ପର୍ଯ୍ୟଟକଙ୍କୁ ଟାଣୁଛି ଲାଲ୍ ଲିଚୁର ମିଠା ମହକ, ୪ ଶହ ପରିବାର ପାଇଁ ପାଲଟିଛି ମୁଖ୍ୟ ରୋଜଗାର

କନକ ବ୍ୟୁରୋ : ଖରାଦିନରେ ମନ ଖୋଜେ ଟିକେ ଶାନ୍ତି ଆଉ ଜିଭ ଖୋଜେ କିଛି ମିଠା ଓ ରସାଳ ଫଳର ସ୍ବାଦକୁ। ଆଉ ସେହି ଫଳ ଯଦି ହୋଇଥାଏ ରସାଳ ଲିଚୁ ହୁଏ ତେବେ ମଜା କିଛି କିଛି ଅଲଗା। ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ବଡ଼ବାହାଲ ଗାଁ ଏବେ ଲାଲ୍ ରଙ୍ଗରେ ରଙ୍ଗେଇ ହୋଇଛି। ବଣ ପାହାଡ଼ ଘେରା ପ୍ରାକୃତିକ ପରିବେଶ ଭିତରେ ଗଛରେ ଝୁଲୁଥିବା ଲିଚୁ କେବଳ ପର୍ୟ୍ୟଟକଙ୍କୁ ଆକର୍ଷିତ କରୁନାହିଁ, ବରଂ ଶତାଧିକ ପରିବାରର ମୁହଁରେ ହସ ଫୁଟାଉଛି।
ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ବଡ଼ବାହାଲ ଗାଁ। ସବୁଜିମା ଭରା ପାହାଡ଼ ତଳେ ଥିବା ଏହି ଗାଁଟି ଏବେ ପାଲଟିଛି ଲିଚୁର ହବ୍। ପ୍ରାକୃତିକ ପରିବେଶ ସାଙ୍ଗକୁ ପ୍ରସିଦ୍ଧ ଗୁଦଗୁଦା ଜଳପ୍ରପାତର ଥଣ୍ଡା ଜଳବାୟୁ ଏଠାକାର ଲିଚୁ ଚାଷ ପାଇଁ ସାଜିଛି ବରଦାନ। ରାଜା ରାଜୁଡ଼ା ଅମଳରୁ ଆରମ୍ଭ ହୋଇଥିବା ଏହି ଚାଷ ଆଜି ଗାଁର ୪ ଶହରୁ ଅଧିକ ପରିବାର ପାଇଁ ରୋଜଗାରର ମୁଖ୍ୟ ମାଧ୍ୟମ ପାଲଟିଛି। ଗଛର ଯତ୍ନ ନେବାଠାରୁ ଆରମ୍ଭ କରି, ପାଚିଲା ଲିଚୁ ତୋଳିବା ଏବଂ ତାକୁ ବିଡ଼ା ବାନ୍ଧି ବଜାରକୁ ପଠାଇବା ପର୍ୟ୍ୟନ୍ତ, ପରିବାରର ପ୍ରତିଟି ସଦସ୍ୟ ଲାଗି ପଡ଼ିଥାନ୍ତି ଏହି କାମରେ।
ବଡ଼ବାହାଲ ଲିଚୁର ବଡ଼ ବିଶେଷତ୍ୱ ହେଉଛି ଏହା ସମ୍ପୂର୍ଣ୍ଣ ପ୍ରାକୃତିକ ଏବଂ କେମିକାଲ୍ ମୁକ୍ତ। କେବଳ ସ୍ଥାନୀୟ ବଜାର ନୁହେଁ, ବରଂ ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ରାଉରକେଲା ଏବଂ ଭୁବନେଶ୍ୱର ପରି ପ୍ରମୁଖ ସହରରେ ଏହାର ଭରପୂର ଚାହିଦା ରହିଛି। ଏପରିକି ପଡ଼ୋଶୀ ରାଜ୍ୟ ଛତିଶଗଡ଼ରୁ ବେପାରୀମାନେ ଏଠାକୁ ଆସି ଲିଚୁ ନେଇଥାନ୍ତି। ଚଳିତ ବର୍ଷ ବଜାର ଦର ଭଲ ଥିବାରୁ ଚାଷୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଏହି ଲିଚୁ ବ୍ୟବସାୟରୁ ଗାଁର ଶତାଧିକ ପରିବାର ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରି ନିଜର ଆର୍ଥିକ ମେରୁଦଣ୍ଡ ସୁଦୃଢ଼ କରିପାରିଛନ୍ତି।
ଖରାଦିନେ କୁଚିଣ୍ଡାର ଗର୍ବ ଓ ଗୌରବ ଗୁଦଗୁଦା ଜଳପ୍ରପାତକୁ ଯିଏ ବୁଲି ଆସିଛି, ସିଏ ଗଲା ବେଳେ ବଡ଼ବାହାଲର ଲିଚୁ ନ ନେଇ କେବେ ଖାଲି ହାତରେ ଫେରିନାହିଁ। ପ୍ରକୃତିର ଏହି ଅନନ୍ୟ ଉପହାର ଏବେ କୁଚିଣ୍ଡାକୁ ଦେଇଛି ଏକ ନୂଆ ପରିଚୟ।
English 



















































































































































































































































































































































































































































































































































































































































































































































































































































































































































































































