ଜିନପିଙ୍ଗ୍ ଦେଇଥିଲେ ଗିଫ୍ଟ : ଡଷ୍ଟବିନରେ ଫିଙ୍ଗିଦେଲେ ଟ୍ରମ୍ପ୍, ଚୀନକୁ ଆମେରିକାର ବଡ଼ ଅପମାନ

କନକ ବ୍ୟୁରୋ : ରାଜନୀତିରେ ଯାହା ଦେଖାଯାଏ, ପ୍ରକୃତରେ ତାହା ହୋଇନଥାଏ। କ୍ୟାମେରା ସାମ୍ନାରେ ହାତ ମିଳାଉଥିବା ଦୁଇଟି ଦେଶ ପରସ୍ପରକୁ କେତେ ଅବିଶ୍ୱାସ କରନ୍ତି ତାର ଏକ ଜ୍ୱଳନ୍ତ ଉଦାହରଣ ଏବେ ସାମ୍ନାକୁ ଆସିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚୀନ ଗସ୍ତ ଶେଷ ହେବା ପରେ ଏକ ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ଯାହା ଦୁଇ ମହାଶକ୍ତିଙ୍କ ମଧ୍ୟରେ ଥିବା ଗଭୀର ଅବିଶ୍ୱାସ ଓ ଶତ୍ରୁତାକୁ ପଦାରେ ପକାଇ ଦେଇଛି। ସୋସିଆଲ ମିଡିଆରେ ଏବେ ଏକ ଫଟୋ ଜୋରଦାର ଭାଇରାଲ ହେବାରେ ଲାଗିଛି। ରିପୋର୍ଟ ଅନୁସାରେ, ବେଜିଂ କ୍ୟାପିଟାଲ ଏୟାରପୋର୍ଟରେ ଆମେରିକୀୟ ରାଷ୍ଟ୍ରପତିଙ୍କ ବିମାନ ‘ଏୟାର ଫୋର୍ସ ୱାନ’ ଉଡ଼ାଣ ଭରିବା ପୂର୍ବରୁ ଟ୍ରମ୍ପଙ୍କ ସମ୍ପୂର୍ଣ୍ଣ ପ୍ରତିନିଧି ଦଳ ଚୀନ ପକ୍ଷରୁ ମିଳିଥିବା ସମସ୍ତ ଉପହାର, ବ୍ୟାଜ୍, ଲ୍ୟାପେଲ୍ ପିନ୍ ଏବଂ ବର୍ନର ଫୋନକୁ ଏକ ବଡ଼ ଡଷ୍ଟବିନରେ ଫୋପାଡ଼ି ଦେଇଛନ୍ତି।
ଆଗକୁ ପଢ଼ନ୍ତୁ : କଳା କୋଟକୁ ଧଳା ଶାଢ଼ି : ଓକିଲ ବେଶରେ ହାଇକୋର୍ଟରେ ଦିଦି , ଲାଗିଲା ଚୋର-ଚୋରର ନାରା
ନ୍ୟୁୟର୍କ ପୋଷ୍ଟର ହ୍ୱାଇଟ୍ ହାଉସ ସମ୍ବାଦଦାତା ଏମିଲି ଗୁଡିନ୍ ଏହି ଘଟଣାର ପ୍ରତ୍ୟକ୍ଷଦର୍ଶୀ ରିପୋର୍ଟ ନିଜ ଏକ୍ସ ଆକାଉଣ୍ଟରେ ଶେୟାର କରିଛନ୍ତି। ସେ ଲେଖିଛନ୍ତି ଯେ, ଆମେରିକୀୟ ଷ୍ଟାଫ୍ ଚୀନ ଆତିଥେୟତା ଦ୍ୱାରା ଦିଆଯାଇଥିବା ସମସ୍ତ ସାମଗ୍ରୀ ଯେପରିକି କ୍ରେଡେନ୍ସିଆଲ୍ସ, ହ୍ୱାଇଟ୍ ହାଉସ କର୍ମଚାରୀଙ୍କ ବର୍ନର ଫୋନ୍ ଏବଂ ପ୍ରତିନିଧି ଦଳର ପିନ୍ଗୁଡ଼ିକୁ ବିମାନ ସିଡ଼ି ପାଖରେ ଥିବା ଡଷ୍ଟବିନରେ ଫିଙ୍ଗି ଦେଇଥିଲେ। ସେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଯେ, ‘ଚୀନରେ ପ୍ରସ୍ତୁତ କୌଣସି ବି ଜିନିଷ ଆମେରିକା ରାଷ୍ଟ୍ରପତିଙ୍କ ବିମାନ ଭିତରକୁ ଯାଇପାରିବ ନାହିଁ।’ ଏହି ଘଟଣା ଠିକ୍ ସେତିକି ବେଳେ ଘଟିଛି ଯେତେବେଳେ ଟ୍ରମ୍ପ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଦୁଇ ଦିନିଆ ଉଚ୍ଚସ୍ତରୀୟ ଶିଖର ସମ୍ମିଳନୀ ଶେଷ ହୋଇଥିଲା। ବାହାରକୁ ଦୁଇ ନେତା ବ୍ୟାପାର, ପ୍ରଯୁକ୍ତିବିଦ୍ୟା, ତାଇୱାନ ଏବଂ ଇରାନ ଭଳି ଗମ୍ଭୀର ପ୍ରସଙ୍ଗରେ ସକରାତ୍ମକ ଆଲୋଚନା କରିଥିବା କହିଥିଲେ ମଧ୍ୟ ପରଦା ପଛରେ ସୁରକ୍ଷା ଏବଂ ସାଇବର ସୁରକ୍ଷାକୁ ନେଇ ପ୍ରବଳ ତିକ୍ତତା ଥିଲା।
ଆମେରିକୀୟ ପ୍ରତିନିଧି ଦଳର ସଦସ୍ୟମାନେ ଚୀନ ଗସ୍ତ ପୂର୍ବରୁ ନିଜର ସମସ୍ତ ବ୍ୟକ୍ତିଗତ ଇଲେକ୍ଟ୍ରୋନିକ ଡିଭାଇସକୁ ଆମେରିକାରେ ଛାଡ଼ି ଆସିଥିଲେ। ସମ୍ପୂର୍ଣ୍ଣ ଗସ୍ତ ସମୟରେ ସେମାନେ କେବଳ ଅସ୍ଥାୟୀ ‘କ୍ଲିନ୍ ବର୍ନର ଫୋନ୍’ ବ୍ୟବହାର କରୁଥିଲେ, ଯେଉଁଥିରେ କୌଣସି ବ୍ୟକ୍ତିଗତ ତଥ୍ୟ ନଥାଏ। ପ୍ରତିରକ୍ଷା ଓ ସାଇବର ବିଶେଷଜ୍ଞଙ୍କ ମତରେ, ଏହି ପଦକ୍ଷେପ ବେଜିଂର ସାଇବର ସ୍ପାଏଙ୍ଗ ବା ଗୁଇନ୍ଦା କ୍ଷମତାକୁ ନେଇ ୱାଶିଂଟନର ପୁରୁଣା ଭୟର ପରିଣାମ । ଆମେରିକୀୟ ଅଧିକାରୀମାନେ ଗୁଇନ୍ଦା, ଟ୍ରାକିଂ କିମ୍ବା ଡାଟା ଲିକ୍ରୁ ବର୍ତ୍ତିବା ପାଇଁ ନିୟମିତ ଭାବେ ଏଭଳି କଠୋର ପ୍ରୋଟୋକଲ୍ ଆପଣାଇଥାନ୍ତି । ଚୀନ୍ ପକ୍ଷରୁ ଦିଆଯାଇଥିବା ଫୋନ୍ କିମ୍ବା ମେଟାଲ ପିନ୍ରେ କୌଣସି ଗୁପ୍ତ ଚିପ୍ କିମ୍ବା ବଗିଂ ଡିଭାଇସ୍ ଥାଇପାରେ ବୋଲି ଆମେରିକାର ସନ୍ଦେହ ଥିଲା। ଦେଖିବାକୁ ଗଲେ ଦୁଇ ଦେଶର ନେତା ପରସ୍ପରକୁ ପ୍ରଶଂସା କରିଛନ୍ତି ସତ କିନ୍ତୁ ବିମାନ ବନ୍ଦରର ଏହି ଡଷ୍ଟବିନ ଘଟଣା ପ୍ରମାଣ କରୁଛି ଯେ ଆମେରିକା ଓ ଚୀନ ମଧ୍ୟରେ ସମ୍ପର୍କ କେତେ ଦୁର୍ବଳ ଏବଂ ଅବିଶ୍ୱାସର ପାଚେରୀ କେତେ ଉଚ୍ଚ । ସାମ୍ନାସାମ୍ନି ବସି ବନ୍ଧୁତା କରୁଥିବା ଏହି ଦୁଇ ମହାଶକ୍ତି ବାସ୍ତବରେ ପରସ୍ପରକୁ କେତେ ଭୟ କରନ୍ତି, ତାହା ଏହି ଗୋଟିଏ ଘଟଣାରୁ ସ୍ପଷ୍ଟ ବାରି ହେଉଛି।”
English 








































































































































































































































































































































































































































































































































































































































































































































































































































































