କବାଟ ବନ୍ଦ କରି ନବୀନ କଲେ ବଡ଼ ପ୍ଲାନ୍ , ଆସନ୍ତା ମାସରେ ଓଡ଼ିଶା ଆସିବେ ମୋଦୀ

କନକ ବ୍ୟୁରୋ: ଗୋଟିଏ ପଟେ ଆଗକୁ ଆସୁଛି ପଞ୍ଚାୟତ ଓ ପୌର ନିର୍ବାଚନ, ଆଉ ଅନ୍ୟପଟେ ଓଡ଼ିଶାରେ ବିଜେପି ସରକାରର ଦୁଇ ବର୍ଷ ପୂର୍ତ୍ତି । ଏହି ଦୁଇଟି ବଡ଼ ପ୍ଲାନକୁ ନେଇ ଆଜି ଭୁବନେଶ୍ୱରର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବସିଥିଲା ରୁଦ୍ଧଦ୍ବାର ବୈଠକ । ସକାଳୁ କୋର କମିଟି ବୈଠକ ଏବଂ ଅପରାହ୍ନରେ ମନ୍ତ୍ରୀ ଓ ସାଂସଦମାନଙ୍କୁ ବିଜୟର ଗୁରୁମନ୍ତ୍ର ଦେଇଛନ୍ତି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ।
ମିସନ ଓଡ଼ିଶା ପାଇଁ ରାଜଧାନୀରେ ବିଜେପିର ମାରାଥନ ମାନସମନ୍ଥନ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିବା ପରେ ଆକ୍ସନ ମୋଡ୍ରେ ବିଜେପି ରାଷ୍ଟ୍ରୀୟ ସଭାପତି ନିତିନ ନବୀନ । ଆଗାମୀ ପଞ୍ଚାୟତ ଏବଂ ପୌର ନିର୍ବାଚନ ପାଇଁ ଏକ ସ୍ପେଶାଲ ବ୍ଲୁ-ପ୍ରିଣ୍ଟ ବା ରଣନୀତିର ଖସଡ଼ା ପ୍ରସ୍ତୁତ କରାଯାଇଛି । ଏହାସହ ଅପରାହ୍ନରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଏବଂ ଦଳର ସାଂସଦମାନଙ୍କୁ ନେଇ ବସିଥିଲା ଆଉ ଏକ ହାଇଲେଭଲ ମିଟିଂ । ଯେଉଁଠି ମନ୍ତ୍ରୀ ଓ ନେତାମାନଙ୍କୁ ସଂଗଠନ ସୁଦୃଢ଼ କରିବା ସହ ଗ୍ରାଉଣ୍ଡ ଜିରୋକୁ ଯାଇ ଲୋକଙ୍କ ସହ ଯୋଡ଼ି ହେବାକୁ ଗୁରୁମନ୍ତ୍ର ଦେଇଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ।
ଏହି ଗସ୍ତର ସବୁଠାରୁ ବଡ଼ ଫୋକସ୍ ପଏଣ୍ଟ୍ ହେଉଛି ଓଡ଼ିଶାରେ ବିଜେପି ସରକାରର ଦୁଇ ବର୍ଷ ପୂର୍ତ୍ତି ଉତ୍ସବ । ଏହି ଉତ୍ସବକୁ ସରକାରୀ ସମାରୋହ ସହ ବଡ଼ ରାଜନୈତିକ ଶକ୍ତି ପ୍ରଦର୍ଶନରେ ପରିଣତ କରିବାକୁ ଯୋଜନା କରିଛି ଦଳ । ଏହି ଦୁଇ ବର୍ଷ ପୂର୍ତ୍ତି ଉତ୍ସବରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀଙ୍କ ସମେତ ବିଜେପିର ଶୀର୍ଷ କେନ୍ଦ୍ରୀୟ ନେତୃତ୍ୱ ଓଡ଼ିଶା ଆସିବେ ଏବଂ ଡବଲ ଇଞ୍ଜିନ ସରକାରର ଦୁଇ ବର୍ଷର ରିପୋର୍ଟ କାର୍ଡ ଓ ସଫଳତା ବିଷୟରେ ଜନତାଙ୍କୁ ଅବଗତ କରାଇବେ । ଯାହାକୁ ନେଇ କର୍ମୀଙ୍କ ମଧ୍ୟରେ ଏବେଠାରୁ ଜୋସ ଜେନେରେଟ୍ କରିବାକୁ ଟାସ୍କ ଦେଇଛନ୍ତି ନିତିନ ନବୀନ ।
ଓଡ଼ିଶାରେ କ୍ଷମତାକୁ ଆସିବା ପରେ ବିଜେପି ପାଇଁ ଆଗାମୀ ପଞ୍ଚାୟତ ଏବଂ ପୌର ନିର୍ବାଚନ ହେଉଛି ପ୍ରଥମ ବଡ଼ ପରୀକ୍ଷା । ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଦଳର ସ୍ଥିତିକୁ ଅପ୍ରତିଦ୍ୱନ୍ଦ୍ୱୀ କରିବା ପାଇଁ ବିଜେପି କୌଣସି ସୁଯୋଗ ହାତଛଡ଼ା କରିବାକୁ ଦଳ ଚାହୁନାହିଁ । ଏହି କାରଣରୁ ନିତିନ ନବୀନ ନିଜେ ମଇଦାନକୁ ଓହ୍ଲାଇ ମନ୍ତ୍ରୀ ଓ ସାଂସଦମାନଙ୍କୁ ସିଧାସଳଖ ତାଗିଦ୍ କରିଛନ୍ତି ଯେ, ସରକାରୀ ଯୋଜନାର ଲାଭ ଯେପରି ଶେଷ ହିତାଧିକାରୀଙ୍କ ପାଖରେ ପହଞ୍ଚିବ, ତାହା ସୁନିଶ୍ଚିତ କରାଯାଉ ।
ଆଗାମୀ ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତି ଏବେ ଉଷ୍ମ ହେବାରେ ଲାଗିଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ଏହି ଦୁଇ ଦିନିଆ ଗସ୍ତ କେବଳ ସମୀକ୍ଷା ବୈଠକରେ ସୀମିତ ନାହିଁ, ବରଂ ଏହା ଆଗାମୀ ନିର୍ବାଚନ ପାଇଁ ବିଗୁଲ୍ ଫୁଙ୍କି ସାରିଛି । ଦୁଇ ବର୍ଷ ପୂର୍ତ୍ତି ଆଳରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଓଡ଼ିଶା ଆଣି ଗ୍ରାଉଣ୍ଡ ସ୍ତରରେ ବିଜେପି କିଭଳି କ୍ଲିନ୍ ସୁଇପ୍ କରିବ, ତାକୁ ହିଁ ଫୋକସ କରିଛି ଦଳ ।
English 























































































































































































































































































































































































































































































































































































































































































































































































































































































































































































































































































































