ପ୍ରଶାସନର ନିୟମକୁ ଫୁ’ ; ନିଷିଦ୍ଧାଞ୍ଚଳରେ ଗଡ଼ୁଛି ମାଳମାଳ ବସ୍

କନକ ବ୍ୟୁରୋ : ସହର ବିକାଶ ଲାଗି ପ୍ରଶାସନ ନିୟମ କରୁଛି ତାଗିଦ ବି କରୁଛି ହେଲେ କାମରେ ଆସୁନି , ମାନୁ ନାହାନ୍ତି ବସ୍ ଚାଳକ । ସୃଷ୍ଟି ହେଉଛି ଟ୍ରାଫିକ ଜାମ୍ ଭଳି ପରିସ୍ଥିତି। କିଛି ଅମାନିଆ ବସ୍ ଚାଳକଙ୍କ ଲାଗି ହନ୍ତସନ୍ତ ହେଉଛନ୍ତି ସାଧାରଣ ଜନତା । କେମିତି ସୁଧୁରିବ ଟ୍ରାଫିକ ସମସ୍ୟା ? ବ୍ରହ୍ମପୁର ସହରର ପ୍ରମୁଖ ସମସ୍ୟା କହିଲେ ତାଲିକାର ପ୍ରଥମ ସ୍ଥାନରେ ରହିଛି ଟ୍ରାଫିକ ସମସ୍ୟା । ଏଥରୁ ମୁକ୍ତି ପାଇବା ଲାଗି ଗେଟ୍ ବଜାର ଓଭର ବ୍ରିଜ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି। ଏଥିପାଇଁ ଦୁଇଟି ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ହୋଇଛି। ଆଉ ଏଥିଲାଗି ସହର ମଧ୍ୟରେ ବସ୍ ଚଳାଚଳ ଉପରେ କଟକଣା ଜାରି କରିଛି ପ୍ରଶାସନ । ହାତ ଗଣତି ରାସ୍ତାରେ ବସ୍ ଚଳାଚଳ ଲାଗି ନିୟମ କରିଛି ପ୍ରଶାସନ ।
ଭୁବନେଶ୍ୱର, ପୁରୁଷୋତ୍ତମପୁର ଓ ଆନ୍ଧ୍ର ପଟୁ ସହରକୁ ପ୍ରବେଶ କରୁଥିବା ବସ୍ଗୁଡ଼ିକ କମାପଲ୍ଲୀ, ଗିରି ରୋଡ୍ ଓ ଗୋଷାଣୀ ନୂଆଗାଁ ରାସ୍ତା ବ୍ୟବହାର ଲାଗି ନିୟମ କରିଛି ପ୍ରଶାସନ । ହେଲେ ସେ ନିୟମ ମାନିବା ତ ଦୂରର କଥା, କିଛି ଅମାନିଆ ବସ୍ ଚାଳକ ଖଲ୍ଲିକୋଟ କଲେଜ ଛକ ଓ ସିଟି ହସ୍ପିଟାଲ ଭଳି ନିଷିଦ୍ଧାଞ୍ଚଳରେ ବସ୍ ଚଳାଇ ଟ୍ରାଫିକ୍ ସମସ୍ୟା ସୃଷ୍ଟି କରୁଛନ୍ତି।
ବିକାଶ ମୁହାଁ ବ୍ରହ୍ମପୁର ସହରରେ ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ପାଇବା ସାଙ୍ଗକୁ ସହରର ସମ୍ପ୍ରସାରଣ ହେବାରେ ଲାଗିଛି। ସମସ୍ୟା ସମାଧାନ ଲାଗି ପ୍ରଶାସନ ନିୟମ କରୁଛି। ତଦାରଖ ଅଭାବରୁ କାର୍ଯ୍ୟକାରୀ ହେବା ତ ଦୂରର କଥା ଫୁ କରି ଉଡ଼େଇ ଦେଉଛନ୍ତି ଅମାନିଆ। ଅନ୍ୟପକ୍ଷେ ଅତିଶୀଘ୍ର ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବ୍ରହ୍ମପୁର ଏସ୍ପି। କେବେ ସାବାଡ଼ ହେବେ ଅମାନିଆ? କେମିତି ସୁଧୁରିବ ସମସ୍ୟା? ଦୀର୍ଘ ଦିନର ଟ୍ରାଫିକ ସମସ୍ୟାରେ କେବେ ପଡ଼ିବ ପୂର୍ଣ୍ଣଚ୍ଛେଦ? ତାକୁ ହିଁ ଅପେକ୍ଷା ।
English 












































































































































































































































































































































































































































































































































































































































































































