ଚିନ୍ତା ବଢ଼ାଇଛି ତେଲ ସଂକଟ ବଢ଼ୁଛି , ଇଭି ଗାଡ଼ିର ଚାହିଦା

କନକ ବ୍ୟୁରୋ:ଦେଶରେ ତେଲ ସଙ୍କଟ ଆଶଙ୍କା ଭିତରେ ବ୍ରହ୍ମପୁର ସହରରେ ପେଟ୍ରୋଲ ପମ୍ପ ଗୁଡ଼ିକରେ ଗହଳି ହେଉଛି। ଗାଡ଼ିରେ ତେଲ ପକାଇବାକୁ ଧାଡ଼ିରେ ଅପେକ୍ଷା କରିବାକୁ ପଡ଼ୁଛି। ଏହାର ପ୍ରଭାବ ଏବେ ଇଲେକ୍ଟ୍ରିକ ଗାଡ଼ି ବଜାର ଉପରେ ପଡ଼ିଛି। ସହରରେ ଇଭି ଗାଡ଼ିର ଚାହିଦା ବଢ଼ୁଥିବା ବେଳେ ଚାର୍ଜିଂ ପଏଣ୍ଟ ଅଭାବ ବଡ଼ ସମସ୍ୟା ହୋଇଛି। ତେବେ ସରକାର ପକ୍ଷରୁ ରାଜ୍ୟରେ ଫାଷ୍ଟ ଚାର୍ଜିଂ ଷ୍ଟେସନ ବୃଦ୍ଧି ପାଇଁ ପଦକ୍ଷେପ ନିଆଯାଇଥିବା କହିଛନ୍ତି ମନ୍ତ୍ରୀ।ତେଲ ସଙ୍କଟ ଆଶଙ୍କା ଲୋକଙ୍କ ଚିନ୍ତା ବଢ଼ାଇଛି। ଏହାରି ଭିତରେ ଏବେ ଇଭି ଗାଡି କିଣିବାକୁ ଲୋକଙ୍କ ଆଗ୍ରହ ବଢୁଛି। ପୂର୍ବ ଅପେକ୍ଷା ବ୍ରହ୍ମପୁର ସହରରେ ବେଟେରି ଚଳିତ ଦୁଇଚକିଆ ଓ ଚାରିଚକିଆ ଗାଡ଼ିର ଚାହିଦା ବଢ଼ିଥିବା କହୁଛନ୍ତି ସୋ’ରୁମ ମାଲିକ। ଦୈନିକ ବିଭିନ୍ନ ସୋ’ରୁମରେ ଶହେରୁ ଅଧିକ ଇଭି ଗାଡ଼ି ବୁକିଂ ହେଉଥିବା ଜଣାପଡ଼ିଛି। କିନ୍ତୁ ସବୁଠୁ ବଡ଼ ସମସ୍ୟା ହେଉଛି ଚାର୍ଜିଂ ବ୍ୟବସ୍ଥା। ସହରରେ ଫାଷ୍ଟ ଚାର୍ଜିଂ ପଏଣ୍ଟ ନଥିବାରୁ ଲୋକେ ଘରେ ଗାଡ଼ି ଚାର୍ଜ କରିବାକୁ ବାଧ୍ୟ ହେଉଛନ୍ତି। କେବଳ କିଛି ସୋ’ ରୁମରେ ଚାର୍ଜିଂ ସୁବିଧା ରହିଛି।
ସେପଟେ ଇଭି ଗାଡ଼ି ବ୍ୟବହାରକୁ ସରକାର ମଧ୍ୟ ଗୁରୁତ୍ୱ ଦେଉଛନ୍ତି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ନିଜେ ମଧ୍ୟ ଇଭି ଗାଡ଼ି ବ୍ୟବହାର କରୁଥିବା କହିଛନ୍ତି। ଇଭି ଗାଡ଼ି ଚଳାଇବା ଫଳରେ ଦେଶର ଅର୍ଥନୀତି ମଜଭୁତ ହେବା ସହ ପେଟ୍ରୋଲ ଉପରେ ନିର୍ଭରଶୀଳତା କମିବ ବୋଲି ସେ କହିଛନ୍ତି।ସରକାରଙ୍କ ପକ୍ଷରୁ ଗୋଟିଏ ଘରୋଇ ସଂସ୍ଥାକୁ ଫାଷ୍ଟ ଚାର୍ଜିଂ ଷ୍ଟେସନ ଲଗାଇବା ପାଇଁ ଟେଣ୍ଡର ଦିଆଯାଇଛି। ଏବେ ସୁଦ୍ଧା ରାଜ୍ୟରେ ୨୫ରୁ ୩୦ଟି ସ୍ଥାନରେ ଚାର୍ଜିଂ ପଏଣ୍ଟ ଥିବା ବେଳେ ଆଗାମୀ ଦିନରେ ୧୯୨ଟି ସ୍ଥାନରେ ଫାଷ୍ଟ ଚାର୍ଜିଂ ଷ୍ଟେସନ ସ୍ଥାପନ ହେବ ବୋଲି ମନ୍ତ୍ରୀ କହିଛନ୍ତି।ତେଲ ସଙ୍କଟ ଭିତରେ ଇଭି ଗାଡି ପ୍ରତି ଲୋକଙ୍କ ଆକର୍ଷଣ ବଢ଼ୁଥିଲେ ମଧ୍ୟ ଚାର୍ଜିଂ ବ୍ୟବସ୍ଥା ଅଭାବ ବଡ଼ ଚ୍ୟାଲେଞ୍ଜ ହୋଇଛି। ଏଭଳି ସ୍ଥିତିରେ ସରକାରଙ୍କ ଯୋଜନା କେତେ ଶୀଘ୍ର କାର୍ଯ୍ୟକାରୀ ହେଉଛି ତାହା ଉପରେ ସମସ୍ତଙ୍କ ନଜର।
English 




























































































































































































































































































































































































































































































































































































































































































































































































































































































































