ଆପାର୍ଟମେଣ୍ଟ ପଞ୍ଜୀକରଣକୁ ସରଳ କଲେ ସରକାର , ଜାରି ହେଲା ନୂଆ ଅଧ୍ୟାଦେଶ

କନକ ବ୍ୟୁରୋ : ଆପାର୍ଟମେଣ୍ଟ ପଞ୍ଜୀକରଣ ସରଳୀକରଣ ନିମନ୍ତେ ଭାରତୀୟ ଷ୍ଟାମ୍ପ୍ ଅଧିନିୟମରେ ସଂଶୋଧନ ଅଧ୍ୟାଦେଶ ଜାରି ହୋଇଛି । ଏଣିକି ଆପାର୍ଟମେଣ୍ଟର ସାଧାରଣକ୍ଷେତ୍ର ଏବଂ ସୁବିଧାଗୁଡ଼ିକ ପାଇଁ ୫୦ ହଜାର ଟଙ୍କା ଷ୍ଟାମ୍ପ୍ ଦେୟ ଦେବାକୁ ପଡ଼ିବ । ବ୍ୟକ୍ତିଗତ ଆପାର୍ଟମେଣ୍ଟ ୟୁନିଟ୍ ବିକ୍ରି ସମୟରେ ସାଧାରଣ କ୍ଷେତ୍ର ଏବଂ ସୁବିଧାର ଅବିଭକ୍ତ ଅଂଶ ଉପରେ କେବଳ ୫ ପ୍ରତିଶତ ଷ୍ଟାମ୍ପ୍ ଦେୟ ଲାଗିବ । ଭାରତୀୟ ଷ୍ଟାମ୍ପ (ଓଡ଼ିଶା ସଂଶୋଧନ) ଅଧ୍ୟାଦେଶ ସମ୍ପର୍କିତ ବିଜ୍ଞପ୍ତି ଓଡ଼ିଶା ଗେଜେଟ୍ରେ ପ୍ରକାଶ ପାଇଛି । ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ଅଧିନିୟମ, ୨୦୨୩ ଅନୁଯାୟୀ ପ୍ରଥମ ଆପାର୍ଟମେଣ୍ଟ ହସ୍ତାନ୍ତର ଦଲିଲ୍ ପଞ୍ଜୀକରଣ ସମୟରେ ସମୁଦାୟ ସାଧାରଣ କ୍ଷେତ୍ର ଓ ସୁବିଧା ଗୁଡ଼ିକୁ ଆସୋସିଏସନ ଅଫ୍ ଆଲଟିଙ୍କ ସପକ୍ଷରେ ହସ୍ତାନ୍ତର କରିବା ବାଧ୍ୟତାମୂଳକ ଅଟେ ।
ଅଧିକ ପଢ଼ନ୍ତୁ : ବୁର୍ଜ ଖଲିଫା : ଗୋଟିଏ ଆପାର୍ଟମେଣ୍ଟ ଦାମ୍ କେତେ ?
ଏଥିପାଇଁ ଆସୋସିଏସନ ଅଫ୍ ଆଲଟିଙ୍କୁ ଦଲିଲ୍ ପଞ୍ଜୀକରଣ ନିମନ୍ତେ ୫% ଷ୍ଟାମ୍ପ ଦେୟ ଦେବାକୁ ପଡୁଥିଲା । ଯାହାକି ସେମାନଙ୍କ ଉପରେ ଅଧିକ ଆର୍ଥିକ ଭାର ସୃଷ୍ଟି କରୁଥିଲା ଏବଂ ଏହାଦ୍ଵାରା ଆପାର୍ଟମେଣ୍ଟ ପଞ୍ଜୀକରଣରେ ବାଧା ସୃଷ୍ଟି ହେଉଥିଲା । ବର୍ତ୍ତମାନ ଏହି ସଂଶୋଧନ ବଳରେ ଆପାର୍ଟମେଣ୍ଟରେ ଥିବା ସାଧାରଣ କ୍ଷେତ୍ର ଓ ସୁବିଧା ଗୁଡ଼ିକର ପଞ୍ଜୀକରଣ ନିମନ୍ତେ ଆସୋସିଏସନ୍ ଅଫ୍ ଆଲଟିଙ୍କୁ ଦଲିଲ ପଞ୍ଜୀକରଣ ପାଇଁ ୫୦ ହଜାର ଟଙ୍କା ଷ୍ଟାମ୍ପ ଦେୟ ଦେବାକୁ ପଡ଼ିବ । ପରବର୍ତ୍ତୀ ସମୟରେ ବ୍ୟକ୍ତିଗତ ଆପାର୍ଟମେଣ୍ଟ ୟୁନିଟ୍ ବିକ୍ରୟ ସମୟରେ ଆପାର୍ଟମେଣ୍ଟ ୟୁନିଟ୍ ସହ ସାଧାରଣ କ୍ଷେତ୍ର ଓ ସୁବିଧା ଗୁଡ଼ିକର ଅବିଭକ୍ତ ଅଂଶ ଉପରେ ୫ ପ୍ରତିଶତ ଷ୍ଟାମ୍ପ ଡ୍ୟୁଟି ଆନୁପାତିକ ଭାବେ ଆଦାୟ ହେବ । ଏହା ସହିତ ଅଧିନିୟମରେ ଥିବା ଆପାର୍ଟମେଣ୍ଟର ମୂଲ୍ୟ ଅନୁଯାୟୀ ୩ଟି ସ୍ଲାବ୍ ଯଥା ୩%, ୪%, ଓ ୫% ପରିବର୍ତ୍ତେ କେବଳ ୫% ଷ୍ଟାମ୍ପ ଦେୟ ଦେବାକୁ ପଡ଼ିବ ।
English 














































































































































































































































































































