ଆଜି ବି ଅନ୍ଧାରରେ ନିୟମଗିରିର ଡଙ୍ଗରିଆ ଗାଁ; ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ପହଞ୍ଚି ପାରିନି ବିଦ୍ୟୁତ୍ ସେବା

କନକ ବ୍ୟୁରୋ : ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଅନ୍ଧାରରେ ନିୟମଗିରିର ଡ଼ଙ୍ଗରିଆ ଗାଁ । ଆଜିର ଆଧୁନିକ ଯୁଗରେ ବି ଏଠାରେ ସରକାରୀ ବିଜୁଳି ଆଲୁଅ ପହଞ୍ଚି ପାରିନାହିଁ । ଲୋକଙ୍କୁ ଅନ୍ଧାରରୁ ମୁକ୍ତି ଦେବା ପାଇଁ ଦିଆଯାଇଥିବା ସୋଲାର ଲାଇଟ୍ ମଧ୍ୟ ଦୀର୍ଘ ଦିନ ହେବ ଅଚଳ ହୋଇ ପଡ଼ିରହିଛି । ଫଳରେ ଘର ଦୁଆର ମୁହଁରେ ଥିବା ସୋଲାର ପ୍ୟାନେଲ କେବଳ ଏକ ଶୋଭାବର୍ଦ୍ଧନ କରୁଛି, କିନ୍ତୁ ଭିତରର ଅନ୍ଧାର ହଟାଇବାରେ ସକ୍ଷମ ହେଉନାହିଁ । ଶେଷରେ ଟର୍ଚ୍ଚ ଲାଇଟ୍କୁ ଭରଷା କରି ରାତି କାଟୁଛନ୍ତି ନିୟମଗିରିର ଆଦିମ ଜନଜାତି ଡଙ୍ଗରିଆ କନ୍ଧ ।
ଦେଶର ମେରୁଦଣ୍ଡ ଗାଁ । ଆଉ ଗାଁର ଉନ୍ନତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କରିଛନ୍ତି ମାଳମାଳ ଯୋଜନା ଏବଂ କୋଟି କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା । ହେଲେ ସେ ସବୁ ଗାଁରେ ପହଞ୍ଚୁଛି ତ ? ସରକାର ଯୋଜନାର ସୁଫଳ ପାଉଛନ୍ତି ଗାଁର ମଣିଷ ? ଏମିତି ଆଶଙ୍କା ମନକୁ ସେତେବେଳେ ଆସେ, ଯେତେବେଳେ ଅନ୍ଧାରି ଗାଁର ଚିତ୍ର ସାମ୍ନାକୁ ଆସେ । ବିଜୁଳି ପାଇଁ ବର୍ଷ ବର୍ଷ ଅପେକ୍ଷା କରିବାକୁ ପଡ଼େ । ରାତିର ଅନ୍ଧାର ହଟାଇବା ପାଇଁ ଆଦିମ ଜନଜାତିର ଡଙ୍ଗରିଆ କନ୍ଧଙ୍କୁ ଚର୍ଚ୍ଚ ଆଲୁଅକୁ ଭରସା କରିବାକୁ ପଡ଼େ ।
ଅଧିକ ପଢ଼ନ୍ତୁ : ଜୁନ୍ ୨୧ ହେବ ନିଟ୍-ୟୁଜି ପରୀକ୍ଷା, ଜୁନ୍ ୧୪ରେ ମିଳିବ ଆଡମିଟ୍ କାର୍ଡ, ଆସନ୍ତା ବର୍ଷରୁ ଅନଲାଇନରେ ହେବ ପ୍ରବେଶିକା
ସବୁ ଗାଁକୁ ବିଜୁଳି ପହଂଚିଥିବା ସରକାର ଡିଣ୍ଡୁରା ପିଟୁଥିବା ବେଳେ ପ୍ରକୃତ ସତ୍ୟ କିନ୍ତୁ ଅଲଗା । ନିୟମଗିରିର ଏହି ଗାଁରେ ୨୫ରୁ ଅଧିକ ଡଙ୍ଗରିଆ ଆଦିବାସୀ ପରିବାର ପାଖରେ ପହଞ୍ଚି ପାରିନାହିଁ ବିଦ୍ୟୁତ୍ ବିଭାଗ । ଆଖପାଖ ଗାଁରେ ବିଜୁଳି ଥିବା ବେଳେ ଏଠାରେ ଖୁଣ୍ଟଟିଏ ବି ପଡ଼ିନାହିଁ । ବିଦ୍ୟୁତ୍ ବିକଳ୍ପ ଭାବେ ଯୋଗାଇ ଦିଆଯାଇଥିବା ସୋଲାର ବି ସେମାନଙ୍କ ପାଇଁ ପ୍ରହସନ ପାଲଟିଛି ।
ନିୟମଗିରିର ଡ଼ଙ୍ଗାରିଆ ଗାଁ ମାନଙ୍କରେ ଆଲୁଅ ଯୋଗାଇବାକୁ ସ୍ୱତନ୍ତ୍ର ଭାବେ ପ୍ରତେକ ଘରକୁ ୧୦ବର୍ଷ ତଳେ ଓରେଡା (OREDA) ତରଫରୁ ସୋଲାର ଲାଇଟ୍ ଯୋଗାଇ ଦିଆଯାଇଥିଲା । ହେଲେ ଦୀର୍ଘ ଦିନ ହେବ ସେହି ସୋଲାର ଲାଇଟ୍ ଓ ତାହାର ବ୍ୟାଟେରି ଖରାପ ହୋଇଯାଇଛି । ଅର୍ଥ ଅଭାବରୁ ଡଙ୍ଗରିଆମାନେ ମରାମତି କରାଇବାକୁ ଅସମର୍ଥ । ହେଲେ ଏନେଇ ବିଦ୍ୟୁତ ବିଭାଗର କହିବା ହେଲା ଉକ୍ତ ଗାଁ ତାଲିକାରେ ଅଛି ଏବଂ ଅର୍ଥ ମଞ୍ଜୁରୀ ପରେ ବିଦ୍ୟୁତକରଣ କରାଯିବ । ତେବେ ସ୍ଥାନୀୟ ବିଧାୟକ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଏନେଇ ବିଭାଗୀୟ ମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ଏବଂ ଶୀଘ୍ର ସୋଲାର ଲାଇଟର ମରାମତି ପାଇଁ ଦାବି କରିଛନ୍ତି ।
ଦେଶ ଯେତେବେଳେ ଡିଜିଟାଲ୍ ଆଲୋକରେ ଝଲସୁଛି, ସେତେବେଳେ ନିୟମଗିରି ପାହାଡ଼ କୋଳରେ ଥିବା କୁଲେରିପେଟା ଗାଁର ଏହି ଚିତ୍ର ସରକାରୀ ଦାବିର ଅସଲ ସତ୍ୟକୁ ପଦାରେ ପକାଇ ଦେଇଛି ।
English 


















































































































































































































































































































































































































































































































