ଏଇଠି ଭାଙ୍ଗିପଡ଼ିଛି ଦୁଃଖର ପାହାଡ଼, ରୋଗରେ ଯୁଝୁଛି ସାରା ପରିବାର, ଭଙ୍ଗା ହାତରେ ସଂସାର ବୋଝ

କନକ ବ୍ୟୁରୋ : ଗୋଟିଏ ପଟେ ବାପାଙ୍କୁ ହରାଇବାର ଦୁଃଖ, ଅନ୍ୟପଟେ ପତ୍ନୀଙ୍କ ଦୁଇଟି ଯାକ କିଡନୀ ଖରାପ। ରୋଗାକ୍ରାନ୍ତ ସ୍ତ୍ରୀ, ଦୁଇ ବର୍ଷର କୁନି ଝିଅ ଆଉ ଭଙ୍ଗା ହାତରେ ସଂସାର ବୋଝ। କେମିତି ଅଛନ୍ତି ଏହି ଅସହାୟ ପରିବାର,
ବରୀ ବ୍ଲକ ବାଇଁଶିରିଆ ପଞ୍ଚାୟତ ପାଣି ସାହିର ନାରାୟଣ ପାଣି। ପରିବାର କହିଲେ ସ୍ତ୍ରୀ ନିଶାମଣି ଓ ୨ ବର୍ଷର କୁନି ଝିଅ। ବାପାଙ୍କ ସହ ଚାଷ କରି ବେଶ ହସଖୁସିରେ ଚାଲିଥିଲା ସୁନାର ସଂସାର। କାହା ନଜର ଲାଗିଗଲା ପରି ହଠାତ୍ ପରିବାର ଉପରେ ମାଡ଼ି ଆସିଲା ଦୁଃଖର କଳାବାଦଲ। ବାପା ପକ୍ଷାଘାତରେ ଆକ୍ରାନ୍ତ ହେଲେ। ବାପାଙ୍କୁ ଭଲ କରିବାକୁ ଚେଷ୍ଟା କରି ହାରିଗଲେ ନାରାୟଣ। ବାପାଙ୍କ ମୃତ୍ୟୁର ଠିକ୍ ଆଠ ଦିନ ପରେ ଅସୁସ୍ଥ ହୋଇପଡ଼ିଲେ ସ୍ତ୍ରୀ। ମେଡିକାଲ ନେବାରୁ ଜଣାପଡ଼ିଲା ୨ଟି ଯାକ କିଡ୍ନି ଖରାପ। ନାରାୟଣଙ୍କ ପାଦ ତଳୁ ମାଟି ଖସିଗଲା। ଏବେ ଘର କାମ, ପତ୍ନୀଙ୍କ ସେବା, ୨ ବର୍ଷ ଝିଅର ଦାୟିତ୍ୱ ବୁଝିବା ଭିତରେ ଚାଷ କାର୍ୟ୍ୟ ସମ୍ପୂର୍ଣ ବନ୍ଦ ହୋଇଯାଇଛି। ରାତି ପାହିଲେ ଘାରୁଛି ପେଟ ଚିନ୍ତା।
ସ୍ତ୍ରୀଙ୍କ ଚିକିତ୍ସା ତ’ ଦୂରର କଥା, ମେଡିକାଲ ଯିବାକୁ ଗାଡ଼ି ଭଡ଼ା ବି ନାହିଁ। ଯାହା ଥିଲା ସବୁ ବିକି ଭାଙ୍ଗି ଖର୍ଚ୍ଚ ହୋଇସାରିଛି। ଏପଟେ ଭାଗ୍ୟର ବିଡ଼ମ୍ବନା, ନାରାୟଣଙ୍କ ହାତ ମଧ୍ୟ ଭାଙ୍ଗିଯାଇଛି। ସେଇ ହାତରେ ରୋଷେଇ କରୁଛନ୍ତି, ପତ୍ନୀଙ୍କୁ ଖୁଆଇଦେଉଛନ୍ତି ଆଉ କୁନି ଝିଅକୁ ସମ୍ଭାଳୁଛନ୍ତି। ସେତିକିରେ ଦୁଃଖ ସରିଲାନି ଯେ, ଘୂର୍ଣ୍ଣିଝଡ଼ରେ ଘରଟି ଭାଙ୍ଗିଯିବା ପରେ ପର ଘରେ ଆଶ୍ରୟ ନେଇଛନ୍ତି ନାରାୟଣଙ୍କ ପରିବାର। ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ବ୍ଲକକୁ ଦୌଡ଼ି ଦୌଡ଼ି ଚପଲ ଘୋରି ହୋଇଗଲାଣି। କିନ୍ତୁ କେହି ଶୁଣୁନାହାନ୍ତି।
ଜିଲ୍ଲା ପ୍ରଶାସନ ତୁରନ୍ତ ଏହି ଅସହାୟ ପରିବାର ପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି। ଏଥିସହ ନାରାୟଣଙ୍କୁ ଯଦି କୌଣସି ସହୃଦୟ ବ୍ୟକ୍ତି କିମ୍ବା କୌଣସି ସ୍ବେଚ୍ଛାସେବୀ ସଂଗଠନ ସହଯୋଗ କରନ୍ତି ନିଶାମଣିଙ୍କୁ ନୂଆ ଜୀବନ ମିଳିପାରିବ।
ନାମ- ନିଶାମଣି ପାଣି
ଆକାଉଣ୍ଟ ନମ୍ବର- 6937172451
IFSC CODE- IDIB000B067
ଫୋନ୍ ପେ ନମ୍ବର- 8018005750
English 




















































































































































































































