ଅଧରାତିରେ ଚୀନ୍ରେ ୫.୨ ତୀବ୍ରତାଯୁକ୍ତ ଭୂମିକମ୍ପ : ଲୋକଙ୍କ ନିଦ ପାଲଟିଲା ଶେଷନିଦ୍ରା

କନକବ୍ୟୁରୋ : ଦକ୍ଷିଣ ଚୀନ୍ ସହର ଲିଉଝୋ ଏବଂ ଆଖପାଖ ଅଞ୍ଚଳରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ମଧ୍ୟରାତ୍ରିରେ ହୋଇଥିବା ଭୂମିକମ୍ପରେ ଅନେକ କୋଠା ଭୁଶୁଡ଼ି ପଡ଼ିଥିବାବେଳେ ଲୋକମାନେ ଭଗ୍ନାବଶେଷରେ ଫସି ରହିଛନ୍ତି । ଉଦ୍ଧାରକାରୀ ଦଳଗୁଡ଼ିକ ରାତିର ଅନ୍ଧାରରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଭଗ୍ନାବଶେଷ ତଳୁ ଜୀବନ ଖୋଜା ଜାରି ରହିଛି।ସ୍ଥାନୀୟ ସମୟ ରବିବାର-ସୋମବାର ରାତି ୧୨:୨୧ ରେ ହୋଇଥିବା ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଲିଉଝୋର ଲିଉନାନ ଜିଲ୍ଲାରେ ଥିଲା। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଏବଂ ଚୀନ୍ ଭୂମିକମ୍ପ ସଂସ୍ଥା ଉଭୟ ଏହାର ତୀବ୍ରତା ୫.୨ ବୋଲି ରିପୋର୍ଟ କରିଛନ୍ତି । ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂଗର୍ଭର ପ୍ରାୟ ୮ କିଲୋମିଟର ଗଭୀରତା ଥିଲା ବୋଲି ଅନୁମାନ କରାଯାଉଛି। ବିଶେଷଜ୍ଞମାନେ କହିଛନ୍ତି ଯେ, ଅଗଭୀର ଭୂମିକମ୍ପ ଯୋଗୁ ଅଧିକ କ୍ଷୟକ୍ଷତି ହୋଇଛି ।
ବିଳମ୍ବିତ ରାତିରେ ଲୋକମାନେ ଶୋଇଥିବା ସମୟରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା । ଏହି ଅଞ୍ଚଳଟି ଚୀନ୍ର ଗୁଆଙ୍ଗସି ଅଞ୍ଚଳରେ ଅବସ୍ଥିତ ଏବଂ ଏଠାରେ ଚାରି ଲକ୍ଷରୁ ଅଧିକ ଲୋକ ବାସ କରନ୍ତି। ସମଗ୍ର ଅଞ୍ଚଳରେ ପ୍ରବଳ ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହା ଫଳରେ ୧୩ରୁ ଅଧିକ କୋଠା ଭୁଶୁଡ଼ି ପଡ଼ିଥିଲା। ଅନେକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିଲେ। ବହୁ ଆହତ ହୋଇଥିଲେ। ଲୋକେ ରାତିରେ ଶୋଇଥିବା ସମୟରେ ଭମିକମ୍ପ ହେବାରୁ କ୍ଷୟକ୍ଷତି ଅଧିକ ହୋଇଥିବା କୁହାଯାଉଛି । ଚୀନ୍ର ସରକାରୀ ଖବର ସଂସ୍ଥା, ଜିନହୁଆ ଅନୁଯାୟୀ, ଏପର୍ଯ୍ୟନ୍ତ ଚାରି ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଯେତେବେଳେ ତିନି ଜଣ ଏବେ ବି ନିଖୋଜ ଅଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ପ୍ରାୟ ୭,୦୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି। ତେବେ ଏକ ଆଶ୍ୱସ୍ତିର ବିଷୟ ଯେ, ଏହି ଅଞ୍ଚଳରେ ବିଦ୍ୟୁତ୍, ପାଣି, ଗ୍ୟାସ୍ ଏବଂ ପରିବହନ ସେବା ସ୍ୱାଭାବିକ ରହିଛି।
ଭୂମିକମ୍ପ ପରେ ତୁରନ୍ତ ରାତିର ଅନ୍ଧାରରେ ଉଦ୍ଧାର ସଂସ୍ଥାଗୁଡ଼ିକ କାର୍ଯ୍ୟରେ ଲାଗିପଡ଼ିଥିଲେ। ରାତି ପ୍ରାୟ ୨ଟା ସୁଦ୍ଧା ୫୧ଟି ଅଗ୍ନିଶମ ଏବଂ ଉଦ୍ଧାର ଗାଡ଼ି ସହିତ ୩୧୫ ରୁ ଅଧିକ ଜରୁରୀକାଳୀନ କର୍ମଚାରୀ ପ୍ରଭାବିତ ଅଞ୍ଚଳରେ ପହଞ୍ଚିଥିଲେ। ପୁଲିସ, ଅଗ୍ନିଶମ କର୍ମଚାରୀ ଏବଂ ଡାକ୍ତରୀ ଦଳ ଭଗ୍ନାବଶେଷ ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି। ସ୍ଥାନୀୟ ପ୍ରଶାସନ ଅଧିକାରୀମାନଙ୍କୁ କ୍ଷୟକ୍ଷତି ଏବଂ ମୃତାହତଙ୍କ ବିଷୟରେ ଶୀଘ୍ର ସଠିକ୍ ତଥ୍ୟ ସଂଗ୍ରହ କରିବାକୁ ଏବଂ ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛି। ଆଗକୁ ପୁଣି ଭୂମିକମ୍ପର ଆଶଙ୍କା ଥିବାରୁ ସେମାନେ ପରବର୍ତ୍ତୀ ଭୂକମ୍ପ ଉପରେ ମଧ୍ୟ ନଜର ରଖିଛନ୍ତି।
ଭୂମିକମ୍ପ ହଂକଂ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। ହଂକଂ ଅବଜରଭେଟୋରୀକୁ ସ୍ଥାନୀୟ ବାସିନ୍ଦାଙ୍କଠାରୁ ରିପୋର୍ଟ ମିଳିଛି। ସେମାନେ କିଛି ସେକେଣ୍ଡ ପାଇଁ ଭୂମିକମ୍ପ ଅନୁଭବ କରିଥିବା କହିଛନ୍ତି। ଅବଜରଭେଟୋରୀ ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ହଂକଂର ପଶ୍ଚିମ-ଉତ୍ତରପଶ୍ଚିମରେ ପ୍ରାୟ ୫୫୦ କିଲୋମିଟର ଦୂରରେ ଥିଲା । ବିଶେଷଜ୍ଞମାନଙ୍କ ଅନୁସାରେ ଚୀନ୍ର ଗୁଆଙ୍ଗସି ଅଞ୍ଚଳକୁ ସାଧାରଣତଃ ଭୂମିକମ୍ପ ପ୍ରବଣ ଅଞ୍ଚଳ ଭାବରେ ବିବେଚନା କରାଯାଏ ନାହିଁ। ଚୀନ୍ରେ ବଡ଼ ଏବଂ ଅଧିକ ବିନାଶକାରୀ ଭୂମିକମ୍ପ ସିଚୁଆନ ଏବଂ ୟୁନାନ ଭଳି ପଶ୍ଚିମ ପ୍ରଦେଶରେ ଘଟିଥାଏ।
English 






















































































































































































































































































































































































































































































































































































































































































































































































































































































































































































































































