ଢ଼େଙ୍କାନାଳରେ ରୁଦ୍ର ଟାୱାର ଚଢ଼ିବା ଘଟଣା, ରୁଦ୍ରଙ୍କ ଘରେ ପହଂଚିଲେ ବିଧାୟକ, ସରକାରୀ ସହାୟତା ପାଇଁ ଦେଲେ ପ୍ରତିଶ୍ରୁତି

କନକ ବ୍ୟୁରୋ : ଜଣେ ବହିଷ୍କୃତ ଓଏସଏପି ଯବାନ ନିଜର ହକ୍ ପାଇଁ, ନିଜର ରୋଗୀଣା ବାପା-ମାଆଙ୍କୁ ବଞ୍ଚାଇବା ପାଇଁ ଶେଷରେ ଟାୱାର ଉପରକୁ ଚଢ଼ିଯାଇଥିଲେ। ୧୫ ଘଣ୍ଟାର ହାଇଡ୍ରାମା ପରେ ପ୍ରଶାସନିକ ପ୍ରତିଶ୍ରୁତି ମିଳିଛି ସତ, କିନ୍ତୁ ରୁଦ୍ରଙ୍କ ଘରର ଅବସ୍ଥା ଦେଖିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ। କାମାକ୍ଷାନଗର ବିଧାୟକ ରୁଦ୍ରଙ୍କ ଘରେ ପହଞ୍ଚିଛନ୍ତି, କିନ୍ତୁ କେବେ ମିଳିବ ନ୍ୟାୟ?
ଢେଙ୍କାନାଳ ଟାଉନ ଥାନା ନିକଟରେ ଥିବା ମୋବାଇଲ ଟାୱାର ଉପରେ ଏହି କରୁଣ ଚିତ୍କାର ଥିଲା ଜଣେ ଅସହାୟ ପୁଅର। କାମାକ୍ଷାନଗର ବ୍ଲକ ସୋଗର ଗାଁର ରୁଦ୍ର ନାରାୟଣ ଦାସ। ଦୀର୍ଘ ଟାୱାର ଉପରେ ୧୫ ଘଣ୍ଟା ଧରି ଚଢ଼ି ରହି ନିଜର ଦୁଃଖ ବଖାଣିଥିଲେ।
ରୁଦ୍ରଙ୍କ ଘରର ଅବସ୍ଥା କହିଲେ ନସରେ। ଭଙ୍ଗା ଚାଳ ଉପରେ ପଲିଥିନ ଟାଣି ରହୁଛନ୍ତି। ବାପା ମଧୁମେହ ରୋଗରେ ଆକ୍ରାନ୍ତ ହୋଇ ଦୃଷ୍ଟିଶକ୍ତି ହରାଇବାକୁ ବସିଥିବା ବେଳେ, ମା’ କ୍ୟାନ୍ସର ସହ ଲଢ଼ୁଛନ୍ତି। ୨୦୧୮ରେ ରୁଦ୍ର ଓଏସଏପି ବାଟାଲିୟନ୍ରେ ଚାକିରି ପାଇଥିଲେ। କିନ୍ତୁ ମାନସିକ ଅକ୍ଷମତା ଦର୍ଶାଇ ତାଙ୍କୁ ତାଲିମ ସମୟରୁ ବହିଷ୍କୃତ କରାଗଲା। ସେବେଠାରୁ ନିଜର ଦକ୍ଷତା ପ୍ରମାଣ କରିବାକୁ ରୁଦ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟରୁ ବିଭାଗୀୟ ଅଧିକାରୀଙ୍କ ପର୍ୟ୍ୟନ୍ତ ସବୁଠି ଗୁହାରି କରି ହାରିଯିବା ପରେ। ଶେଷରେ ଟାୱାର ଉପରେ ଚଢ଼ିବାକୁ ଉଦ୍ୟମ କରିଥିବା କହିଛନ୍ତି।
ଘଟଣା ସମ୍ପର୍କରେ ଜାଣିବା ପରେ କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ସୋଗର ଗାଁକୁ ଯାଇ ରୁଦ୍ରଙ୍କ ପରିବାରକୁ ଭେଟିଛନ୍ତି। ପରିବାରର ଅବସ୍ଥା ଦେଖି ବିଧାୟକ ତୁରନ୍ତ ଫୋନ୍ ଯୋଗେ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରି ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟପଟେ ଗାଁ ଲୋକ ରୁଦ୍ରଙ୍କୁ ପୁନଃ ନିଯୁକ୍ତି ଦେବାକୁ ଦାବି କରିଛନ୍ତି। ପ୍ରତିଶ୍ରୁତି ତ ମିଳିଛି, କିନ୍ତୁ ପରିବାରକୁ କେବେ ସରକାରୀ ସହାୟତା ମିଳୁଛି, ତାକୁ ଅପେକ୍ଷା।
English 




















































































































































































































