ହର୍ମୁଜ ପ୍ରଣାଳୀରେ ବାଣିଜ୍ୟିକ ଜାହାକୁ ଟାର୍ଗେଟ: ଜାତିସଂଘରେ ଚିନ୍ତା ପ୍ରକଟ କଲା ଭାରତ

କନକ ବ୍ୟୁରୋ:ହର୍ମୁଜ ପ୍ରଣାଳୀରେ ବାଣିଜ୍ୟିକ ଜାହାଜକୁ ଟାର୍ଗେଟ କରାଯିବାକୁ ନେଇ ଭାରତ ଜାତିସଂଘରେ ଚିନ୍ତା ପ୍ରକଟ କରିଛି। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ପର୍ବତନେନି ହରିଶ୍ ହର୍ମୁଜ ପ୍ରଣାଳୀରେ ନାବିକଙ୍କ ଜୀବନ ବିପଦରେ ପକାଇ ଓ ନୌଚାଳନା ସ୍ୱାଧୀନତାରେ ବାଧା ସୃଷ୍ଟି କରି ବାଣିଜ୍ୟିକ ଜାହାଜକୁ ଟାର୍ଗେଟ କରାଯିବା ଗ୍ରହଣଯୋଗ୍ୟ ନୁହେଁ ବୋଲି କହିଛନ୍ତି। ଜାହାଜଗୁଡ଼ିକର ସୁରକ୍ଷିତ ପରିଚାଳନା ନେଇ ଅନ୍ତର୍ଜାତୀୟ ନିୟମକୁ ପୂର୍ଣ୍ଣ ସମ୍ମାନ ଦେବାକୁ ସେ କହିଥିଲେ। ଓମାନ ଉପକୂଳରେ ଭାରତୀୟ ଜାହାଜ ଉପରେ ଆକ୍ରମଣ ପରେ ଜାତିସଂଘ ଅର୍ଥନୀତି ଓ ସାମାଜିକ ପରିଷଦର ସ୍ବତନ୍ତ୍ର ବୈଠକରେ ଭାରତ ଏହି ମତ ରଖିଛି। ସୋମାଲିଆରୁ ଆସୁଥିବା ଭାରତୀୟ ଜାହାଜର ସମସ୍ତ ୧୪ କ୍ରୁ ସଦସ୍ୟଙ୍କୁ ଓମାନ କର୍ତ୍ତୃପକ୍ଷ ଉଦ୍ଧାର କରିଥିଲେ। କିନ୍ତୁ କିଏ ଭାରତୀୟ ଜାହାଜ ଉପରେ ଆକ୍ରମଣ କରିଥିଲା ତାହା ଜଣାପଡ଼ିନାହିଁ। ଜାତିସଂଘରେ ଭାରତର ଆଭିମୁଖ୍ୟ ସମ୍ପର୍କରେ ହରିଶ ତାଙ୍କ ‘ଏକ୍ସ’ ଆକାଉଣ୍ଟରେ ମଧ୍ୟ ସୂଚନା ଦେଇଛନ୍ତି। ସଙ୍କଟର ମୁକାବିଲା ପାଇଁ ଅନ୍ତର୍ଜାତୀୟ ସହଯୋଗ ସହିତ କ୍ଷଣସ୍ଥାୟୀ ଓ ସାଂରଚନିକ ପଦକ୍ଷେପର ମିଶ୍ରଣ ଜରୁରୀ ଅଛି ବୋଲି ହରିଶ କହିଛନ୍ତି। ସୂଚନାଯୋଗ୍ୟ, ମେ ୧୩ ତାରିଖରେ ହର୍ମୁଜ ପ୍ରଣାଳୀରେ ଭାରତୀୟ ପତାକା ବହନ କରୁଥିବା ଜାହାଜ ଉପରେ ଆକ୍ରମଣ ହୋଇଥିଲା।
ଆହୁରି ପଢ଼ନ୍ତୁ:ରଜନୀ ଓ ବିଜୟଙ୍କ ଭିତରେ ସବୁକିଛି ଠିକ୍ ଠାକ୍ ତ? ଥାଲାପତିଙ୍କୁ ନେଇ ପ୍ରଥମଥର ମୁହଁ ଖୋଲିଲେ ଥାଲାଇଭା
English 



























































































































































































































































































































































































































































































































































































































































































































































































































































































