ବିବାଦରେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି, ମହିଳାଙ୍କୁ ନେଇ ମସ୍କ କହିଲେ ଏମିତି

କନକ ବ୍ୟୁରୋ: ଟେକ୍ ଜଗତର ସମ୍ରାଟ ତଥା ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ପୁଣି ଥରେ ନିଜର ଏକ ବିବାଦୀୟ ବୟାନ ଦେଇ ଫସିଯାଇଛନ୍ତି । ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘X’ର ମାଲିକ ମସ୍କ ଏଥର ତାଙ୍କର ପ୍ରତିଦ୍ୱନ୍ଦ୍ୱୀ କମ୍ପାନି ମେଟାର ଲୋକପ୍ରିୟ ଆପ୍ ‘ଇନଷ୍ଟାଗ୍ରାମ୍’କୁ ଟାର୍ଗେଟ୍ କରିଛନ୍ତି । ମସ୍କ ଏକ ପୋଷ୍ଟରେ ଲେଖିଛନ୍ତି ଯେ “ଇନଷ୍ଟାଗ୍ରାମ୍ କେବଳ ଝିଅମାନଙ୍କ ପାଇଁ । ତାଙ୍କର ଏହି ଧାଡ଼ିଏ କଥା ଏବେ ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି । ଅନେକ ବ୍ୟବହାରକାରୀ ଏହାକୁ ‘ଲିଙ୍ଗଗତ ପାତରଅନ୍ତର’ ଏବଂ ‘ମହିଳା ବିରୋଧୀ’ ବୋଲି ଦର୍ଶାଇ ମସ୍କଙ୍କୁ କଡ଼ା ସମାଲୋଚନା କରିବାକୁ ଲାଗିଲେଣି ।
ବାସ୍ତବରେ ‘X’ ପ୍ଲାଟଫର୍ମରେ ପୋଷ୍ଟ ଭାଇରାଲ୍ ହେଉଥିଲା, ଯେଉଁଥିରେ ଲୋକଙ୍କ ସୋସିଆଲ୍ ମିଡିଆ ଅଭ୍ୟାସ ଓ ସେମାନଙ୍କ ଜୀବନର ବିଭିନ୍ନ ପର୍ଯ୍ୟାୟକୁ ନେଇ କିଛି ମଜାଦାର ଚର୍ଚ୍ଚା ଚାଲିଥିଲା । ଏହି ଚର୍ଚ୍ଚାରେ ଇନଷ୍ଟାଗ୍ରାମରେ ଷ୍ଟୋରୀ ଅପଲୋଡ୍ କରିବା, ନିଜେ ତିଆରି କରିଥିବା ଖାଦ୍ୟର ଫଟୋ ଶେୟାର କରିବା ଏବଂ ସେଲଫି ପୋଷ୍ଟ କରିବା ଭଳି ଟ୍ରେଣ୍ଡ୍ ବିଷୟରେ ଆଲୋଚନା ହେଉଥିଲା । ଏହି ଥ୍ରେଡ୍ରେ ନିଜର ପ୍ରତିକ୍ରିୟା ରଖି ଏଲନ୍ ମସ୍କ ଲେଖିଥିଲେ, ଇନଷ୍ଟାଗ୍ରାମ୍ କେବଳ ଝିଅମାନଙ୍କ ପାଇଁ ।
ବିବାଦ ଏତିକିରେ ଥମି ନଥିଲା । ଯେତେବେଳେ ୟୁଜର୍ସମାନେ ମସ୍କଙ୍କ ଏହି ମନ୍ତବ୍ୟ ଉପରେ ପ୍ରତିବାଦ କଲେ, ମସ୍କ ନିଜ ଜିଦ୍ରେ ଅଟଳ ରହି ଆଉ ଏକ ବିବାଦୀୟ ପୋଷ୍ଟ କଲେ । ସେ ଲେଖିଲେ, “ନିଶ୍ଚିତ ଭାବରେ, ବେଳେବେଳେ ବୟସ୍କ ପୁରୁଷମାନେ ମତେ ସେମାନଙ୍କର ଇନଷ୍ଟାଗ୍ରାମ୍ ପ୍ରୋଫାଇଲ୍ ଲିଙ୍କ୍ ପଠାନ୍ତି, ଆଉ ମୁଁ ଭାବେ କି ଆପଣ କ’ଣ ଲିଙ୍ଗ ପରିବର୍ତ୍ତନ କରୁଛନ୍ତି କି ? ପୁରୁଷ ଇନଷ୍ଟାଗ୍ରାମ୍ ବ୍ୟବହାରକାରୀଙ୍କ ପ୍ରତି ମସ୍କଙ୍କ ଏଭଳି ଥଟ୍ଟା ପରିହାସ ନିଆଁରେ ଘିଅ ଢାଳିବା ଭଳି । ଲୋକେ ଏହାକୁ ଅତ୍ୟନ୍ତ ସଂକୀର୍ଣ୍ଣ ମାନସିକତା ଏବଂ ଏଲନ୍ ମସ୍କଙ୍କ ଅହଂକାରର ପ୍ରତୀକ ବୋଲି କହୁଛନ୍ତି ।
ବିଶେଷଜ୍ଞ ଏବଂ ଆଇଟି ସମୀକ୍ଷକଙ୍କ କହିବା ଅନୁଯାୟୀ, ମେଟା କମ୍ପାନିର ସିଇଓ ମାର୍କ ଜୁକରବର୍ଗଙ୍କ ସହ ମସ୍କଙ୍କର ବ୍ୟବସାୟିକ ଶତ୍ରୁତା ରହିଛି । ମସ୍କ ସବୁବେଳେ ନିଜ ପ୍ଲାଟଫର୍ମ ‘X’ କୁ ସବୁଠୁ ଶ୍ରେଷ୍ଠ ବୋଲି ଦର୍ଶାଇବାକୁ ଚେଷ୍ଟା କରନ୍ତି । ଅନ୍ୟପଟେ ଇନଷ୍ଟାଗ୍ରାମ୍ ଏବଂ ଫେସବୁକ୍କୁ ସେ ଅଲୋଡ଼ା ବୋଲି କହି ଆସିଛନ୍ତି । ଏହା ପୂର୍ବରୁ ମଧ୍ୟ ସେ ମେଟା ମାଲିକାନାରେ ଥିବା ହ୍ୱାଟସ୍ଆପର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇ ‘X Chat’ ବ୍ୟବହାର କରିବାକୁ ଲୋକଙ୍କୁ ପରାମର୍ଶ ଦେଇଥିଲେ । ଅନେକ ୟୁଜର୍ସ ଲେଖିଛନ୍ତି ଯେ ଇନଷ୍ଟାଗ୍ରାମରେ କୋଟି କୋଟି ପୁରୁଷ ବ୍ୟବସାୟୀ, କ୍ରିଏଟର ଏବଂ ସେଲିବ୍ରିଟି ଅଛନ୍ତି । କୌଣସି ଆପ୍କୁ ଏଭଳି ଭାବେ ଲିଙ୍ଗ ଭିତ୍ତିରେ ଭାଗ କରିବା ମସ୍କଙ୍କ ପରି ବଡ଼ ବ୍ୟକ୍ତିଙ୍କୁ ଶୋଭା ପାଏନାହିଁ ।
ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ଧନୀ ବ୍ୟକ୍ତିଙ୍କ ମୁହଁରୁ ଏଭଳି ବୟାନ ଆସିବା ପରେ ସୋସିଆଲ୍ ମିଡିଆ ଯୁଦ୍ଧ ଆହୁରି ବଢ଼ିପାରେ । ଏହା ମେଟା ଏବଂ ‘X’ ମଧ୍ୟରେ ଚାଲିଥିବା ଡିଜିଟାଲ୍ ବ୍ୟବସାୟିକ ଲଢ଼େଇକୁ ଆଉ ଏକ ନୂଆ ମୋଡ଼ ଦେଇଛି । ତେବେ ଏହି ବିବାଦ ପରେ ମାର୍କ ଜୁକରବର୍ଗ କିମ୍ବା ଇନଷ୍ଟାଗ୍ରାମ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ଆଧିକାରିକ ପ୍ରତିକ୍ରିୟା ଆସିନାହିଁ ।
English 















































































































































































































































































































































































































































































































































































































































































































































































































































































































































































































































































































