ଜୁଆଙ୍ଗ ସମ୍ପ୍ରଦାୟର ଅଭିନବ ପ୍ରତିବାଦ; ଚାଙ୍ଗୁ ବଜାଇ ଜିଲ୍ଲା ପ୍ରଶାସନ ଆଗରେ ଜଣାଇଲେ ଗୁହାରି

କନକ ବ୍ୟୁରୋ : ଦେଶ ଆଗକୁ ବଢୁଛି, ଡିଜିଟାଲ୍ ଇଣ୍ଡିଆର ନାରା ଦିଆଯାଉଛି । ହେଲେ ଆଜି ବି ଆମ ସମାଜର ଏମିତି ଏକ ବର୍ଗ ଅଛନ୍ତି, ଯେଉଁମାନେ ମୌଳିକ ଅଧିକାର ପାଇଁ ସଂଘର୍ଷ କରୁଛନ୍ତି । କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକର ଜୁଆଙ୍ଗ ସମ୍ପ୍ରଦାୟର କଥା । ନିଜର ହକ୍ ପାଇଁ ପ୍ରଶାସନର ନିଦ ଭାଙ୍ଗିବାକୁ ଏହି ଜନଜାତିର ଲୋକେ ଆପଣାଇଛନ୍ତି ଏକ ଅଭିନବ ଉପାୟ । ହାତରେ ଚାଙ୍ଗୁ ଜିଲ୍ଲା ପ୍ରଶାସନ ଆଗରେ ଗୁହାରି ଜଣାଇଛନ୍ତି ଜୁଆଙ୍ଗ ଭାଇଭଉଣୀ ।
କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ତେଲକୋଇଠାରେ ଏକ ମିଳିତ ଅଭିଯୋଗ ଶୁଣାଣୀ ଶିବିରର ଆୟୋଜନ କରାଯାଇଥିଲା । ପ୍ରାୟ ୧୧୦ଟି ଅଭିଯୋଗର ଶୁଣାଣୀ ଚାଲିଥିବା ବେଳେ ସେଠାରେ ପହଞ୍ଚିଥିଲେ ତାଳପଦା ପଞ୍ଚାୟତର ଗୋଡିନର୍ଦ୍ଦା ଓ ଜଗମୋହନପୁର ପଞ୍ଚାୟତ ଟୁଙ୍ଗୁରୁବାହାଳ ଗାଁର ଜୁଆଙ୍ଗ ସମ୍ପ୍ରଦାୟର ଶତାଧିକ ଲୋକ । ଦାବି ମାତ୍ର ତିନୋଟି- ରାସ୍ତା, ପାଣି ଆଉ ବିଜୁଳି। ତେଲକୋଇ ବ୍ଲକର ଗୋଡିନର୍ଦ୍ଦା ଗାଁରେ ପ୍ରାୟ ୯୮ଟି ଜୁଆଙ୍ଗ ପରିବାର ବସବାସ କରୁଛନ୍ତି ।
ଅଧିକ ପଢ଼ନ୍ତୁ : କାଳିଆ ପ୍ରେମରେ କାର୍ତ୍ତିକ, ୧୫ ବର୍ଷ ବୟସରୁ କରୁଛନ୍ତି ରଥ କାମ
ଆଜିଯାଏଁ ଗାଁକୁ ସବୁଦିନିଆ ରାସ୍ତା ନାହିଁ କି ବିଦ୍ୟୁତ ଓ ପାନୀୟ ଜଳ ଭଳି ଅତ୍ୟାବଶ୍ୟକ ସେବା ମିଳିପାରୁନାହିଁ । ଫଳରେ ରୋଗୀ ଓ ପ୍ରସୂତିକୁ ଖଟିଆରେ ବୋହି ଆଣିବାକୁ ପଡୁଛି । ୧୦ କିମି ଦୂର ତାଳପଦା ପଞ୍ଚାୟତରୁ ପିଡିଏସ ଚାଉଳ ଓ ଭତ୍ତା ଟଙ୍କା ପାଇଁ ନାକେଦମ୍ ହେଉଛନ୍ତି ଜୁଆଙ୍ଗ ଲୋକ । ଗାଁରେ ଗୋଟିଏ ନଳକୂପ ଥିଲେ ମଧ୍ୟ ଆବଶ୍ୟକ ମୁତାବକ ପାଣି ବାହାରୁ ନାହିଁ । ଚାଷ ଜମିର ଚୁଆ ପାଣି ଉପରେ ଲୋକ ନିର୍ଭର କରୁଛନ୍ତି ।
ଗତ ୨୦୨୪ ଜାନୁଆରୀ ୧ ତାରିଖରେ ମଧ୍ୟ ଏହି ଲୋକମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଚାଙ୍ଗୁ ବଜାଇଥିଲେ । ହେଲେ ଗରିବ ଜନଜାତିଙ୍କ କାନ୍ଦ ଆଜି ଯାଏଁ ପ୍ରଶାସନ ଶୁଣିପାରିଲା ନାହିଁ । ପରିସ୍ଥିତି ଏମିତି ଯେ, ମୌଳିକ ସୁବିଧା ନମିଳିବାରୁ ଗତ ସାଧାରଣ ନିର୍ବାଚନରେ ସେମାନେ ଭୋଟ୍ ବର୍ଜନ ମଧ୍ୟ କରିଥିଲେ ।
ନୂଆ ସରକାର ଗଢ଼ା ହେଲା, କିନ୍ତୁ ଜୁଆଙ୍ଗ ଗାଁର ଅନ୍ଧାର ହଟିଲାନି । ଆଜିର ଏହି ଶୁଣାଣୀ ଶିବିରରେ ଜିଲ୍ଲାପାଳ ଅନୁପସ୍ଥିତ ଥିଲେ । ତେଣୁ ଜୁଆଙ୍ଗ ସମ୍ପ୍ରଦାୟର ଲୋକେ ସିଡିଓ ଜିଲ୍ଲା ପରିଷଦ କୁମାର ନାଗଭୂଷଣଙ୍କୁ ନିଜର ଦାବିପତ୍ର ପ୍ରଦାନ କରିଥିଲେ ଏବଂ ସେ ଜୁଆଙ୍ଗ ଲୋକଙ୍କ ସମସ୍ୟା ସମାଧାନ ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ।
English 


































































































































































































































































































































































































































































































































































































































































































































































































































































































































































































































































































































































