ବଢ଼ୁଛି ଇଭିର ଚାହିଦା ; ସୋ’ରୁମ୍ରେ ଗ୍ରାହକଙ୍କ ଭିଡ଼

କନକ ବ୍ୟୁରୋ : ତେଲ ପାଇଁ ହାହାକାର। କେଉଁଠି ପେଟ୍ରୋଲ ପମ୍ପ ବନ୍ଦ ରହିଛି ତ ଆଉ କେଉଁଠି ଗାଡିରେ ତେଲ ପକାଇବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି ଗ୍ରାହକ । ତେଲ ସଙ୍କଟ ପାଇଁ ହନ୍ତସନ୍ତ ହେବା ପରେ ପେଟ୍ରୋଲ ଗାଡ଼ି ଛାଡି ଇଭି କିଣିବା ପାଇଁ ଆଗ୍ରହ ଦେଖାଉଛନ୍ତି ଗ୍ରାହକ । ଫଳରେ ତେଲ ସଙ୍କଟ ପରିସ୍ଥିତିରେ ଇଭିର ଚାହିଦା ବଢ଼ିବାରେ ଲାଗିଛି । ତେଲ ଅଭାବକୁ ନେଇ ଲୋକେ ଚିନ୍ତାରେ ପଡିଥିବାବେଳେ ଏବେ ଅନେକ ଇଭି ଆଡେ ମୁହାଁଇଲେଣି । ତେଲ ପାଇଁ ଘଣ୍ଟା ଘଣ୍ଟା ଲାଇନ ଲଗାଇବାକୁ ପଡୁଥିବାରୁ ଓ ଦର ବଢ଼ୁଥିବାରୁ, ଗତ କିଛି ଦିନ ହେବ ଇଭି ସୋରୁମରେ ବଢିଛି ଗ୍ରାହକଙ୍କ ଭିଡ। ପେଟ୍ରୋଲ ଗାଡ଼ି ବଦଳରେ ଇଭି ଗାଡ଼ି କିଣିବା ପାଇଁ ଆଗୁଆ ବୁକିଂ କରୁଛନ୍ତି । ବଜାରରେ ବିଭିନ୍ନ କମ୍ପାନୀର ଇଭି ଗାଡି ବିକ୍ରି ହେଉଥିବାରୁ ନିଜ ମନପସନ୍ଦର ଗାଡି କିଣୁଛନ୍ତି ଗ୍ରାହକ ।
ରାଜ୍ୟରେ ପର୍ଯ୍ୟାପ୍ତ ଇଭି ଚାର୍ଜିଂ ଷ୍ଟେସନ ନଥିବାରୁ ଇଭି କିଣିବା ପ୍ରତି ବିଶେଷ ଆଗ୍ରହ ଦେଖାଉନଥିଲେ ଗ୍ରାହକ। କିନ୍ତୁ ବର୍ତ୍ତମାନର ପରିସ୍ଥିତିରେ ସମସ୍ୟା ଭୋଗୁଥିବାରୁ ଇଭି ପ୍ରତି ଚାହିଦା ବଢ଼ିଛି। ଗତ ୩ ଦିନ ମଧ୍ୟରେ ୪୦ ପ୍ରତିଶତରୁ ଅଧିକ ଇଭି ବିକ୍ରି ବଢିଥିବା ସୋରୁମ ମ୍ୟାନେଜର କହିଛନ୍ତି । ୯୮ ହଜାରୁ ରୁ ୧ଲକ୍ଷ ୨୦ ହଜାର ଟଙ୍କା ମଧ୍ୟରେ ବିଭିନ୍ନ କମ୍ପାନୀର ଦୁଇଚକିଆ ଇଭି ବିକ୍ରି ହେଉଛି। ସରକାରଙ୍କ ପକ୍ଷରୁ ଇଭି ଗାଡ଼ି ଉପରେ ୧୫ରୁ ୨୦ହଜାର ରିହାତି ବି ଦିଆଯାଉଛି। ତଥାପି ଏବେବି ଇଭି ପ୍ରତି ସେଭଳି ଆଖିଦୃଶିଆ ଚାହିଦା ବଢିନାହିଁ। ଇଭି ଗାଡ଼ି ହଠାତ ଜଳିଯାଉଥିବାରୁ ଅନେକଙ୍କୁ ଚିନ୍ତାରେ ପକାଉଛି । ଏଥିପାଇଁ ଇଭି କିଣିବା ପୂର୍ବରୁ ଅନେକ ଗ୍ରାହକ ବିଭିନ୍ନ ଦିଗ ପ୍ରତି ଗୁରୁତ୍ବ ଦେଉଛନ୍ତି ।
English 































































































































































































































































































































































































































































