ରାତାରାତି ୪ ଗୁଣ ବଢ଼ିଥିଲା ତେଲ ଦର, ରବିବାର ଘରୁ ଗାଡ଼ି କାଢ଼ିବାରେ ଥିଲା ମନା

କନକ ବ୍ୟୁରୋ: ଥରେ ଭାବିଲେ… ଯଦି ହଠାତ୍ ଦେଶରେ ପେଟ୍ରୋଲ୍ ଓ ଡିଜେଲ୍ ମିଳିବା ବନ୍ଦ ହୋଇଯାଏ? ଯଦି ରାତାରାତି ତେଲ ଦର ଚାରିଗୁଣ ବଢ଼ିଯାଏ? ତେବେ ଆପଣ କରିବେ? ଆଜକୁ ପ୍ରାୟ ୫ ଦଶନ୍ଧି ପୂର୍ବେ ଠିକ୍ ଏମିତି ଏକ ସଙ୍କଟ ସାରା ବିଶ୍ୱକୁ ଦୋହଲାଇ ଦେଇଥିଲା । ଯେଉଁଥିପାଇଁ ଗାଡ଼ି ମଟର ସବୁ ରାସ୍ତାରେ ଅଟକି ଯାଇଥିଲା, ବଡ଼ ବଡ଼ ସୁପରପାୱାର ଦେଶ ବି ମାଟି କାମୁଡ଼ି ପଡ଼ିଥିଲେ । ଆଜି ଆମେ ଆପଣଙ୍କୁ ନେଇଯିବୁ ୧୯୭୩ ମସିହାକୁ, ଯେଉଁଠି ଆରମ୍ଭ ହୋଇଥିଲା ଇତିହାସର ସବୁଠାରୁ ବଡ଼ ‘ତୈଳ ସଙ୍କଟ’ । କାହିଁକି ଏବଂ କେମିତି ଘଟିଥିଲା ଏହି ମହାସଙ୍କଟ, ଆସନ୍ତୁ ଜାଣିବା…
ଆହୁରି ପଢ଼ନ୍ତୁ: ରଜନୀ ଓ ବିଜୟଙ୍କ ଭିତରେ ସବୁକିଛି ଠିକ୍ ଠାକ୍ ତ?
ତେଲ… ଆଧୁନିକ ଦୁନିଆର ସେହି ରକ୍ତ, ଯାହା ବିନା ଅର୍ଥନୀତିର ହୃଦସ୍ପନ୍ଦନ ଚାଲିବା ଅସମ୍ଭବ । ମାତ୍ର ୧୯୭୩ ମସିହାରେ ଏହି ତେଲ ପାଇଁ ସାରା ବିଶ୍ୱରେ ହାହାକାର ପଡ଼ିଯାଇଥିଲା । ଆମେରିକା ଠାରୁ ଆରମ୍ଭ କରି ଜାପାନ ଏବଂ ଭାରତ ପର୍ଯ୍ୟନ୍ତ… ପ୍ରତିଟି ଦେଶରେ ପେଟ୍ରୋଲ ପମ୍ପ ବାହାରେ ଦେଖିବାକୁ ମିଳିଥିଲା ମାଇଲ୍ ମାଇଲ୍ ଲମ୍ବା ଲାଇନ୍ । ଗାଡ଼ି ଥିଲା ମାତ୍ର ଚଲାଇବାକୁ ତେଲ ନଥିଲା । ବିଶ୍ୱ ଇତିହାସରେ ଏହାକୁ କୁହାଯାଏ ‘ଦି ଫାଷ୍ଟ ଗ୍ଲୋବାଲ୍ ଅଏଲ୍ କ୍ରାଇସିସ୍’ ବା ପ୍ରଥମ ବିଶ୍ୱ ତୈଳ ସଙ୍କଟ । କିନ୍ତୁ ଏହି ସଙ୍କଟ ପଛର କାରଣ କୌଣସି ବୈଷୟିକ ତ୍ରୁଟି ନଥିଲା, ବରଂ ଏହା ଥିଲା ଏକ ମହାଯୁଦ୍ଧର ପରିଣାମ ।
ଘଟଣାଟି ଥିଲା ୧୯୭୩ ମସିହା ଅକ୍ଟୋବର ମାସର । ମଧ୍ୟପ୍ରାଚ୍ୟରେ ହଠାତ୍ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଲା । ଆରବ ଦେଶଗୁଡ଼ିକ ଏବଂ ଇସ୍ରାଏଲ୍ ମଧ୍ୟରେ ଆରମ୍ଭ ହୋଇଗଲା ଏକ ଭୟଙ୍କର ରକ୍ତପାତ । ଯେଉଁ ଯୁଦ୍ଧକୁ ଇତିହାସରେ ‘ୟୋମ୍ କିପୁର ଯୁଦ୍ଧ’ ବୋଲି କୁହାଯାଏ । ଇଜିପ୍ଟ ଏବଂ ସିରିଆ ମିଳିତ ଭାବେ ଇସ୍ରାଏଲ୍ ଉପରେ ହଠାତ୍ ଆକ୍ରମଣ କରିଦେଲେ । ଏହି ମହାଯୁଦ୍ଧରେ ସାରା ବିଶ୍ୱ ଦୁଇ ଭାଗରେ ବିଭକ୍ତ ହୋଇଗଲା । ଗୋଟିଏ ପଟେ ଆରବ ଦେଶଗୁଡ଼ିକ ଥିବାବେଳେ, ଅନ୍ୟପଟେ ଇସ୍ରାଏଲ୍ ପଛରେ ପାହାଡ଼ ଭଳି ଛିଡ଼ା ହେଲେ ଆମେରିକା ଏବଂ ପାଶ୍ଚାତ୍ୟ ଦେଶ । ଆମେରିକାର ଏହି ନିଷ୍ପତ୍ତି ଆରବ ଜଗତକୁ ରକ୍ତ ଚାଉଳ ଚୋବାଇବାକୁ ବାଧ୍ୟ କରିଦେଇଥିଲା ।
ଇସ୍ରାଏଲ୍କୁ ଆମେରିକାର ସମର୍ଥନ ଦେଖି ଆରବ ଦେଶଗୁଡ଼ିକ ଏମିତି ଏକ ରଣନୀତି ପ୍ରସ୍ତୁତ କଲେ, ଯାହା ପୂର୍ବରୁ କେବେ ଘଟିନଥିଲା । ସେମାନେ ବନ୍ଧୁକ ବଦଳରେ ‘ତେଲ’କୁ ଅସ୍ତ୍ର କଲେ । ଆରବ ତୈଳ ଉତ୍ପାଦନକାରୀ ଦେଶଗୁଡ଼ିକର ସଙ୍ଗଠନ ‘ଓପେକ୍’ ପକ୍ଷରୁ ଘୋଷଣା କରାଗଲା କି, ଇସ୍ରାଏଲ୍କୁ ସହଯୋଗ କରୁଥିବା ଆମେରିକା, ବ୍ରିଟେନ, କାନାଡା, ନେଦରଲ୍ୟାଣ୍ଡ ଏବଂ ଜାପାନ ଭଳି ଶକ୍ତିଶାଳୀ ଦେଶଗୁଡ଼ିକୁ ତୈଳ ରପ୍ତାନି ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଲଗାଇ ଦିଆଗଲା । ଅର୍ଥାତ୍, ଏହି ଦେଶଗୁଡ଼ିକୁ ଆରବ ଦେଶ ଆଉ ଟୋପାଏ ବି କ୍ରୁଡ୍ ଅଏଲ୍ ଦେବେ ନାହିଁ ବୋଲି ସ୍ପଷ୍ଟ କରିଦେଲେ ।
ଏହି ଗୋଟିଏ ନିଷ୍ପତ୍ତି ସାରା ବିଶ୍ୱ ବଜାରରେ ଭୂକମ୍ପ ଆଣିଥିଲା । ଆରବ ଦେଶଗୁଡ଼ିକ ରପ୍ତାନି ବନ୍ଦ କରିବା ସହ ତେଲ ଉତ୍ପାଦନ ମଧ୍ୟ କମାଇ ଦେଲେ । ଫଳ ସ୍ୱରୂପ, ଆନ୍ତର୍ଜାତୀୟ ବଜାରରେ କ୍ରୁଡ୍ ଅଏଲ୍ ବା ଅଶୋଧିତ ତୈଳର ଦାମ ରାତାରାତି ପ୍ରାୟ ୪ ଗୁଣ ବଢ଼ିଗଲା । ଯେଉଁ ତେଲ ବ୍ୟାରେଲ୍ ପିଛା ମାତ୍ର ୩ ଡଲାର ଥିଲା, ତାହା ୧୨ ଡଲାରକୁ ଡେଇଁପଡ଼ିଲା । ବିଶ୍ୱ ଅର୍ଥନୀତି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିବା ସ୍ଥିତିକୁ ଚାଲିଆସିଲା । ଏହାର ପ୍ରଭାବ କେତେ ଭୟଙ୍କର ଥିଲା, ତାହା ଆପଣ ଏହି କଥାରୁ ଅନୁମାନ କରିପାରିବେ ଯେ, ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାରେ ପେଟ୍ରୋଲ୍ର ରାସନିଂ କରିବାକୁ ପଡ଼ିଥିଲା । ଗାଡ଼ି ନମ୍ବରର ଯୁଗ୍ମ ଏବଂ ଅଯୁଗ୍ମ ସଂଖ୍ୟା ଆଧାରରେ ତେଲ ମିଳୁଥିଲା । ଅନେକ ୟୁରୋପୀୟ ଦେଶରେ ରବିବାର ଦିନ ଗାଡ଼ି ଚଲାଇବା ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଥିଲା । ଏହି ସଙ୍କଟରୁ ଭାରତ ମଧ୍ୟ ବାଦ୍ ପଡ଼ିନଥିଲା । ବିକାଶଶୀଳ ଦେଶ ହୋଇଥିବାରୁ ଭାରତର ଅର୍ଥନୀତି ଉପରେ ଏହାର ଶକ୍ତ ଧକ୍କା ଲାଗିଥିଲା । ମହଙ୍ଗା ମାଡ଼ ହୁ ହୁ ହୋଇ ବଢ଼ିଥିଲା ଏବଂ ପରିବହନ ବ୍ୟବସ୍ଥା ଏକ ପ୍ରକାର ସ୍ଥାଣୁ ହୋଇପଡ଼ିଥିଲା ।
ଏହି ସଙ୍କଟ ପରେ ହିଁ ପାଶ୍ଚାତ୍ୟ ଦେଶଗୁଡ଼ିକ ତେଲ ପାଇଁ କେବଳ ଆରବ ଦେଶ ଉପରେ ନିର୍ଭର ନକରି ବିକଳ୍ପ ଶକ୍ତିର ସନ୍ଧାନ ଆରମ୍ଭ କଲେ । ଆଣବିକ ଶକ୍ତି, ସୌର ଶକ୍ତି ଏବଂ ପରବର୍ତ୍ତୀ ସମୟରେ ଗାଡ଼ିର ମାଇଲେଜ୍ ବଢ଼ାଇବା ଉପରେ ଗବେଷଣା ଜୋରଦାର ହେଲା । ୧୯୭୩ର ସେହି ମହାସଙ୍କଟ ପ୍ରମାଣ କରିଦେଇଥିଲା ଯେ, କଳା ସୁନା ବୋଲାଉଥିବା ଏହି ତେଲ କେବଳ ଗାଡ଼ି ଚଲାଏ ନାହିଁ, ବରଂ ବିଶ୍ୱର ରାଜନୀତି ଏବଂ ଭୂଗୋଳକୁ ମଧ୍ୟ ବଦଳାଇବାର କ୍ଷମତା ରଖେ । ୧୯୭୩ ମସିହାର ସେହି ୟୋମ୍ କିପୁର ଯୁଦ୍ଧ ଏବଂ ଓପେକ୍ର ତୈଳ ନିଷେଧାଦେଶ ଇତିହାସର ଏମିତି ଏକ ଅଧ୍ୟାୟ, ଯାହା ଦେଖାଇଥିଲା ଯେ ଆନ୍ତର୍ଜାତୀୟ ରାଜନୀତିରେ ଅସ୍ତ୍ରଶସ୍ତ୍ର ଠାରୁ ବି ପ୍ରାକୃତିକ ସମ୍ପଦ କେତେ ଶକ୍ତିଶାଳୀ ହୋଇପାରେ । ଆଜି ବି ଯେତେବେଳେ ମଧ୍ୟପ୍ରାଚ୍ୟରେ ଟେନସନ୍ ବଢ଼ୁଛି, ସେତେବେଳେ ଦୁନିଆକୁ ୧୯୭୩ର ସେହି ଭୟାବହ କାହାଣୀ ମନେପଡ଼ିଯାଏ ।
English 























































































































































































































































































































































































































































































































































































































































































































































































































































































































































































































































































































