ଆସୁଛନ୍ତି ‘ସେବି’ ମୁଖ୍ୟ ତୁହିନକାନ୍ତ ପାଣ୍ଡେ : ଭାରତୀୟ ମ୍ୟୁଚୁଆଲ୍ ଫଣ୍ଡ ସଂଘ କାର୍ଯ୍ୟକ୍ରମରେ ଦେବେ ଯୋଗ

କନକବ୍ୟୁରୋ : ପୁଞ୍ଜି ବଜାରର ନିୟାମକ ସଂସ୍ଥା ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ର ଅଧ୍ୟକ୍ଷ ତୁହିନକାନ୍ତ ପାଣ୍ଡେ ଆସନ୍ତାକାଲି ଭାରତୀୟ ମ୍ୟୁଚୁଆଲ୍ ଫଣ୍ଡ ସଂଘ (ଆମ୍ଫି)ର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଭୁବନେଶ୍ବର ଆସୁଛନ୍ତି। ୧୯୮୭ ବ୍ୟାଚ୍ ଓଡ଼ିଶା କ୍ୟାଡର୍ର ଏହି ଆଇଏଏସ୍ ଅଧିକାରୀ ୨୦୨୫ ମାର୍ଚ୍ଚ ୧ରେ ‘ସେବି’ର ଏକାଦଶ ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ତା’ ପୂର୍ବରୁ ସେ କେନ୍ଦ୍ର ସରକାରଙ୍କ ଅର୍ଥ ସଚିବ, ନିବେଶ ଓ ସାର୍ବଜନୀନ ସମ୍ପତ୍ତି ପରିଚାଳନା ବିଭାଗ (ଦିପମ୍)ର ସଚିବ ଭାବେ କାର୍ଯ୍ୟ କରିଥିଲେ। ଏୟାର ଇଣ୍ଡିଆର ଘରୋଇକରଣ ଓ ଏଲ୍ଆଇସି ଆଇପିଓ ଆଣିବାରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଶ୍ରୀ ପାଣ୍ଡେଙ୍କ ଚାକିରି ଜୀବନର ଏକ ବଡ଼ ଅଂଶ ଓଡ଼ିଶାରେ କଟିଥିଲା।
ଶ୍ରୀ ପାଣ୍ଡେ ଓଡ଼ିଶା ରାଜ୍ୟ ଅର୍ଥ ନିଗମ (ଓଏସ୍ଏଫ୍ସି)ର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ (ଓଏସ୍ଆଇ)ର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ। ସେ ସମ୍ବଲପୁରର ଜିଲ୍ଲାପାଳ ଭାବେ ମଧ୍ୟ କାମ କରିଥିଲେ। ପରେ ସେ ଡେପୁଟେସନ୍ରେ ଦିଲ୍ଲୀ ଚାଲିଯାଇଥିଲେ ଏବଂ ସେଠାରେ କାମ କରିବାର କିଛି ବର୍ଷ ପରେ ପୁଣି ଓଡ଼ିଶା ଫେରି ରାଜ୍ୟ ପରିବହନ, ସ୍ବାସ୍ଥ୍ୟ ଓ ବାଣିଜ୍ୟିକ ଟିକସ ବିଭାଗରେ କାର୍ଯ୍ୟ କରିଥିଲେ। ୨୦୧୬ରେ ତାଙ୍କୁ ଓଡ଼ିଶା ଅର୍ଥ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ମିଳିିଥିଲା। ୨୦୧୯ରେ ସେ କେନ୍ଦ୍ର ସରକାରଙ୍କ ନିବେଶ ଓ ସାର୍ବଜନୀନ ସମ୍ପତ୍ତି ପରିଚାଳନା (ଦିପମ୍) ବିଭାଗର ସଚିବ ଭାବେ ନିଯୁକ୍ତି ପାଇ ଦିଲ୍ଲୀ ଚାଲିଯାଇଥିଲେ।
ଶ୍ରୀ ପାଣ୍ଡେ ‘ସେବି ’ ମୁଖ୍ୟ ଭାବେ ନିଯୁକ୍ତ ହେବା ବେଳକୁ ଏହି ନିୟାମକ ସଂସ୍ଥା ଦାୟିତ୍ବରେ ଥିବା ମାଧବୀ ପୁରୀ ବୁଚ୍ ବିବାଦୀୟ ହୋଇ ପଡ଼ିଥିଲେ। ଆମେରିକାର ହିଣ୍ଡେନବର୍ଗ ରିସର୍ଚ୍ଚ ତାଙ୍କ ବିରୋଧରେ ଆଦାନୀ ଗ୍ରୁପ୍କୁ ସମର୍ଥନ କରୁଥିବା ଓ ତାଙ୍କର ଦ୍ବୈତ ସ୍ବାର୍ଥ ଥିବା ଅଭିଯୋଗ ଆଣିଥିଲା। ଯଦିଓ ମାଧବୀ ସେହି ଅଭିଯୋଗକୁ ଦୃଢ଼ ଭାବେ ଖଣ୍ଡନ କରିଥିଲେ, କିନ୍ତୁ ‘ସେବି’ର ବିଶ୍ବସନୀୟତାକୁ ନେଇ ପ୍ରଶ୍ନ ଉଠିଥିଲା। ମାଧବୀଙ୍କ ଉତ୍ତରାଧିକାରୀ ଭାବେ ଦାୟିତ୍ବ ପାଇବା ପରେ ଶ୍ରୀ ପାଣ୍ଡେଙ୍କ ପାଇଁ ସଂସ୍ଥାର ବିଶ୍ବସନୀୟତା ଫେରାଇ ଆଣିବାର ଗୁରୁ ଦାୟିତ୍ବ ଥିଲା। ଯାହାକୁ ସେ ଠିକଣା ଢଙ୍ଗରେ ନିର୍ବାହ କରିଛନ୍ତି।
English 



















































































































































































































































































































































































































































































































































































































































































































































































































































































































































































































