ଜୀବନ ନେଇଗଲା ତରଭୁଜ,ଆପଣ ବି ଖାଉଛନ୍ତି କି ? ତରଭୁଜ ପରେ ଭୁଲରେ ବି ଖାଆନ୍ତୁନି ଏ ଖାଦ୍ୟ

କନକ ବ୍ୟୁରୋ : ତରଭୁଜ ଖାଇ ମହାରାଷ୍ଟ୍ରର ୪ ଜଣଙ୍କ ମୃତ୍ୟୁ ଖବରକୁ ନେଇ ଚର୍ଚ୍ଚା ଥମିନଥିବା ବେଳେ ଗତକାଲି ଓଡ଼ିଶାରୁ ଏକ ଚିନ୍ତାଜନକ ଖବର ଆସି ପହଞ୍ଚିଥିଲା । ଖରାଦିନରେ ଘରେ ଘରେ ତରଭୁଜର ଚାହିଦା ଥିବାବେଳେ ଏହାକୁ ଖାଇ ପଟ୍ଟାମୁଣ୍ଡାଇ ଅଞ୍ଚଳର ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ଆହୁରି ୪ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ ଖରାଦିନରେ ପସରା ମେଲିଛନ୍ତି ତରଭୁଜ ବ୍ୟବସାୟୀ । ଚାହିଦାକୁ ଦେଖି ଭଳିକି ଭଳି ତରଭୁଜ ବିକୁଛନ୍ତି । ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ତରଭୁଜରେ ଇଞ୍ଜେକ୍ସନ୍ ଦେଇ ଲାଲ କରି ଦେଉଛନ୍ତି । ଆଉ ଆପଣ ଯଦି ଏଭଳି ତରଭୁଜ କିଣୁଛନ୍ତି ତା’ହେଲେ ସାବଧାନ ହୋଇଯାଆନ୍ତୁ । କାରଣ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଂଚଳରେ ତରଭୂଜ ଖାଇ ୧୩ବର୍ଷୀୟ ନାବାଳକ ସ୍ୱାଧୀନ ସେନାପତିଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ତେବେ ଗରମ ଦିନ ଆସିଲେ ଲୋକେ ନିଜକୁ ହାଇଡ୍ରେଟ୍ ରଖିବା ପାଇଁ ପାଣି ଜାତୀୟ ଫଳ ଖାଇବାକୁ ବେଶ୍ ପସନ୍ଦ କରନ୍ତି । ଆଉ ଏହି ସମୟରେ ତରଭୁଜର ଚାହିଦା ବଢ଼େ । ପ୍ରାୟ ୯୦ ପ୍ରତିଶତ ପାଣି ସହିତ ଭିଟାମିନ୍-A, ଭିଟାମିନ୍-C ଏବଂ ପୋଟାସିୟମରେ ଭରପୂର ଏହି ଫଳ ଶରୀର ପାଇଁ ବରଦାନ ସଦୃଶ । କିନ୍ତୁ ଆପଣ ଜାଣିଛନ୍ତି କି, ଆପଣଙ୍କର ଗୋଟିଏ ସାଧାରଣ ଭୁଲ୍ ଏହି ଅମୃତ ଭଳି ଫଳକୁ ବିଷରେ ମଧ୍ୟ ପରିଣତ କରିପାରେ? ଆୟୁର୍ବେଦ ଅନୁସାରେ, ତରଭୁଜ ଖାଇବା ପରେ କିଛି ଜିନିଷଠାରୁ ଦୂରେଇ ରହିବା ନିହାତି ଜରୁରୀ । ଯେମିତିକି :
ଆଗକୁ ପଢ଼ନ୍ତୁ : ପାହାଡ଼ ତାତିଲେ ବାହାରେ ‘କଳା ସୁନା’ : କୋଟି କୋଟିରେ ହୁଏ କାରବାର, ଧନୀ କରିଦେବ ଏହି ପାହାଡ଼ି ଔଷଧ
* କ୍ଷୀର ,ଦହି ଏବଂ ଛେନା :
ତରଭୁଜ ଖାଇବା ପରେ ତୁରନ୍ତ କ୍ଷୀର, ଦହି ବା ଛେନା ଜାତୀୟ ଖାଦ୍ୟ ଭୁଲରେ ବି ଖାଆନ୍ତୁ ନାହିଁ। ତରଭୁଜ ପ୍ରକୃତିରେ ଥଣ୍ଡା ଏବଂ କ୍ଷୀର ହଜମ ହେବାକୁ ସମୟ ନେଇଥାଏ । ଏହି ଦୁଇଟିର ମିଶ୍ରଣ ଗ୍ୟାସ, ପେଟ ଯନ୍ତ୍ରଣା ଏବଂ ବଦହଜମୀ ସୃଷ୍ଟି କରେ ।
* ତେଲ-ମସଲା ଏବଂ ଛଣାଛଣି ଖାଦ୍ୟ
ତରଭୁଜ ଖାଇ ସାରିବା ପରେ ସଙ୍ଗେ ସଙ୍ଗେ ସିଙ୍ଗଡ଼ା, ଆଳୁଚପ୍ କିମ୍ବା ଅଧିକ ମସଲାଯୁକ୍ତ ଖାଦ୍ୟ ଖାଇବା ଆଦୌ ଉଚିତ୍ ନୁହେଁ । ଏହା ପାଚନ ପ୍ରକ୍ରିୟା ଉପରେ ଚାପ ପକାଇଥାଏ, ଯାହାଦ୍ୱାରା ଏସିଡିଟି ବଢ଼ିଯାଏ ।
* ଖଟା ଜାତୀୟ ଫଳ
ତରଭୁଜ ଖାଇବା ପରେ କମଳା, ଲେମ୍ବୁ ଭଳି ଖଟା ଫଳ ଖାଇଲେ ପେଟରେ ଜଳାପୋଡ଼ା ଏବଂ ଗ୍ୟାସ୍ ସମସ୍ୟା ଦେଖାଦିଏ, ଯାହା ଆପଣଙ୍କ ପେଟକୁ ଖରାପ କରିପାରେ ।
* ପାଣି ପିଇବା ଠାରୁ ଦୂରେଇ ରୁହନ୍ତୁ
ଅଧିକାଂଶ ଲୋକ ଫଳ ଖାଇବା ପରେ ପାଣି ପିଅନ୍ତି କିନ୍ତୁ ତରଭୁଜରେ ପ୍ରଚୁର ପାଣି ଥାଏ । ଏହାକୁ ଖାଇବା ପରେ ତୁରନ୍ତ ପାଣି ପିଇଲେ ଶରୀରର ମେଟାବୋଲିଜିମ୍ କମ୍ ହୋଇଯାଏ ଏବଂ ପେଟ ଫୁଲିବା ଭଳି ସମସ୍ୟା ସୃଷ୍ଟି ହୁଏ ।
* ମଦ୍ୟପାନ କରନ୍ତୁ ନାହିଁ
ଗରମ ଦିନେ ତରଭୁଜ ଖାଇବା ପରେ ମଦ୍ୟପାନ କରିବା ଲିଭର ଉପରେ ପ୍ରବଳ ଚାପ ପକାଇବାର କାମ କରେ ଏବଂ ଶରୀରରେ ସୁଗାର ଲେଭଲ୍କୁ ହଠାତ୍ ବଢ଼ାଇଦିଏ । ଏହା ଶରୀରକୁ ଡିହାଇଡ୍ରେଟ୍ ମଧ୍ୟ କରିପାରେ ।
ସବୁବେଳେ ସତେଜ ଏବଂ କଟା ହେବାର ତୁରନ୍ତ ପରେ ତରଭୁଜ ଖାଆନ୍ତୁ । ଅଧିକ ସମୟ ଖୋଲାରେ ରହିଥିବା ଫଳରେ ସଂକ୍ରମଣ ଭୟ ଥାଏ । ଏହାକୁ ସକାଳେ ଖାଲି ପେଟରେ କିମ୍ବା ମଧ୍ୟାହ୍ନରେ ଖାଇବା ସବୁଠାରୁ ଭଲ । ରାତିରେ ଅଧିକ ପରିମାଣର ତରଭୁଜ ଖାଆନ୍ତୁ ନାହିଁ । ନଚେତ୍ ବାରମ୍ବାର ପରିସ୍ରା ଲାଗିବା ସହ ପେଟ ଭାରି ଲାଗିପାରେ । ସଚେତନତା ହିଁ ସୁସ୍ଥତାର ଚାବିକାଠି। ତେଣୁ ଖାଦ୍ୟ ଖାଇବା ଶୈଳୀରେ ସାମାନ୍ୟ ପରିବର୍ତ୍ତନ ଆଣନ୍ତୁ ଏବଂ ଗରମ ଦିନେ ନିଜକୁ ଓ ନିଜ ପରିବାରକୁ ସୁସ୍ଥ ରଖନ୍ତୁ ।
English 
















































































































































































































































































































































































































































































































































































































































































































































































































































































































































































































































































































































































