#Local

ଆଜିଠାରୁ ଆରମ୍ଭ ହେଲା ମଳମାସ,୩୩ ମାସ ୪ ସପ୍ତାହ ପରେ ପୂଜା ପାଇଲେ  ‘ଶ୍ରୀପୁରୁଷୋତ୍ତମ’

କନକ ବ୍ୟୁରୋ: ଆଜି ଠାରୁ ଆରମ୍ଭ ହୋଇଛି ମଳମାସ। ଦୀର୍ଘ ୩୩ ମାସ ୪ ସପ୍ତାହ ପରେ ପୂଜା ପାଇଲେ ମଳ ନାରାୟଣ ‘ଶ୍ରୀପୁରୁଷୋତ୍ତମ’। ଶ୍ରୀମନ୍ଦିରରେ ସ୍ବତନ୍ତ୍ର ମନ୍ଦିରରେ ବିଦ୍ୟମାନ ମଳ ନାରାୟଣଙ୍କ ପୂଜାର୍ଚ୍ଚନା କରାଯାଇଛି। ଶ୍ରୀମନ୍ଦିର ପରିସରରେ ବଟବୃକ୍ଷ ମୂଳରେ ମା’ ବଟମଙ୍ଗଳାଙ୍କ ସାମ୍ନାରେ ଶ୍ରୀପୁରୁଷୋତ୍ତମଙ୍କ ମନ୍ଦିର ରହିଛି। ଜୁନ୍‌ ୧୫ ତାରିଖ ପର୍ୟ୍ୟନ୍ତ ସ୍ବତନ୍ତ୍ର ପୂଜାବିଧିରେ ପୂଜା ପାଇବେ ଶ୍ରୀପୁରୁଷୋତ୍ତମ। 

ମଳମାସ ବା ଅଧିମାସର ଅଧିପତି ହେଉଛନ୍ତି ଶ୍ରୀପୁରୁଷୋତ୍ତମ। ଏହି ମନ୍ଦିର ୨୦୨୩ ଅଗଷ୍ଟ ୧୬ ତାରିଖରୁ ବନ୍ଦ ରହିଥିଲା। ଅର୍ଥାତ ୧୦୩୪ ଦିନ ପରେ ପୁଣି ମଳମାସ ପଡ଼ିଥିବାରୁ ଆଜି ଶ୍ରୀପୁରୁଷୋତ୍ତମଙ୍କ ମନ୍ଦିର ଖୋଲି ପୂଜାର୍ଚ୍ଚନା କରାଯାଇଛି। ଏହି ଛୋଟ ମନ୍ଦିରରେ ଦୁଇଟି ମୂର୍ତ୍ତି ରହିଛି। ଗୋଟିଏ ହେଉଛି ନାରାୟଣଙ୍କ ମୂର୍ତ୍ତି। ନାରାୟଣଙ୍କ ବାମ ପାର୍ଶ୍ବରେ ବରାହଙ୍କ ମୂର୍ତ୍ତି ରହିଛି। ପ୍ରତ୍ୟେକ ଦିନ ଏଠାରେ ମଳ ନାରାୟଣଙ୍କ ପୁରାଣ ପାଠ କରାଯାଏ। ଆଜି ଠାରୁ ପ୍ରତିଦିନ କିଛି ଫଳ ଭୋଗ କରାଯିବ। ଆଜି ବ୍ରତଧାରୀମାନେ ଗୁଆ ନଡ଼ିଆ ଦେଇ ସଂକଳ୍ପ କରି ପୂଜା ଆରମ୍ଭ କରିଛନ୍ତି। ମନ୍ଦିରରେ କେବଳ ଦ୍ବାଦଶୀ ଦିନ ଖିରି ଓ ଅମ୍ବାଲୁ ଭୋଗ କରାଯିବ। 

ଆହୁରି ପଢ଼ନ୍ତୁ:ଅତ୍ୟାଧିକ ଦର ବୃଦ୍ଧି ପରେ ଗ୍ରାହକ ସଂକଟ, ଖାଁ ଖାଁ ସୁନା ଦୋକାନ, ଚିନ୍ତାରେ ଗ୍ରାମାଞ୍ଚଳ ବ୍ୟବସାୟୀ

ସୌରବର୍ଷର ଅବଧି ୩୬୫ ଦିନ ଏବଂ ଚାନ୍ଦ୍ରବର୍ଷର ଅବଧି ୩୫୪ ଦିନ। ବଳି ପଡ଼ୁଥିବା ୧୧ ଦିନ ଯୋଗୁଁ ପ୍ରତି ୩ ବର୍ଷରେ ଅଧିମାସ ବା ମଳମାସ ପଡ଼େ। ଏହି ମଳମାସରେ ଶୁଭ କାର୍ୟ୍ୟ କରାଯାଏ ନାହିଁ ବୋଲି ଶାସ୍ତ୍ର ମତ ରହିଛି। ପ୍ରତ୍ୟେକ ଦିନ ଏଠାରେ ଗୋଟିଏ ଲେଖାଏଁ ଫୁଲ ଅର୍ପଣ କରାଯାଏ। ଏହି ମାସରେ ନାରାୟଣଙ୍କୁ ଦର୍ଶନ କଲେ ଅଶେଷ ପୁଣ୍ୟ ଲାଭ ହୁଏ ବୋଲି ଶାସ୍ତ୍ର ମତ ରହିଛି। ପ୍ରତ୍ୟେକ ୩ ବର୍ଷରେ ଥରେ ମଳମାସ ପଡ଼ୁଥିବା ବେଳେ ଏଥର ଏହା ଏହି ଜ୍ୟେଷ୍ଠ ମାସରେ ପଡ଼ିଛି। 

 

ଆଜିଠାରୁ ଆରମ୍ଭ ହେଲା ମଳମାସ,୩୩ ମାସ ୪ ସପ୍ତାହ ପରେ ପୂଜା ପାଇଲେ  ‘ଶ୍ରୀପୁରୁଷୋତ୍ତମ’

Special Report: Fuel Crisis Creates Chaos in

Leave a comment

Your email address will not be published. Required fields are marked *