#Local

ବନବାସୀଙ୍କ ମୁହଁରେ ହସ ଫୁଟାଇଛି ମହୁଲ ଫୁଲ, ଜଙ୍ଗଲଜାତ ଦ୍ରବ୍ୟ ବିକି ରୋଜଗାର କରୁଛନ୍ତି ଆଦିବାସୀ ପରିବାର

କନକ ବ୍ୟୁରୋ : ଉପାନ୍ତ ଅଞ୍ଚଳରେ ବନବାସୀଙ୍କୁ ମୁହଁରେ ହସ ଫୁଟାଇଛି ମହୁଲ ଫୁଲ। ଋତୁକାଳୀନ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଦୁଇ ପଇସା ରୋଜଗାର କରୁଛନ୍ତି ଆଦିବାସୀ ପରିବାର। ତ୍ରେତୟା ଯୁଗରୁ ଏହି ଫୁଲର ମାହାତ୍ମ୍ୟ ରହିଥିବା ବେଳେ, ଆଜି ମଧ୍ୟ ଏହା ଅନେକ ପରିବାରକୁ ଦାଦନ ମୁକ୍ତ କରିବାରେ ସହାୟକ ହେଉଛି। 

ଏ ଚିତ୍ର ଆସିଛି ମାଲାକାନଗିରୁ, ଚାରିଆଡ଼େ ଏବେ ମହୁଲ ଫୁଲର ପସରା ଆଉ ମହ ମହ ବାସ। ଜିଲ୍ଲାର କୋୟା, ଗାଦବା, ଦିଦାୟୀ ଓ ବଣ୍ଡା ପରି ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ଲୋକେ ମହୁଲ ଉପରେ ହିଁ ନିର୍ଭର କରିଥାନ୍ତି। ଖରା ଦିନେ ଯେବେ ଜଙ୍ଗଲ ଟାଙ୍ଗରା ପାଲଟେ, ଠିକ ସେତିକି ବେଳେ ମହୁଲ ଗଛ ହସିଉଠେ। ଘରର ପ୍ରତିଟି ସଦସ୍ୟ ସକାଳୁ ସକାଳୁ ବାହାରି ଯାଆନ୍ତି ଫୁଲ ସଂଗ୍ରହ କରିବାକୁ। ଦୈନିକ ଜଣେ ଜଣେ ୨୦ ରୁ ୨୫ କିଲୋ ଫୁଲ ସଂଗ୍ରହ କରିଥାନ୍ତି। ଶୁଖିଲା ମହୁଲ କିଲୋ ପ୍ରତି ୨୫ ରୁ ୩୦ ଟଙ୍କାରେ ବିକ୍ରି ହୁଏ। ଯେଉଁ ସମୟରେ ଜଳସେଚନ ଅଭାବରୁ ଚାଷ କାମ ହୁଏନାହିଁ, ସେତିକି ବେଳେ ପ୍ରାୟ ୧୦ ରୁ ୧୫ ହଜାର ଟଙ୍କା ରୋଜଗାର କରିଥାନ୍ତି ଆଦିବାସୀ ପରିବାର। 

ଖାଲି ରୋଜଗାର ନୁହେଁ, ମହୁଲ ଫୁଲର ରହିଛି ପୌରାଣିକ ଗୁରୁତ୍ୱ। କିମ୍ବଦନ୍ତୀ ଅନୁଯାୟୀ, ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମଚନ୍ଦ୍ର ଓ ମାତା ସୀତା ଦଣ୍ଡକାରଣ୍ୟରେ ବନବାସ ସମୟରେ ଏହି ମହୁଲ ଫୁଲ ସେବନ କରୁଥିଲେ। ସେହି ବିଶ୍ୱାସ ଆଧାରରେ ଆଜି ମଧ୍ୟ ପଡ଼ୋଶୀ ତେଲେଙ୍ଗାନାର ବିଭିନ୍ନ ରାମ ମନ୍ଦିରରେ ଏହାକୁ ପ୍ରସାଦ ଭାବେ ବ୍ୟବହାର କରାଯାଉଛି। ଯେଉଁଥିପାଇଁ ବାହାର ରାଜ୍ୟରେ ମଧ୍ୟ ଏହାର ଚାହିଦା ବେଶ୍ ଅଧିକ।

ଓଡ଼ିଶାରେ କଟକଣା, ପଡ଼ିଶାରେ କୋହଳ। ମହୁଲ ଫୁଲ ଦ୍ୱାରା ଦେଶୀ ମଦ ପ୍ରସ୍ତୁତ ହୋଉ ଥିବାରୁ ଏହାକୁ ଅବକାରୀ ବିଭାଗ ନିୟନ୍ତ୍ରଣ କରୁଛି। ଓଡ଼ିଶାରେ ମଣ୍ଡି ବ୍ୟବସ୍ଥା ନଥିବା ବେଳେ ୨୮ ପ୍ରତିଶତ ଟିକସ ଆଦାୟ ହେଉଛି। ଫଳରେ ସଂଗ୍ରହକାରୀମାନେ ଅଳ୍ପ ଟିକସ ଦେଇ ଚୋରାରେ ଛତିଶଗଡ଼ ମଣ୍ଡିକୁ ମହୁଲ ପଠାଉଛନ୍ତି। ଓଡ଼ିଶାରେ ନିୟମ କୋହଳ କରି ସ୍ଥାନୀୟ ମଣ୍ଡି ବ୍ୟବସ୍ଥା କରିବାକୁ ଏବେ ଜୋର ଧରିଛି ଦାବି।

 

 

ବନବାସୀଙ୍କ ମୁହଁରେ ହସ ଫୁଟାଇଛି ମହୁଲ ଫୁଲ, ଜଙ୍ଗଲଜାତ ଦ୍ରବ୍ୟ ବିକି ରୋଜଗାର କରୁଛନ୍ତି ଆଦିବାସୀ ପରିବାର

Chutkire Bada Khabar || 17th MAY 2026

Leave a comment

Your email address will not be published. Required fields are marked *