ଅସହ୍ୟ ହେଉଛି ଗ୍ରୀଷ୍ମ ତାପ, ଝାଞ୍ଜିକୁ ପୁଞ୍ଜି କରିଛନ୍ତି ଅସ୍ତରଙ୍ଗର ବ୍ୟବସାୟୀ

କନକ ବ୍ୟୁରୋ : ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ଉପକୂଳରୁ ଉପାନ୍ତ ସବୁଠି ଡହ ଡହ ଖରା ସାଙ୍ଗକୁ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ। ସେପଟେ କିନ୍ତୁ ଏହି ଝାଞ୍ଜିକୁ ପୁଞ୍ଜି କରିଛନ୍ତି କିଛି ବ୍ୟବସାୟୀ। କାକଟପୁର ଓ ଅସ୍ତରଙ୍ଗ ଅଞ୍ଚଳରେ ପାରମ୍ପରିକ ପାନୀୟ ବିକ୍ରି କରି ଲୋକଙ୍କ ଶୋଷ ମେଣ୍ଟାଉଛନ୍ତି। ରାସ୍ତାକଡ଼ରେ ଜମୁଛି ଆଖୁ ରସ, ପଇଡ଼ ଓ ଲସିର ବ୍ୟବସାୟ।
ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ.ସାରା ରାଜ୍ୟରେ ଜାରି ରହିଛି ଅସହ୍ୟ ଗରମ ଓ ଗୁଳୁଗୁଳି। ପାରଦ ବୃଦ୍ଧି ପାଉଥିବା ବେଳେ ବଢୁଛି ପଥଚାରୀଙ୍କ ଶୋଷ। ଏହି ପ୍ରଚଣ୍ଡ ଖରାରୁ ରକ୍ଷା ପାଇବା ପାଇଁ ହାଟ, ବଜାରରେ ଜମୁଛି ପାରମ୍ପରିକ ମୃଦୁ ପାନୀୟର ଆସର। କାକଟପୁର ବଜାର କଲେଜ ଛକରେ ଦେଖିବାକୁ ମିଳୁଛି ନିଆରା ଦୃଶ୍ୟ। ୭୦ ବର୍ଷୀୟ ବୃଦ୍ଧ ଲକ୍ଷ୍ମୀଧର ବେହେରା, ଆଖୁ ପେସା ମେସିନ ଧରି ଗ୍ରାହକଙ୍କୁ ସତେଜ ଆଖୁ ରସ ଯୋଗାଇ ଆସୁଛନ୍ତି। ବରଫ, ଚିନି ଆଉ ଲେମ୍ବୁର ମିଶ୍ରଣରେ ପ୍ରସ୍ତୁତ ଏହି ଏକ ଗ୍ଲାସ ଆଖୁ ରସର ଦାମ୍ ମାତ୍ର ୨୦ ଟଙ୍କା ରହିଛି। ଦୈନିକ ସେ ଦୁଇ ହଜାରରୁ ଅଢେଇ ହଜାର ଟଙ୍କା ରୋଜଗାର କରି ନିଜ ପରିବାର ପ୍ରତିପୋଷଣ କରୁଛନ୍ତି। ସେହିପରି ମଙ୍ଗଳା ଛକରେ ୬୫ ବର୍ଷୀୟ ବୃଦ୍ଧ ଈଶ୍ୱର କାଣ୍ଡି ମଧ୍ୟ ଖରାକୁ ଖାତିର ନକରି ପଇଡ଼ ବ୍ୟବସାୟ କରି ବେଶ୍ ଦି ପଇସା ଲାଭ କରୁଛନ୍ତି।
ଖାଲି କାକଟପୁର ନୁହେଁ, ଅସ୍ତରଙ୍ଗ ବଜାରରେ ଦେଖିବାକୁ ମିଳୁଛି ସମାନ ଦୃଶ୍ୟ। ବଜାରରେ ମିଳୁଥିବା ନାମୀଦାମୀ କମ୍ପାନୀର କୋଲ୍ଡ ଡ୍ରିଙ୍କସ୍କୁ ପଛରେ ପକାଇ ଲୋକେ ଏବେ ପାରମ୍ପରିକ ଦହି ଲସି ମୁହାଁ। ଯୁବ ବ୍ୟବସାୟୀ ବାବୁଲ ସ୍ୱାଇଁଙ୍କ ଲସି ଦୋକାନରେ ଲାଗୁଛି ଗ୍ରାହକଙ୍କ ଭିଡ଼। ପଥଚାରୀମାନେ ନିଜର ତୃଷା ମେଣ୍ଟାଇବା ପାଇଁ ଏଠାକୁ ଛୁଟି ଆସୁଛନ୍ତି। ଅନ୍ୟପଟେ ରାସ୍ତା କଡ଼ରେ ଭରତ ଦାସ ନାମକ ବ୍ୟକ୍ତି ତାଳସଜ ଓ ତରଭୁଜ ପସରା ମେଲାଇ ବସିଛନ୍ତି।
ଗ୍ରାହକମାନେ ପାରମ୍ପରିକ ଓ ସ୍ୱାସ୍ଥ୍ୟକର ପାନୀୟ ପାଇ ଖୁସି ବ୍ୟକ୍ତ କରୁଛନ୍ତି। ବ୍ୟବସାୟୀ ମାନେ ମଧ୍ୟ ଏହି ଗ୍ରୀଷ୍ମ ଋତୁରେ ଭଲ ରୋଜଗାର କରି ନିଜକୁ ଆତ୍ମନିର୍ଭରଶୀଳ କରିପାରୁଛନ୍ତି। ଆଧୁନିକତା ଭିତରେ ହଜିଯାଉଥିବା ଏହି ପାରମ୍ପରିକ ଖାଦ୍ୟ ଓ ପାନୀୟ ପୁଣିଥରେ ବଜାରରେ ନିଜର ଆଧିପତ୍ୟ ବିସ୍ତାର କରିଛି।
English 



















































































































































































































































































































































































































































































































































































































































































































































































































































































































































































































