ସୁନ୍ଦରଗଡ଼ରେ ଦକ୍ଷିଣ ଭାରତର ନେଲ୍ଲୁର ପ୍ରଜାତିର ମେଣ୍ଢା ଚାଷ, ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ମହିଳା ଚାଷୀ

କନକ ବ୍ୟୁରୋ : ସାଧାରଣତଃ ମେଣ୍ଢା ପାଳନ କହିଲେ ମନକୁ ଆସେ ଅନାବଶ୍ୟକ ଲୋମ ଓ ରକ୍ଷଣାବେକ୍ଷଣର ଝାମେଲା। ସେଥିପାଇଁ ଅନେକ ଚାଷୀ ଏବେ ମେଣ୍ଢା ପାଳନରୁ ମୁହଁ ଫେରାଇ ଛେଳି ଚାଷକୁ ଆପଣାଇଥାନ୍ତି। ଏସବୁ ଭିତରେ ସୁନ୍ଦରଗଡ଼ ଜିଲ୍ଲାରୁ ଆସିଛି ଭିନ୍ନ ଚିତ୍ର। ଦକ୍ଷିଣ ଭାରତୀୟ ପ୍ରଜାତି ‘ନେଲ୍ଲୁର’ ମେଣ୍ଢା ଚାଷ କରି ଏବେ ମାସକୁ ମାସ ମାଲେମାଲ୍ ହେଉଛନ୍ତି ଜଣେ ମହିଳା ଚାଷୀ। ବାର୍ଷିକ ୭ରୁ ୮ ଲକ୍ଷ ଟଙ୍କାର ରୋଜଗାର କରି ସେ ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି।
ମେଣ୍ଢା ଚାଷ.. ଏହି ନାଁ ଶୁଣିଲେ ଆଜିକାଲିର ଚାଷୀ ପଛଘୁଞ୍ଚା ଦେଉଛନ୍ତି। କାରଣ ମେଣ୍ଢା ଶରୀରରେ ଥିବା ପ୍ରଚୁର ଲୋମ ଓ ଏହାର ରକ୍ଷଣାବେକ୍ଷଣ ପାଇଁ ଅଧିକ ଖର୍ଚ୍ଚ ହୋଇଥାଏ। ଅନ୍ୟପଟେ ବଜାରରେ ଖାସି ମାଂସର ଚାହିଦା ବଢୁଥିବାରୁ ରାଜ୍ୟରେ ମେଣ୍ଢା ପାଳନ ସଂଖ୍ୟା ମଧ୍ୟ ହ୍ରାସ ପାଇଛି। କିନ୍ତୁ ଏହି ଧାରାକୁ ବଦଳାଇ ଦେଇଛି ଦକ୍ଷିଣ ଭାରତରୁ ଆସୁଥିବା ‘ନେଲ୍ଲୁର’ ପ୍ରଜାତିର ମେଣ୍ଢା। ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡା ବ୍ଲକ ବନଜାରିବଟ୍ ଅଞ୍ଚଳର ମହିଳା ଚାଷୀ ସୀମା ନାଏକଙ୍କ ପରିବାର ଏବେ ଏହି ଚାଷ କରି ବେଶ୍ ଲାଭବାନ୍ ହେଉଛନ୍ତି। ଏହି ନେଲ୍ଲୁର ମେଣ୍ଢାଙ୍କର ବିଶେଷତ୍ୱ ଉପରେ ପକାନ୍ତୁ ନଜର…
ନେଲ୍ଲୁର ମେଣ୍ଢାଙ୍କ ବିଶେଷତ୍ୱ
-ସାଧାରଣ ମେଣ୍ଢାଙ୍କ ଭଳି ଏମାନଙ୍କ ଦେହରେ ଲୋମ ରହେ ନାହିଁ
-ଏମାନଙ୍କ ମାଂସର ସ୍ୱାଦ ମଧ୍ୟ ଅବିକଳ ଛେଳି ମାଂସ ଭଳି
-ବର୍ଷକୁ ଏହି ମେଣ୍ଢା ୧୨ ରୁ ୧୪ କିଲୋ ପର୍ୟ୍ୟନ୍ତ ବଢ଼ିଥାନ୍ତି
-ଏହି ପ୍ରଜାତିର ମେଣ୍ଢାଙ୍କ ପାଖରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ
-‘ନେଲ୍ଲୁର’ ପ୍ରଜାତିର ମେଣ୍ଢାଙ୍କ ମୃତ୍ୟୁହାର ବହୁତ କମ୍
ଏହି ଚାଷର ଆଉ ଏକ ସୁବିଧା ହେଉଛି ଖାଦ୍ୟ ଖର୍ଚ୍ଚ। ନେଲ୍ଲୁର ପ୍ରଜାତିର ମେଣ୍ଢାମାନଙ୍କ ପାଇଁ ବାହାରୁ ଦାମିକା ପଶୁ ଖାଦ୍ୟ କିଣିବାକୁ ପଡ଼ିନଥାଏ। ଏମାନେ ସାଧାରଣତଃ ପ୍ରାକୃତିକ ଘାସ ଖାଇ ବଢ଼ିଥାନ୍ତି। କମ୍ ଖର୍ଚ୍ଚରେ ଅଧିକ ଓଜନ ବଢ଼ୁଥିବାରୁ ଏହା ସୀମାଙ୍କ ପରିବାର ପାଇଁ ବାର୍ଷିକ ପ୍ରାୟ ୭ ରୁ ୮ ଲକ୍ଷ ଟଙ୍କାର ମୁନାଫା ଆଣିଦେଉଛି। ଘରର ବାକି ସଦସ୍ୟମାନେ ମଧ୍ୟ ଏହି କାମରେ ସହଯୋଗ କରି ପରିବାରର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିପାରିଛନ୍ତି।
କମ୍ ସ୍ଥାନ, କମ୍ ପୁଞ୍ଜି କିନ୍ତୁ ଲାଭ ଅଧିକ । ଆଧୁନିକ ପ୍ରଣାଳୀରେ ଏଭଳି ନିଆରା ପ୍ରଜାତିର ମେଣ୍ଢା ଚାଷ କରିବା ଏବେ ଓଡ଼ିଶାର ଚାଷୀଙ୍କ ପାଇଁ ଏକ ବଡ଼ ସମ୍ଭାବନା ସୃଷ୍ଟି କରିଛି। ଯଦି ସରକାରୀ ସହାୟତା ମିଳନ୍ତା, ତେବେ ସୁନ୍ଦରଗଡ଼ର ଅନ୍ୟ ଯୁବକ ଓ ମହିଳାମାନେ ମଧ୍ୟ ଏହି ପଥ ଆପଣାଇ ଆତ୍ମନିର୍ଭରଶୀଳ ହୋଇପାରନ୍ତେ ବୋଲି ଆଶା।
English 



















































































































































































































































































































































































































































































































































































































































































































































































































































































































































































































