ମେସିନ୍ ଥିବା ଯାଏଁ ମଣିଷ ବଞ୍ଚିବ ; ହେଲେ ମେସିନ୍ ଭଡ଼ା ପାଇଁ ନାହିଁ ପଇସା

କନକ ବ୍ୟୁରୋ: ଅଣ ଓସାରିଆ ଚାଳିଆଟେ… ହେଲେ ୟା ଭିତରେ ମଣିଷ ଯେତିକି ମେସିନ୍ ସେତିକି … ଏ ମେସିନ୍ ସବୁ ଘରର ମୂରବୀଙ୍କୁ ବଞ୍ଚାଇ ରଖିଛି … ଖଟିଆ ଉପରେ ନିସ୍ତେଜ ହୋଇ ପଡ଼ିଛନ୍ତି ସ୍ବାମୀ , ଅହରହ ଚାଲିଛି ଏ ଅକ୍ସିଜେନ୍ ମେସିନ୍ । କାରଣ ଏଇ ମେସିନରେ ତ ଅଟକିଛି ସ୍ବାମୀଙ୍କ ଜୀବନ । ସେଇଥିପାଇଁ ପର ପାଖରେ ହାତ ପାତି ଅକ୍ସିଜେନ୍ ମେସିନ ଯୋଗାଡ଼ କରୁଛନ୍ତି …
କେନ୍ଦ୍ରାପଡ଼ା ରାଜନଗର ନିମପୁର ଶାସନ ଗାଁର ସୁରେନ୍ଦ୍ର ମଲ୍ଲିକ । ଦିନେ ଏଇ ଲୋକ ତ ଦିଲ୍ଲୀରେ ପାଇପ୍ ଲାଇନ୍ କାମ କରି ପରିବାର ଚଳାଉଥିଲେ । ହେଲେ ୮ ବର୍ଷ ତଳେ ଦେହ ଖରାପ ହେବାରୁ ଘରକୁ ଚାଲିଆସିଲେ । କଟକ ଏସସିବି ଯାଇ ପରୀକ୍ଷା କରିବାରୁ ଜଣାପଡ଼ିଲା ସୁରେନ୍ଦ୍ରଙ୍କର ଫୁସଫୁସ୍ ଖରାପ ହୋଇଯାଇଛି । ତାଙ୍କୁ ଅକ୍ସିଜେନ୍ ମେସିନ୍ ବିନା ବଞ୍ଚିରହିବା କଷ୍ଟ । ହେଲେ ଏ ଅଭାବ ସଂସାର ଭିତରେ ଏକ୍ସିଜେନ୍ ମେସିନର ୧୦ ହଜାର ଟଙ୍କା ଭଡ଼ା ଆହୁରି ନିଗାଡ଼ି ଦେଉଛି ।
ଏଇ ଯେଉଁ ଜିନିଷ ଦେଖୁଛନ୍ତି ଇଏ ହେଉଛି ଏ ଘରର ପେଟପାଟଣା । ଏୟାକୁ ବିକି ଯାହା ଦି ପଇସା ମିଳୁଛି ସେଥିରେ ୫ ପ୍ରାଣୀ କୁଟୁମ୍ବ ପେଟକୁ ଦାନା ଯାଉଛି । ଆଉ ୩ ତିନିଟା ପିଲାଙ୍କ ପାଠପଢ଼ା କଥା ଚିନ୍ତା କରିହେଉନି । ବଡ଼ ଝିଅ ମାଟ୍ରିକ୍ ପରୀକ୍ଷା ଦେବ ହେଲେ ଏଯାଏଁ ୨ରୁ ୩ ଖଣ୍ଡ ବହି କିଣିହେଉନି । ଖାତାଟେ କିଣିବାକୁ ବି ପଇସା ନାହିଁ । ଏକଥା କହିବା ବେଳକୁ ମା’ ଆଖିରୁ ଲୁହ ଝରିପଡ଼ୁଛି । ଆଉ ନିଜ ବାପା, ମା’ଙ୍କ ଅବସ୍ଥା କହିବା ବେଳକୁ ଝିଅର ପାଟି ବି ଥରିଯାଉଛି ।
ଅଧିକ ପଢ଼ନ୍ତୁ : ସ୍ବାମୀ ପାଇଁ ଗୁହାରି ପଡ଼ିଛି ଏ ସାବିତ୍ରୀ ; କାନିପାତି ମାଗୁଛି ଶଂଖା, ସିନ୍ଦୂରର ଆୟୁଷ
୩ ପିଲା ପଢାରେ ବେଶ୍ ଆଗୁଆ ହେଲେ ପଢ଼ିବାକୁ ପାଖରେ ପଇସା ନାହିଁ । ଏ ପିଲାମାନେ ବି ଅଭାବ ଭିତରେ ରହି ଜୀବନକୁ ଏବେଠୁ ବୁଝିଗଲେଣି । ନିଜ ଭାଗ୍ୟ ସହ ସାଲିସ୍ କରି ଚାଲିଛନ୍ତି ଯାହା । ହେଲେ ଦୁଃଖର ବିଷୟ ଏଯାଏଁ ଏମାନଙ୍କୁ ୪ ଜଣଙ୍କ ପାଇଁ ରାସନ୍ ଚାଉଳ ଛଡ଼ା କିଛି ମିଳିନି । ଏମାନଙ୍କ କଷ୍ଟ ଦେଖି ସାହିପଡ଼ିଶାଙ୍କ ମନ ବିକଳ ହେଉଛି , ହେଲେ ଲୋକ ପ୍ରତିନିଧିଙ୍କ ଆଖିରେ ପଡ଼ୁନି କେମିତି?
ବିଶ୍ବାସ ଏ ଖବର ଗଣମାଧ୍ୟମରେ ଦେଖିବା ପରେ ପ୍ରଶାସନ ସାହାଯ୍ୟର ହାତ ବଢ଼ାଇବେ, ସୁରେନ୍ଦ୍ରଙ୍କ ଚିକତ୍ସା ସହ ପିଲାଙ୍କ ପାଠପଢ଼ା ପାଇଁ ଆର୍ଥିକ ସହାୟତା ଯୋଗାଇଦେବେ ।
English 








































































































































































































































































































































































































































































































































































































































































































































































































































































