ଅପରାଧ ମୁକ୍ତ ଲାଗି ପୁଲିସର ପ୍ରୟାସ , ଫେରିଲା ଅପରେସନ ‘ମିସନ କ୍ଲିନ୍’

କନକ ବ୍ୟୁରୋ:ଦୀର୍ଘ ଦିନର ବ୍ୟବଧାନରେ ପୁଣି ଫୁଟିଛି ଗୁଳି, ତାହା ପୁଣି ପୁଲିସ ବନ୍ଧୁକରୁ। ଆହତ ହେଲା ଅଭିଯୁକ୍ତ। ଏକ ହତ୍ୟା ଉଦ୍ୟମ ମାମଲାରେ ସଂପୃକ୍ତ ଥିବା ଅଭିଯୁକ୍ତକୁ କାବୁ କରିବାକୁ ଯାଇଥିବା ପୁଲିସ ଟିମ୍କୁ ପାଲଟା ଆକ୍ରମଣର ଜବାବରେ ପୁଲିସ ବନ୍ଧୁକର ଟାର୍ଗେଟ ପାଲଟିଛି ଅଭିଯୁକ୍ତ। ବୃଦ୍ଧି ପାଇଥିବା ଆପରାଧିକ କାର୍ୟ୍ୟକଳାପ ଉପରେ ରୋକ ଲଗାଇବା ଲାଗି ପୁଲିସ ଆରମ୍ଭ କରିଛି ବ୍ଲୁ ପ୍ରିଣ୍ଟ। ବ୍ରିଫିଂ ପରେଡ ମାଧ୍ୟମରେ ପେସାଦାର ଅପରାଧୀଙ୍କୁ କାବୁ କରିବାକୁ ଆରମ୍ଭ କରିଛି ଯୋଜନା। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବ୍ରହ୍ମପୁର ଧାନମେରା ସାହିର ଶ୍ୟାମ ବେହେରା ନାମକ ଜଣେ ଯୁବକକୁ କେହି ଦୁବୃର୍ତ୍ତ ଖୋଡାସିଂ ଠାରୁ ଗୋପାଳପୁର ଛକକୁ ସଂଯୋଗ କରୁଥିବା
ଓଭରବ୍ରିଜ୍ ଉପରୁ ଗତକାଲି ଠେଲି ଦେଇଥିବା ଅଭିଯୋଗ ହୋଇଥିଲା। ଗୁରୁତର ଶ୍ୟାମ ଏବେ ବଡ଼ ମେଡିକାଲ ଆଇସିୟୁରେ ଚିକିତ୍ସାଧୀନ। ଏହି ମାମଲାରେ ପୁଲିସ ଲାଞ୍ଜିପଲ୍ଲୀ ଢିପସାହି ଅନ୍ତର୍ଗତ ହରିଜନ ବସ୍ତିର ଅଭିଯୁକ୍ତ ଦୀପୁନ ନାୟକ ଓ ତାର ସହଯୋଗୀଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲା। ତେବେ ଦୀପୁନ ଓ ତାର ସହଯୋଗୀ ପୁଲିସ ଉପରକୁ ବୋମା ମାଡ଼ ଓ ଗୁଳିଚାଳନା କରି ଖସିଯିବାକୁ ଉଦ୍ୟମ କରିଥିଲେ। ପୁଲିସର ପାଲଟା ଗୁଳି ଦୀପୁନର ବାମ ଗୋଡ଼ରେ ଲାଗିଥିବା ବେଳେ ଅନ୍ୟମାନେ ଖସି ପଳାଇଛନ୍ତି। ଆହତ ଦୀପୁନକୁ ପୁଲିସ କାବୁ କରି ଏମକେସିଜି ମେଡିକାଲରେ ଭର୍ତ୍ତି କରିଛି।
ପୁଲିସର ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି। ଅପରାଧ ନିୟନ୍ତ୍ରଣ ଲାଗି ୨୦୧୭-୧୮ ମସିହାରେ ତତ୍କାଳୀନ ଏସ୍ପି ଆରମ୍ଭ କରିଥିଲେ ଅପରେସନ ମିସନ କ୍ଲିନ୍। ଏକାଧିକ ଆପରାଧିକ ମାମଲାରେ ଜଡ଼ିତ ଥିବା ପେସାଦାର ଅପରାଧୀଙ୍କୁ ଖୋଜି ବାହାର କରିବା ବେଳେ ଏନକାଉଣ୍ଟରରେ ଜିଲ୍ଲାର ୬୦ଜଣ ଅପରାଧୀ ଆହତ ହୋଇଥିଲେ। ଫଳରେ ଅନ୍ୟ ଅପରାଧୀମାନେ ଭୟରେ ଅପରାଧ ଛାଡ଼ି ଦେଇଥିଲେ। ଏକାଧିକ ଆପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିବା ପେସାଦାର ଅପରାଧୀଙ୍କ ଉପରେ ନଜର ରଖିବା ସହ ସେମାନଙ୍କ ତାଲିକା ପ୍ରସ୍ତୁତ କରିସାରିଛି ପୁଲିସ। ଏବେ କେବଳ ସମୟ ଓ ସୁଯୋଗକୁ ଅପେକ୍ଷା ।
English 


































































































































































































































































































































































































































































































































































































































































































































































































































































































































