#Local

ଜୀବିକା ହରାଇବାକୁ ବସିଲେଣି ଅଟୋ ଚାଳକ ; ଆଶଙ୍କାରେ ୪ ହଜାରରୁ ଅଧିକ ପରିବାର

କନକ ବ୍ୟୁରୋ : ତେଲ ପାଇଁ ତ୍ରାହି ତ୍ରାହି , ପେଟ୍ରୋଲ ପମ୍ପରେ ଭିଡ଼ । ତୈଳ ସଂକଟର ଉତ୍କଟ ଚିତ୍ର ରାଜଧାନୀରୁ ଗାଁ ଯାଏଁ ସବୁଠି ଦୃଶ୍ୟମାନ । କିନ୍ତୁ ଯେଉଁଠି ଦିନେ ଭିଡ଼ ଥିଲା, ସେଠି ଏବେ ସଂକଟର କଳା ବାଦଲ । ତୈଳ ଦର ବୃଦ୍ଧି ପାଇଁ କେବଳ ଗୋଟିଏ ସହରର ୪ହଜାରରୁ ଅଧିକ ପରିବାର ଏବେ ସଂକଟରେ । 

ରୋଜଗାର ପ୍ରଭାବିତ ହୋଇଛି, ଅଟୋ ଅଛି କିନ୍ତୁ ଗ୍ରାହକ ନାହିଁ । କେଉଁଠି ରାସ୍ତା କଡ଼ରେ ଛିଡ଼ା ହୋଇଛି ଅଟୋ ତ ଆଉ କେଉଁଠି ଷ୍ଟାଣ୍ଡରେ ଧୂଳି ଖାଉଛି । ସ୍ଥିତି ଏମିତି ଯେ କିଛି ଚାଳକ ଅଟୋ ବିକ୍ରି କରି ଆୟର ଅଲଗା ପନ୍ଥା ଖୋଜିଲେଣି । ପ୍ରଥମେ ସିଟି ବସ୍ ଚଳାଚଳ ପାଇଁ ଅଟୋଚାଳକଙ୍କ ରୋଜଗାର ପ୍ରଭାବିତ ହୋଇଥିଲା । ଅଟୋରୁ ମୁହଁ ଫେରାଇନେଲେ ଅନେକ ଗ୍ରାହକ । ଏବେ ତେଲ ଦର ବଢ଼ିବା ପରେ ହରଡ଼ଘଣାରେ ପଡ଼ିଛି ଅଟୋ ଚାଳକ ସଂଘ । ଦର ବଢ଼ାଇଲେ ଗ୍ରାହକ ମିଳୁନାହାନ୍ତି । ଦର କମାଇଲେ ପରିବାରକୁ ଅଣ୍ଟୁନି । ଶେଷରେ ଅଟୋ ବିକ୍ରି କରି କିଏ ଗାଁ ମୁହାଁ ତ ଆଉ କିଏ ଛୋଟମୋଟ କାମ ସନ୍ଧାନରେ । 

ସମ୍ବଲପୁର, ହୀରାକୁଦ ଓ ବୁର୍ଲାରେ ପ୍ରାୟ ୪୫୦୦ ଅଟୋ ରହିଛି। ଯେଉଁଥିରେ ୪୫୦୦ ପରିବାରର ଚୁଲି ଜଳୁଛି। କିନ୍ତୁ ୨ରୁ ୩ ବର୍ଷ ହେବ ଅଟୋ ଚାଳକଙ୍କ ଆୟ ପ୍ରାୟ ୬୦ ପ୍ରତିଶତ କମିଥିବା କହିଛି ସଂଘ। ଏହାସହିତ ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି ଏବେ ଏମାନଙ୍କ ଅଣ୍ଟା ଭାଙ୍ଗିଦେଇଛି। ଅଟୋ ଚାଳକଙ୍କ କହିବା କଥା, ଅନେକ ପମ୍ପରେ ଡିଜେଲ ମିଳୁନି। ଆଉ ଯେହେତୁ ଡିଜେଲ ଦର ବଢ଼ିଛି, ଭଡ଼ା ଅଧିକ କହିଲେ ଯେଉଁ କିଛି ଗ୍ରାହକ ଆସୁଥିଲେ ସେମାନେ ବି ଆସୁନାହାନ୍ତି। ଫଳରେ ରୋଜଗାର ପୂରା ଠପ୍ ହୋଇ ଯାଇଛି। ସରକାର ସହଯୋଗ ନକଲେ ଆଗାମୀ ଦିନରେ ଖାଇବାକୁ ମିଳିବନି ବୋଲି କହିଛନ୍ତି ଅଟୋ ଚାଳକ । ତୈଳ ସଂକଟ ସାଧାରଣ ଖାଉଟିଙ୍କ ପକେଟ କାଟୁଛି, ଏହାସହିତ ଅନେକ ପରିବାରର ଚିନ୍ତା ବଢ଼ାଇଦେଇଛି । 

 

ଜୀବିକା ହରାଇବାକୁ ବସିଲେଣି ଅଟୋ ଚାଳକ ; ଆଶଙ୍କାରେ ୪ ହଜାରରୁ ଅଧିକ ପରିବାର

Odisha parents endure 22 years of pain

Leave a comment

Your email address will not be published. Required fields are marked *