ପେସାରେ ସଫ୍ଟୱେର ଇଞ୍ଜିନିୟର, ହେଲେ ମନରେ ମାଟିର ନିଶା, ଫଳାଉଛନ୍ତି ୧୦୦ ପ୍ରଜାତିରୁ ଅଧିକ ଡ୍ରାଗନଫ୍ରୁଟ୍

କନକ ବ୍ୟୁରୋ : ପେଶାରେ ସେ ଜଣେ ସଫ୍ଟୱେର ଇଞ୍ଜିନିୟର, କିନ୍ତୁ ନିଶା ତାଙ୍କର ଚାଷ। କମ୍ପ୍ୟୁଟର କି-ବୋର୍ଡରୁ ସମୟ ବାହାର କରି ସେ ଏବେ ମାଟି ମନସ୍କ। କରୋନା ମହାମାରୀ ସମୟରେ ‘ୱର୍କ ଫ୍ରମ୍ ହୋମ୍’ କରୁଥିବା ବେଳେ ଆରମ୍ଭ କରିଥିବା ଡ୍ରାଗନଫ୍ରୁଟ୍ ଚାଷ, ଆଜି ତାଙ୍କୁ ଚଖାଇଛି ସଫଳତାର ସ୍ବାଦ। ୧୦୦ରୁ ଅଧିକ ପ୍ରଜାତିର ଡ୍ରାଗନଫ୍ରୁଟ୍ ଚାଷ କରି ବାର୍ଷିକ ଲକ୍ଷାଧିକ ଟଙ୍କା ଆୟ କରୁଛନ୍ତି। ନିଜେ ରୋଜଗାର କରିବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି କେନ୍ଦ୍ରାପଡ଼ାର ଯୁବ ଇଞ୍ଜିନିୟର।
କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ବିଜୟନଗର ଗ୍ରାମର ପ୍ରଭାତ କୁମାର ନାଥଶର୍ମା। ବାଙ୍ଗାଲୋରରେ ଜଣେ ସଫ୍ଟୱେର ଇଞ୍ଜିନିୟର ଭାବେ କାର୍ୟ୍ୟ କରୁଥିବା ପ୍ରଭାତ, ୨୦୨୦ ମସିହା କରୋନା ଲକଡାଉନ୍ ସମୟରେ ଗାଁକୁ ଫେରିଥିଲେ। ‘ୱର୍କ ଫ୍ରମ୍ ହୋମ୍’ କରୁଥିଲେ ମଧ୍ୟ ପିଲାଟି ଦିନରୁ ଚାଷ ପ୍ରତି ଥିବା ତାଙ୍କର ଦୁର୍ବଳତା ତାଙ୍କୁ ସ୍ଥିର ହୋଇ ବସିବାକୁ ଦେଇନଥିଲା। ନିଜର ପୈତୃକ ୫୦ ଡିସିମିଲ ପଡ଼ିଆ ଜମିରେ ସେ ଆରମ୍ଭ କଲେ ଡ୍ରାଗନଫ୍ରୁଟ୍ ଚାଷ। ତାଙ୍କ ବଗିଚାରେ ଏବେ ଇସ୍ରାଏଲ୍ ୟେଲୋ, ମିପବାଓ, ଟନସେନ୍ ପିଙ୍କ୍, ପାଲୋରା ଗୋଲ୍ଡ ଓ ବ୍ଲାକ ଆଫ୍ରିକାନ୍ ଭଳି ୧୦୦ରୁ ଅଧିକ ବିଦେଶୀ ପ୍ରଜାତିର ଡ୍ରାଗନଫ୍ରୁଟ୍ ଶୋଭା ପାଉଛି। ବଜାରରେ ଏହି ଫଳ କେଜି ପ୍ରତି ୨୦୦ରୁ ୨୫୦ ଟଙ୍କାରେ ବିକ୍ରି ହେଉଛି। ସ୍ଥାନୀୟ ବ୍ୟବସାୟୀ ଓ ଲୋକେ ବଗିଚାରୁ ହିଁ ଏହାକୁ କିଣି ନେଉଛନ୍ତି। କେବଳ ଡ୍ରାଗନଫ୍ରୁଟ୍ ନୁହେଁ, ତାଙ୍କ ବଗିଚାରେ ଅଞ୍ଜିର, ମଲବେରୀ, ଆପଲବେରୀ, ଷ୍ଟ୍ରବେରୀ ଓ ଡାଳିମ୍ବ ଭଳି ଅନେକ ଫଳ ମଧ୍ୟ ଭରପୂର ହୋଇ ରହିଛି। ଏହି ସଫଳତା ପଛରେ ପୂରା ପରିବାରର ସହଯୋଗ ରହିଥିବା କହନ୍ତି ପ୍ରଭାତ।
ପ୍ରଭାତ କେବଳ ଉତ୍ପାଦନ କରୁନାହାନ୍ତି, ବରଂ ନିଜେ ଡ୍ରାଗନଫ୍ରୁଟ୍ ଚାରା ପ୍ରସ୍ତୁତ କରି ରାଜ୍ୟର ବିଭିନ୍ନ ପ୍ରାନ୍ତକୁ ପଠାଉଛନ୍ତି। ବିଭିନ୍ନ ପ୍ରଜାତିର ଚାରା ୫୦ ଟଙ୍କାରୁ ଆରମ୍ଭ କରି ୧୦୦ ଟଙ୍କା ପର୍ୟ୍ୟନ୍ତ ଅନଲାଇନ୍ ଓ ଅଫଲାଇନ୍ ମାଧ୍ୟମରେ ବିକ୍ରି ହେଉଛି। ଅଫିସ୍ କାର୍ୟ୍ୟ ସରିବା ପରେ ବଳକା ସମୟକୁ ସେ ସମ୍ପୂର୍ଣ୍ଣ ଭାବେ ବଗିଚାରେ ବିତାନ୍ତି। ଗଛ ମୂଳ ହାଣିବା, ଖତ ଦେବା ଓ ପାଣି ମଡ଼ାଇବା ଭଳି ସମସ୍ତ ଯତ୍ନ ସେ ନିଜେ ନେଇଥାନ୍ତି।
ସଫ୍ଟୱେର ଇଞ୍ଜିନିୟର ହୋଇ ମଧ୍ୟ ମାଟିର ମୋହ ଛାଡ଼ିପାରି ନାହାନ୍ତି ପ୍ରଭାତ। ଆଧୁନିକ ଜ୍ଞାନକୌଶଳ ଓ ନିଜର ପରିଶ୍ରମ ବଳରେ ସେ ଆଜି ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରି ଜଣେ ସଫଳ କୃଷି ଉଦ୍ୟୋଗୀ ଭାବେ ଉଭା ହୋଇଛନ୍ତି। ତାଙ୍କର ଏହି ନିଶା ଆଜି ସ୍ଥାନୀୟ ଅଞ୍ଚଳର ବେକାର ଯୁବକମାନଙ୍କ ପାଇଁ ପ୍ରେରଣା ପାଲଟିଛି।
English 



















































































































































































































































































































































































































































































































































































































































































































































































































































































































































































































