୟାମ୍ପସ କର୍ତ୍ତୃପକ୍ଷ । ତାଙ୍କ କହିବା କଥା, ୨୦୨୨ ମସିହା ପୂର୍ବରୁ ପୁରୁଣା କୋଠାରେ ଲ୍ୟାମ୍ପସ ଚାଲୁଥିଲା ଏବଂ ସେଠାରେ ଥିବା ସମସ୍ତ ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ଓ ରେକର୍ଡ ସବୁ ଉଇ ଖାଇଦେଇଛି । ଏପଟେ ନିଲମ୍ବିତ ପରିଚାଳନା କମିଟିର ସଦସ୍ୟ ଏବଂ ଆଦିବାସୀ ନେତା ଶରତ ଚନ୍ଦ୍ର ବୁରୁଦା ସାମ୍ବାଦିକ ସମ୍ମିଳନୀ କରି ଏହି ସ୍ପଷ୍ଟୀକରଣକୁ ମିଛ ବୋଲି କହିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ମାଥିଲି ଲ୍ୟାମ୍ପସ ଏମଡି ଏବଂ କ୍ୟାସିଅର ନିଜ ହିସାବରେ ଲକ୍ଷାଧିକ ଟଙ୍କା ଉଠାଇବା ସହ ତଦନ୍ତକୁ ବାଟବଣା କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି ।
ଅଧିକ ପଢ଼ନ୍ତୁ : ଆଗେଇ ଚାଲିଛି ଶ୍ରୀଜିଉଙ୍କ ରଥ କାମ; ସାଲଗୁଜରେ ରୂପ ଖୋଦେଇରେ ବ୍ୟସ୍ତ ରୂପକାର
ଅଭିଯୋଗ ଅନୁସାରେ, ଲ୍ୟାମ୍ପସରେ ବେନାମୀ ତଥା ଭୂତ ଆକାଉଣ୍ଟ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କାର ଦେଣନେଣ ହୋଇଛି । ଅନ୍ୟପଟେ ଲ୍ୟାମ୍ପସ କର୍ମଚାରୀ ପ୍ରଦୀପ ଖାଡ଼େଙ୍ଗାଙ୍କ କହିବା କଥା, ପୂର୍ବରୁ ଅର୍ଥ ପୈଠ କରିଥିବା ଖାତାଧାରୀଙ୍କ ରେକର୍ଡ ଅପଡେଟ୍ ହୋଇଥିବାରୁ ତାଙ୍କ ଅର୍ଥ ଉଠାଣ ପରେ ଏନ୍ଇଏଫ୍ଟି କରାଯାଇଛି । କୌଣସି ପ୍ରକାର ଅର୍ଥ ହେରଫେର ହୋଇନାହିଁ ଏବଂ ତାଙ୍କ ନାମରେ ହୋଇଥିବା ଟ୍ରାଞ୍ଜାକସନ୍ କର୍ମଚାରୀମାନଙ୍କ ଇପିଏଫ୍ ଟଙ୍କା । ସେପଟେ ମାଥିଲି ଲ୍ୟାମ୍ପସ ଏମ୍ଡି ସନ୍ତୋଷୀ ପରିଡ଼ାଙ୍କ ଓଲଟା ଅଭିଯୋଗ ଆଣିଛନ୍ତି । ପୂର୍ବରୁ ବୋର୍ଡ ପରିଚାଳନା କମିଟି ମାନସିକ ଚାପ ପ୍ରୟୋଗ କରି ମନଇଛା ଲକ୍ଷଲକ୍ଷ ଟଙ୍କା ନେଉଥିଲେ ଏବଂ ବେଆଇନ ନିଯୁକ୍ତି ଦେଉଥିଲେ । ଏହାର ପ୍ରତିବାଦ କରିବାରୁ ସେ ଆକ୍ରୋଶର ଶିକାର ହୋଇଛନ୍ତି ।
ଚାଷୀଙ୍କ ଅର୍ଥ ହଡ଼ପ ପରେ ଏବେ ପ୍ରମାଣ ନଷ୍ଟ ପାଇଁ ଚାଲ୍ ଚାଲିଛି । ନା ଅଛି ରେକର୍ଡ ପତ୍ର, ନା ଅଛି ନଥିପତ୍ର । ଲ୍ୟାମ୍ପସ ଫଣ୍ଡକୁ ବେନିୟମ ଭାବେ ବ୍ୟବହାର କରି ଏବେ ତଦନ୍ତ ସମୟରେ ଫାଇଲ୍ ‘ଊଈ’ ଖାଇଯିବା କଥା ସାମ୍ନାକୁ ଆସିବା ପରେ, ଏହି ଦୁର୍ନୀତିର ଚେର ବହୁ ଦୂରକୁ ଲମ୍ବିଥିବା ଇସାରା କରୁଛି । କେବେ ଧରାପଡ଼ିବେ ପ୍ରକୃତ ଦୋଷୀ ? କାହା ଇସାରାରେ ଲ୍ୟାମ୍ପସରେ ହୋଇଛି ଏତେ ବଡ଼ ଘୋଟାଲା ? ଏପରି ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଏବେ ସମସ୍ତଙ୍କ ନଜର ସମବାୟ ବିଭାଗର ତଦନ୍ତ ଉପରେ ରହିଛି ।
English 
























































































































































































































































































































































































































































































