ଅନୁଗୁଳରେ ଡରାଉଛି କିଡନି ରୋଗ ; ଗଲାଣି ୨୫ ଜୀବନ, ୧୫ରୁ ଅଧିକ ଆକ୍ରାନ୍ତ

କନକ ବ୍ୟୁରୋ: ଅନୁଗୁଳ ଜିଲ୍ଲାର ମହିଧରପଡ଼ା ଗାଁ ପାଇଁ ଘାତକ ସାଜିଛି ଦୂଷିତ ପାଣି । ଆତଙ୍କ ଖେଳାଇଛି କିଡନୀ ରୋଗ। ଗତ ୫ ବର୍ଷରେ ଗଲାଣି ପ୍ରାୟ ୨୫ ଜଣଙ୍କ ଜୀବନ । ଏବେ ବି ୧୫ରୁ ଅଧିକ ଲୋକ ଆକ୍ରାନ୍ତ । ଏପଟେ ଅନୁଗୁଳ ଉପଜିଲ୍ଲାପାଳ କହିଛନ୍ତି, ଖୁବଶୀଘ୍ର ଗାଁରେ ସାମୂହିକ ସ୍ବାସ୍ଥ୍ୟ ପରୀକ୍ଷା ସହ ବିଶୁଦ୍ଧ ପାଣି ଯୋଗାଇ ଦିଆଯିବ । ଦେଖନ୍ତୁ ଏହି ସ୍ୱତନ୍ତ୍ର ରିପୋର୍ଟ ।…
ଜୀବନ ନେଉଛି ଜଳରୂପୀ ଜହର!
ଘରେଘରେ ଘାତକ କିଡ୍ନି ରୋଗ!
ଅକାଳରେ ଆଖି ବୁଜୁଛନ୍ତି ଲୋକେ
ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲାର ଅଭିଶପ୍ତ ଗାଁ ମହିଧରପଡ଼ା । ଖିଣ୍ଡା ପଞ୍ଚାୟତ ଅନ୍ତର୍ଗତ ଏହି ଗାଁରେ କାହା ଫଟୋରେ ମାଳ ଝୁଲୁଛି, ଆଉ କିଏ ପଡ଼ିରହିଛି ଶେଷ ଶଯ୍ୟାରେ । ମହିଧରପଡ଼ାର କରୁମ୍ ବେହେରାଙ୍କ ପତ୍ନୀ ରୂପ ବେହେରା କିଡନି ରୋଗରେ ପଡ଼ି ଅଢ଼େଇ ବର୍ଷ ତଳେ ଆଖି ବୁଜିଥିଲେ ମାତ୍ର ୪୦ ବର୍ଷ ବୟସରେ । ଏହାର ଦେଢ଼ ବର୍ଷ ଆଗରୁ ତାଙ୍କ ଭାଇବୋହୂ ସୂପ ବେହେରାଙ୍କୁ ବି ମାତ୍ର ୩୫ ବର୍ଷ ବୟସରେ ଖାଇଗଲା କିଡନୀ ରୋଗ । ୫୫ ପରିବାର ବିଶିଷ୍ଟ ଏହି ଛୋଟିଆ ଗାଁରେ ଗତ ୫ ବର୍ଷ ଭିତରେ ୨୦ରୁ ୨୫ ମୁଣ୍ଡ ନେଲାଣି କିଡ୍ନି ରୋଗ । ଜୀବନ ଯାଇଥିବା ଅଧିକାଂଶଙ୍କ ବୟସ ୨୦ରୁ ୪୦ ବର୍ଷ। ଏବେ ବି ଗାଁର ୧୫ରୁ ଅଧିକ ଲୋକ କିଡ୍ନି ରୋଗରେ ଛଟପଟ, ଶଯ୍ୟାଶାୟୀ ।
ଅଧିକ ପଢ଼ନ୍ତୁ: ବୃଦ୍ଧି ପାଉଛି ସମୁଦ୍ର ପତନର ତାପମାତ୍ରା ; ଜୁନ୍ କିମ୍ବା ଜୁଲାଇ ମାସ ସୁଦ୍ଧା ମାଡ଼ି ଆସିବ ସୁପର ଏଲ୍ ନିନୋ
ମହୀଧରପଡ଼ାରେ କାହିଁକି ବ୍ୟାପୁଛି କିଡ୍ନି ରୋଗ? ଏନେଇ ଅବଗତ ଅଛି ତ ପ୍ରଶାସନ? ଲୁହ ଛଳ ଛଳ ଆଖିରେ ଲୋକେ କହିଛନ୍ତି, ଆଗରୁ ଗାଁରେ କିଡନି ରୋଗ ନଥିଲା । ଯେବେଠୁ ନଳକୂଅ ବସିଲାଣି, କିଡନୀ ରୋଗ ବ୍ୟାପି ଚାଲିଛି । ନଳକୂଅରୁ ନାଲି ଓ ହଳଦିଆ ରଙ୍ଗର ଗୁଣ୍ଡ ସହ ଦୂଷିତ ପାଣି ବାହାରୁଛି । ପିଇବା ପାଣିର ଅନ୍ୟ ବିକଳ୍ପ ନ ଥିବାରୁ ନଳକୂଅ ମୁହଁରେ କପଡ଼ା ବାନ୍ଧି ସେମାନେ ପାଣି ବ୍ୟବହାର କରୁଛନ୍ତି। ଏନେଇ ଅଭିଯୋଗ କରିବା ପରେ, ଜିଲ୍ଲା ପ୍ରଶାସନ ପକ୍ଷରୁ ପାଣି ନମୁନା ପରୀକ୍ଷା ପାଇଁ ନେଇଥିଲେ ମଧ୍ୟ କିଡନି ରୋଗର କାରଣ ବୋଲି ଜଣାଇନାହାନ୍ତି। ଏନେଇ ପଚାରିବାରୁ ଅନୁଗୁଳ ଉପଜିଲ୍ଲାପାଳ କହିଛନ୍ତି, ଗାଁରେ ସମସ୍ତଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ବିଶୁଦ୍ଧ ପାଣି ଯୋଗାଣର ବ୍ୟବସ୍ଥା କରାଯିବ ।…
English 



































































































































































































































































































































































































































































































































































































































































































































































































































































































































