ଇତିହାସ ପୃଷ୍ଠାରେ ହଜିଯାଇଥିବା ବୀର ; ଅବହେଳିତ ବଲାଙ୍ଗୀରର ସ୍ବାଧୀନତା ସଂଗ୍ରାମୀ

କନକ ବ୍ୟୁରୋ : ବଲାଙ୍ଗୀର ଜିଲ୍ଲାର ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ଧରମ ସିଂ ମାଝୀ ମାନଧାତା । ଯିଏ ଇଂରେଜଙ୍କ ବିରୋଧରେ ଖଣ୍ଡା ଉଠାଇଥିଲେ । ଯାହାଙ୍କ ବୀରତ୍ୱ ଦେଖି ତତ୍କାଳୀନ ପାଟଣା ମହାରାଜା ତାଙ୍କୁ ସମ୍ମାନିତ କରିଥିଲେ। କିନ୍ତୁ ବିଡ଼ମ୍ବନାର ବିଷୟ, ସ୍ୱାଧୀନତାର ଏତେ ବର୍ଷ ପରେ ବି ସେ ଅବହେଳିତ । ସରକାର ତାଙ୍କ ସ୍ମୃତିର ସଂରକ୍ଷଣ ପାଇଁ ଅଣ୍ଟା ଭିଡ଼ିଛନ୍ତି ସତ, ସ୍ୱାଧୀନତା ସଂଗ୍ରାମୀ ତାଲିକାରେ ଏଯାଏଁ ସ୍ଥାନ ନମିଳିବାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ସଂସ୍କୃତିପ୍ରେମୀ ।
ବଲାଙ୍ଗୀର ପୁଇଁତଳା ବ୍ଲକର ଆଟଗାଁ । ଗାଁର ଜମିଦାର ଧରମ ସିଂ ମାଝୀ ମାନଧାତାଙ୍କୁ ଲୋକ ବେଶ ଭଲ ଭାବେ ଜାଣନ୍ତି । ସେ ସିପାହୀ ବିଦ୍ରୋହ ପୂର୍ବରୁ ଇଂରେଜ ଶାସନ ବିରୋଧରେ କନ୍ଧଙ୍କୁ ମେଳି କରିବା ହେଉ କି ଗୋରା ସାହେବଙ୍କ ଆର୍ଥିକ ଶୋଷଣ ବିରୋଧରେ ସ୍ୱର ଉତ୍ତୋଳନ । ଏପରିକି ଘୁମସରର ବିପ୍ଲବୀ ଚକରା ବିଷୋୟୀଙ୍କୁ ଆଶ୍ରୟ ଦେଇ ଇଂରେଜ ସୈନ୍ୟଙ୍କ ଆଖିରେ ଧୂଳି ଦେଇ ତାଙ୍କୁ ଖସାଇ ଦେବାର ସାହସିକତାର ଗାଥା ତାଙ୍କୁ ଅମର କରିଛି । ତାଙ୍କ ନିଖୋଜ ହେବା ଘଟଣା ଆଜି ବି ପାଟଣା ଗେଜେଟ୍ରେ ଲିପିବଦ୍ଧ । ହେଲେ ଦୁଃଖର କଥା, ଏତେ ସବୁ ପରେ ବି ସେ ଅବହେଳିତ । ସ୍ୱାଧୀନତା ସଂଗ୍ରାମୀ ତାଲିକାରେ ତାଙ୍କ ନାଁ ରଖିବାକୁ ଭୁଲିଯାଇଛନ୍ତି ସରକାର !
ଅଧିକ ପଢ଼ନ୍ତୁ—କେନ୍ଦ୍ର ସରକାରଙ୍କ ପରେ ରାଜ୍ୟ ସରକାରଙ୍କ ଘୋଷଣା, ବଢ଼ିଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା
କଳାହାଣ୍ଡିର ରେଣ୍ଡୋ ମାଝୀ, ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ଓ ଚକରା ବିଷୋୟୀଙ୍କ ସମସାମୟିକ ଏହି ବୀରପୁତ୍ରଙ୍କୁ ନେଇ ଇତିହାସ କାହିଁକି ନିରବ? ପୂର୍ବ ସରକାର ତାଙ୍କ ବାସଭବନ ଓ ପୂଜାସ୍ଥଳୀର ନବକଳେବର ପାଇଁ ବ୍ୟୟବରାଦ କରିଥିଲେ। ବର୍ତ୍ତମାନର ସରକାର ମଧ୍ୟ ଆଟଗାଁକୁ ‘ବୀରପୁତ୍ର ଐତିହ୍ୟ ଗାଁ’ ତାଲିକାରେ ସ୍ଥାନ ଦେଇଛନ୍ତି। ଏହା ପରେ ୨ ଏକର ଜମି ଚିହ୍ନଟ ପାଇଁ ତହସିଲଦାରଙ୍କୁ ଅନୁରୋଧ କରାଯାଇଛି। କିନ୍ତୁ ତାଙ୍କୁ ସ୍ବାଧୀନତା ସଂଗ୍ରାମୀର ମାନ୍ୟତା ଦେବା ଓ ଅଧିକ ଗବେଷଣା କରିବା ଦିଗରେ ପ୍ରଶାସନିକ ତତ୍ପରତା ଦେଖିବାକୁ ମିଳୁନାହିଁ । ଗାଁ ଐତିହ୍ୟ ତାଲିକାରେ ସ୍ଥାନ ପାଇଲା, ପଥର କାନ୍ଥ ରଙ୍ଗେଇ ହେବ, ହେଲେ ଯେଉଁ ସମ୍ମାନ ପାଇଁ ବଲାଙ୍ଗୀରବାସୀ ଅପେକ୍ଷା କରିଛନ୍ତି, ସେହି ସ୍ୱାଧୀନତା ସଂଗ୍ରାମୀର ଆଖ୍ୟା କେବେ ମିଳିବ? କେବେ ଇତିହାସରେ ସ୍ଥାନ ପାଇବ ବୀରପୁତ୍ରଙ୍କ ସଂଘର୍ଷର କାହାଣୀ? ତାହା ହିଁ ବଡ଼ ପ୍ରଶ୍ନ ।
English 

























































































































































































































































































































































































































































