ମାରିଦେଲାଣି ମହଙ୍ଗା ମାଡ଼,ପେଟ୍ରୋଲ-ଡିଜେଲ୍ ପରେ…ଏବେ ବଢ଼ିବ ମୋବାଇଲ୍ ରିଚାର୍ଜ ଦାମ୍

କନକ ବ୍ୟୁରୋ : ମହଙ୍ଗା ମାଡ଼ରେ ଅଣ୍ଟା ସିଧା କରିପାରୁନାହାନ୍ତି ସାଧାରଣ ଜନତା । ଦେଶରେ ପେଟ୍ରୋଲ ଏବଂ ଡିଜେଲ୍ ଦର ଲିଟର ପିଛା ୩ ଟଙ୍କା ବୃଦ୍ଧି ପାଇବା ପରେ ଏବେ ସାରା ଦେଶରେ ହାହାକାର । ଗାଡ଼ି ମୋଟର ଚଲାଇବା ତ ଦୂରର କଥା ଏବେ ଆପଣଙ୍କ ପକେଟ୍ ଉପରେ ଆଉ ଏକ ବଡ଼ ଚେଙ୍କ ପଡ଼ିବାକୁ ଯାଉଛି । ଆପଣ ବାହାରକୁ ଯାଆନ୍ତୁ ବା ନଯାଆନ୍ତୁ, ଘରେ ବସି ରହିଲେ ମଧ୍ୟ ଏହି ମହଙ୍ଗା ମାଡ଼ରୁ ଆପଣ ରକ୍ଷା ପାଇପାରିବେ ନାହିଁ । କାରଣ ପେଟ୍ରୋଲ-ଡିଜେଲ ମହଙ୍ଗା ହେବା ଯୋଗୁଁ ଖୁବଶୀଘ୍ର ଆପଣଙ୍କ ମୋବାଇଲ୍ ରିଚାର୍ଜ ପ୍ଲାନ୍ ମଧ୍ୟ ମହଙ୍ଗା ହେବାକୁ ଯାଉଛି । ଆପଣ ଭାବୁଥିବେ ପେଟ୍ରୋଲ-ଡିଜେଲ ସହିତ ମୋବାଇଲ୍ ବିଲ୍ର ସମ୍ପର୍କ କ’ଣ? ତେବେ ଆଜିର ଏହି ସ୍ପେଶାଲ୍ ରିପୋର୍ଟରେ ଆମେ ଆପଣଙ୍କୁ ବୁଝାଇବୁ ଏହି ପୂରା ଗଣିତ ।
ଆଗକୁ ପଢ଼ନ୍ତୁ : ଫୁଟିଲା ମହଙ୍ଗା ବୋମା : ସୁନା,କ୍ଷୀର,ପେଟ୍ରୋଲ୍ ଏବେ CNG; ଚାରିଆଡୁ ପଡ଼ିଲା ମହଙ୍ଗା ମାଡ଼
ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ, ଆମେ ଯେଉଁ ମୋବାଇଲ୍ ନେଟୱର୍କ ବ୍ୟବହାର କରୁଛୁ, ତାହାକୁ ସକ୍ରିୟ ରଖୁଥିବା ମୋବାଇଲ୍ ଟାୱାରଗୁଡ଼ିକୁ ଚଲାଇବା ପାଇଁ ବହୁ ପରିମାଣର ବିଦ୍ୟୁତ ଏବଂ ଇନ୍ଧନର ଆବଶ୍ୟକତା ପଡ଼ିଥାଏ । ଯେକୌଣସି ଟେଲିକମ୍ ଟାୱାର ଚଲାଇବା ପାଇଁ ମୋଟ୍ ଅପରେଟିଂ ଖର୍ଚ୍ଚର ପ୍ରାୟ ୪୦ ପ୍ରତିଶତ କେବଳ ବିଦ୍ୟୁତ ଓ ଇନ୍ଧନ ବାବଦରେ ଖର୍ଚ୍ଚ ହୋଇଥାଏ । ଏବେ ଯେହେତୁ ଡିଜେଲ୍ ଦର ବଢ଼ିଛି, ତେଣୁ ଜେନେରେଟରରେ ଚାଲୁଥିବା ଏହି ଟାୱାରଗୁଡ଼ିକର ପରିଚାଳନା ଖର୍ଚ୍ଚ ମଧ୍ୟ ବହୁ ମାତ୍ରାରେ ବଢ଼ିଯିବ । ବଡ଼ ବଡ଼ ଟେଲିକମ୍ କମ୍ପାନିଗୁଡ଼ିକୁ ପ୍ରତିବର୍ଷ କେବଳ ଡିଜେଲ୍ ପାଇଁ ଶହ ଶହ କୋଟି ଟଙ୍କାର ଅତିରିକ୍ତ ବୋଝ ସହିବାକୁ ପଡ଼ିବ । ଦେଶରେ ଏବେ 5G ସେବା ଦ୍ରୁତ ଗତିରେ ବିସ୍ତାର ହେଉଛି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସାଧାରଣ ଟାୱାର ତୁଳନାରେ 5G ଟାୱାର୍ ଚଲାଇବା ପାଇଁ ଅଧିକ ଶକ୍ତି ବା ଏନର୍ଜି ଏବଂ ଡିଜେଲ୍ର ଆବଶ୍ୟକତା ପଡ଼ିଥାଏ । ତେଣୁ ଡିଜେଲ୍ ମହଙ୍ଗା ହେବା କାରଣରୁ ଟେଲିକମ୍ କମ୍ପାନିଗୁଡ଼ିକ ପାଇଁ ଏହି 5G ଟାୱାରଗୁଡ଼ିକୁ ମ୍ୟାନେଜ୍ କରିବା ଏବେ ସବୁଠାରୁ ବଡ଼ ଆହ୍ୱାନ ପାଲଟିଛି ।
ରିପୋର୍ଟ ଅନୁଯାୟୀ, ଏହି କାରଣରୁ ଆସନ୍ତା ମାସ ଅର୍ଥାତ୍ ଜୁନ୍ ରୁ ମୋବାଇଲ୍ ରିଚାର୍ଜ ପ୍ଲାନ୍ ଗୁଡ଼ିକର ଦାମ୍ ପ୍ରାୟ ୧୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ । ଯେଉଁ ଟେଲିକମ୍ କମ୍ପାନିଗୁଡ଼ିକ ଭାରତୀୟ ବଜାରରେ ପ୍ଲାନ୍ ବଢ଼ାଇବା ପାଇଁ ପୂର୍ବରୁ ଯୋଜନା କରୁଥିଲେ, ଏହି ଡିଜେଲ୍ ଦର ବୃଦ୍ଧି ସେମାନଙ୍କ ଆଗରେ ନିଆଁରେ ଘିଅ ଢାଳିବା ଭଳି କାମ କରିଛି । କେବଳ ଦେଶ ଭିତରେ ନୁହେଁ ବରଂ ଗ୍ଲୋବାଲ୍ ସପ୍ଲାଇ ଚେନ୍ ବା ବିଶ୍ୱସ୍ତରୀୟ ଯୋଗାଣ ଶୃଙ୍ଖଳାରେ ଦେଖାଦେଇଥିବା ସମସ୍ୟା ଯୋଗୁଁ ଟେଲିକମ୍ କମ୍ପାନିଗୁଡ଼ିକର ବ୍ୟବସାୟିକ ଖର୍ଚ୍ଚ ଅନ୍ୟ କ୍ଷେତ୍ରରେ ମଧ୍ୟ ବୃଦ୍ଧି ପାଇଛି । ଯେଉଁ ଦର ବୃଦ୍ଧି କିଛି ମାସ ପରେ ହେବାର ଥିଲା ତାହା ଏବେ ଖୁବ୍ ଶୀଘ୍ର ଏବଂ ଅତି ଦ୍ରୁତ ଗତିରେ ହେବାକୁ ଯାଉଛି ।
English 






















































































































































































































































































































































































































































































































































































































































































































































































































































































































































































































































































































































