ଆସୁଛି ଅସମ୍ଭାଳ ତାତି; ୩ ଦିନରେ ବଢ଼ିବ ୩ ଡିଗ୍ରି !

କନକ ବ୍ୟୁରୋ : କିଛି ଦିନର ଆଶ୍ୱସ୍ତି ପରେ ପୁଣି ଡରାଇଲାଣି ଗ୍ରୀଷ୍ମପ୍ରବାହ । ଗତମାସ ଓଡ଼ିଶା ବିଶ୍ୱର ତାତି ମାନଚିତ୍ରରେ ସ୍ଥାନ ପାଇଥିବା ବେଳେ, ଏବେ ଦୁଇ ଦିନ ହେଲା ପୁଣି କଲବଲ କଲାଣି ଭୀଷଣ ଗରମ ଓ ଗୁଳୁଗୁଳି । ଓଡ଼ିଶାରେ ୧୦ରୁ ଅଧିକ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହୁଛି । ତେବେ ଆଗକୁ ଆହୁରି ୩ ଦିନ ତାପମାତ୍ରା ବଢ଼ିବ ଏବଂ କିଛି ଦିନ ଭିତରେ ପାରଦ ୪୫ଡିଗ୍ରି ଛୁଇଁପାରେ ବୋଲି ଆକଳନ କରାଯାଉଛି ।
ଆସୁଛି ଅସମ୍ଭାଳ ତାତି ! ୩ ଦିନରେ ବଢ଼ିବ ୩ ଡିଗ୍ରି ! ପୁଣି ୪୫ ଛୁଇଁବ ପାରଦ ! ଓଡ଼ିଶାରେ ତାତି ପୁଣି ତାଉ ଦେଖାଇବା ଆରମ୍ଭ କରିଛି । ପ୍ରଚଣ୍ଡ ଖରା, ଭୀଷଣ ଗରମ ଓ ଅସହ୍ୟ ଗୁଳୁଗୁଳି । ଏସବୁ କିଛି ଦିନର ବ୍ୟବଧାନ ପରେ ପୁଣି ରାଜ୍ୟକୁ ଫେରିଥିବା ବେଳେ, ଆଗକୁ ଆହୁରି ଉପରମୁହାଁ ହେବ ପାରଦ । ଗତ ଏପ୍ରିଲ ୨୮ରେ ଝାରସୁଗୁଡ଼ା ତାପମାତ୍ରା ୪୫.୩ ଡିଗ୍ରୀ ହୋଇଥିବା ବେଳେ, ମେ’ ୨୧-୨୨ ବେଳକୁ ପାରଦ ପୁଣି ୪୫ ଡିଗ୍ରି ଛୁଇଁପାରେ ।
ଅଧିକ ପଢ଼ନ୍ତୁ : ୧୦ ବର୍ଷ ପରେ ଘର ବାହୁଡ଼ା; ଭିଟାମାଟିକୁ ଫେରିଲେ ନିଖୋଜ ଭାଇ-ଭଉଣୀ
ଏବେ ରାଜ୍ୟକୁ ଉତ୍ତର ଦିଗରୁ ଶୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ ଜଳୀୟବାଷ୍ପ ମାତ୍ରା ହ୍ରାସ ପାଇଛି । କାଳବୈଶାଖୀ ପ୍ରଭାବ କମ୍ ରହିବା ଫଳରେ ତାପମାତ୍ରା ବଢ଼ୁଛି । ପାଣିପାଗ ବିଶେଷଜ୍ଞଙ୍କ ପୂର୍ବାନୁମାନ ଅନୁସାରେ, ୨୦ରୁ ଦେଶର ମଧ୍ୟଭାଗରେ ଏକ ଗୁରୁଚାପ ବଳୟ ସକ୍ରିୟ ହେବ । ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହ ବୃଦ୍ଧି ସହ ତାପମାତ୍ରା ଆହୁରି ବଢ଼ିପାରେ । ଫଳରେ ୨୨ ବେଳକୁ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରି ଛୁଇଁପାରେ । ଏପଟେ ଉପକୂଳ ଓଡ଼ିଶାରେ ମୌସୁମୀ ପାଖେଇବା ସହ ବାୟୁମଣ୍ଡଳର ନିମ୍ନ ଭାଗରେ ଜଳୀୟବାଷ୍ପ ମାତ୍ରା ବଢ଼ିଛି । ତେଣୁ ଅସହ୍ୟ ଗୁଳୁଗୁଳି ହେଉଛି । ଏବଂ ପ୍ରକୃତ ତାପମାତ୍ରାଠୁ ଅଧିକ ଗରମ ଲାଗୁଛି ।
ଗତ କିଛି ଦିନ ଧରି ରାଜ୍ୟରେ ଆଖିଦୃଶିଆ ବଡ଼ କାଳବୈଶାଖୀ ବର୍ଷା ହେଇନାହିଁ । ଯାହାର ପ୍ରଭାବରେ ତାପମାତ୍ରା ବୃଦ୍ଧି ଅଧିକ କଷ୍ଟ ଦେଉଛି । ଆଗାମୀ ୨୪ ଘଣ୍ଟା ପାଇଁ ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଭଦ୍ରକ, ସୁନ୍ଦରଗଡ଼, ଗଞ୍ଜାମ, ଗଜପତି, କଳାହାଣ୍ଡି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାକୁ କାଳବୈଶାଖୀ ବର୍ଷା ସତର୍କତା ଜାରି କରାଯାଇଛି । ଆସନ୍ତାକାଲି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କେନ୍ଦୁଝର, ମୟୁରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ କାଳବୈଶାଖୀ ବର୍ଷା ହୋଇପାରେ ।
ଆଜି ପୁଣି ଆଗକୁ ବଢ଼ିଛି ମୌସୁମୀ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆରବ ସାଗରର କିଛି ଅଧିକ ଅଞ୍ଚଳ, ସମଗ୍ର ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ବଙ୍ଗୋପସାଗରର ଆହୁରି କିଛି ଅଧିକ ଅଞ୍ଚଳକୁ ଅଗ୍ରସର ହୋଇଛି ।
English 
















































































































































































































































































































































































































































































































































































































































































































































































































































































































































































































































































































































































